ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ସମୟ ଭୂଗୋଳେ ଜୀବନ ଗତି

ସମୟ ଭୂଗୋଳେ ଜୀବନ ଗତି

 

 ବେଣୁଧର ସୂତାର

 

ଏଇ ମନ ତଳେ ପୁଣ୍ୟ ଭାବନା

ଏଇଠିବି ଅଛି ପାପର ମୋହ

ଏଇମନେ ଉଠେ ବିଷାଦର ଛାୟା

କେବେତ ଝରଇ ଖୁସିର ଲୁହ ।।

 

ବହଳ ତୃଷ୍ଣାର ଅସରନ୍ତି ଢେଉ

ସୀମା ସରହଦ ପରିଧି ଡେଇଁ

ଅମାନିଆ ମୋହ ଅସୁମାରୀ ଆଶା

ମନ ବେଳାଭୂମି ଯାଉଛି ଛୁଇଁ ।।

 

ଏଇ ଜୀବନରେ ସମୟ ଭୂଗୋଳେ

ମଞ୍ଜୁଳ ସ୍ବପ୍ନରେ ଦେଖାଏ ଆଶା

ଉନ୍ମାଦ ତନ୍ମୟ ମୂର୍ଛନା ତୋଳେ

ବଢି ବଢି ଯାଏ ମନ ପିପାଷା ।।

 

ଅର୍ଥ କ୍ଷମତାର ଅଦମିତ ମୋହ

ମନେ ଜନମାଏ ଅମାପ ପ୍ରୀତି

ଭୋଗଲାଳସାର ମୋହିନୀସ୍ବପ୍ନରେ

ଭୁଲିଯାଏ ନର ନୀତି ଅନୀତି ।।

 

ପ୍ରେମ ଓ ପ୍ରୀତିର ନୀଳ ମାଦକତା

ଝୁମିଯାଏ ମନ ସପନ ଭୋଳେ

ପ୍ରେମରେ ବିଫଳ ପୈଶାଚିକ ମନ

ବିକୃତ ପାପର ପ୍ରବୃତ୍ତି ତଳେ ।।

 

ଅମିତ କାମନା ପ୍ରଲମ୍ବିତ ଆଶା

ଆଣଇ ଜୀବନେ ଅନେକ ଝଡ

ଜୀବନ ଚକ୍ରର ବଳୟ ଭିତରେ

ଅତୀତ ପାଲଟେ ଅନ୍ଧାର ଗଡ ।।

 

ଅତୀତ ଦିନର କଥା କାହାଣୀର

ଜୀବନ ନାଟକ ମିଛ ସଂଳାପ

ଅନ୍ତରେ ଲେଖଇ ଅନ୍ତିମ ପଂକ୍ତିରେ

ବଳକା ଆୟୁଷେ ଶୂନ୍ୟ ବିଳାପ ।।

 

ଅସହାୟତାର ଆତ୍ମ ଦହନରେ

ବିଷାଦରେ ଭରା ଲୋହିତଜ୍ବାଳା

ତୁଟିଯାଏ ସବୁ ଆଶା ଆକାଂକ୍ଷାର

ସପନ ବିଳାସୀ ସଉଧ ମାଳା ।।

 

ପୁଣ୍ୟକର୍ମା ପାଏ ପବିତ୍ର ଆସନ

ପାପୀ ଭୋଗୁଥାଏ ଯନ୍ତ୍ରଣା କଷ୍ଟ

ସ୍ବାର୍ଥପରତାର ମତ୍ତ ଅହଂକାରେ

ଜୀବନ ହୁଅଇ ଅଚିରେ ନଷ୍ଟ ।।

 

ନୀଳତୃଷ୍ଣାତୀରେ ପାପୀମନ ଘୁରେ

ଅତୃପ୍ତିର ଅଭିଶପ୍ତ ମରଣ

ଜୀବନଚର୍ଯ୍ୟାର ଶେଷ ଆହୁତିରେ

ପୁଣ୍ୟାତ୍ମା ଲଭଇ ନୀଳ ନିର୍ବାଣ ।।

କେଶଦୁରାପାଳ , କେନ୍ଦୁଝର

Related posts

ଯୁବ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବଜ୍ରାଘାତ ରେ ଦୁଇ ମଇଁଷି ମୃତ୍ୟ

Leave a Comment

error: Content is protected !!