ଆସନ୍ତୁ ଜାଣିବା ରାଣୀ ସୁନୟନାଙ୍କ ନିଷ୍ପତ୍ତି ବିଷୟରେ
ଯେଉଁ ଧର୍ମରେ କୌଣସି କପଟ ନଥାଏ ସେପରି ନିଷ୍କପଟ ଧର୍ମଚର୍ଚ୍ଚା ଶ୍ରୀମଦ୍ ଭାଗବତର ମୁଖ୍ୟ ବିଷୟ । ଭାଗବତର ମୁଖ୍ୟ ବିଷୟ ହେଉଛି ନିଷ୍କାମ ଭକ୍ତି । ଭୋଗ ଇଚ୍ଛା ନଥିଲେ ତାହାକୁ ନିଷ୍କାମ ଭକ୍ତି କୁହାଯାଏ । ଭଗବାନଙ୍କ ପ୍ରତି ଭକ୍ତି କରାଯାଇଥାଏ । ଭକ୍ତିର ଫଳ ଭଗବାନ ହୋଇଥାନ୍ତି, ସଂସାର ସୁଖ ନୁହେଁ । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ଯେଉଁ ସୁଖ ପ୍ରାପ୍ତ କରିଥିଲେ, ଦ୍ବାରିକାରେ ରାଜପଦ ପାଇ ମଧ୍ୟ ସେଭଳି ସୁଖ ମିଳିନଥିବା ଭଗବାନ ଶ୍ରୀକୃଷ୍ଣ କହିଥିଲେ ।
ଭାଗବତରେ ବର୍ଣ୍ଣନା ରହିଛି, ଥରେ ଶୌନକ ମହୋଦୟ ପଚାରିଲେ- ମହର୍ଷି ବ୍ଯାସଦେବ ଭାଗବତ ରଚନା କଲେ ଏବଂ ଏହାର ପ୍ରଚାର କଲେ । ସୁତ ମୁନି କହିଲେ- ବ୍ଯାସଦେବ ଏହି କଥା ଶୁକଦେବଙ୍କୁ ଶୁଣାଇଥିଲେ । ଶୁକଦେବ ଜଣେ ସୁପୁତ୍ର ଥିଲେ । ଶୁକଦେବ କେବଳ ବ୍ରହ୍ମଜ୍ଞାନୀ ନୁହନ୍ତି ବ୍ରହ୍ମଦ୍ରଷ୍ଟା ମଧ୍ୟ ଥିଲେ ।
ଥରେ ଜନକ ଦରବାରରେ ଶୁକଦେବ ଏବଂ ନାରଦ ମୁନି ପହଂଚିଲେ । ଦୁଇଜଣ ମହାପୁରୁଷ ଥିଲେ । ମାତ୍ର ଦୁହିଁଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଥିଲେ ? ଜନକ ରାଜା ସମାଧାନ କରିପାରିଲେ ନାହିଁ । ପରୀକ୍ଷା ବିନା ନିଷ୍ପତ୍ତି କଷ୍ଟକର ଥିଲା । ଜନକଙ୍କ ରାଣୀ ସୁନୟନା ନିଷ୍ପତ୍ତି ନେଲେ ଯେ ମୁଁ ଏ ଦୁହିଁଙ୍କ ପରୀକ୍ଷା ନେବି । ଦୁହିଁଙ୍କୁ ରାଣୀ ନିଜ ଘରକୁ ଡାକିଲେ ଏବଂ ଝୁଲା ଉପରେ ବସାଇଦେଲେ । ଏହାପରେ ସୁନୟନା ଦେବୀ ଶୃଙ୍ଗାର କରି ସଜବାଜ ହୋଇ ଆସିଲେ । ଏହାପରେ ଦୁହିଁଙ୍କ ମଝିରେ ସେହି ଝୁଲା ମଧ୍ୟରେ ବସିପଡିଲେ । ନାରଦ ମୁନି ସଂକୋଚ ଅନୁଭବ କଲେ । ଭାବିଲେ, ମୁଁ ଆଜୀବନ ବ୍ରହ୍ମଚର୍ଯ୍ୟ ଧାରଣ କରିଛି । ସ୍ତ୍ରୀଙ୍କୁ ସ୍ପର୍ଶ କରିବା ଦ୍ବାରା ମୋ ମନରେ ବିକାର ଉତ୍ପନ୍ନ ହୋଇପାରେ । ଏହା ଭାବି ସେ ଦୂରକୁ ଚାଲିଗଲେ । କିନ୍ତୁ ଶୁକଦେବ ପୂର୍ବପରି ବସିରହିଲେ । ତାଙ୍କ ପାଖରେ ଜଣେ କେହି ସ୍ତ୍ରୀ ବସିଥିବାର ସେ ଅନୁଭବ କରିପାରୁ ନଥିଲେ । କାରଣ ବସିଥିବା ସମୟରେ ସେ ଈଶ୍ବରଙ୍କ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ ଥିଲେ । ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ କୌଣସି ଭେଦଭାବ ତାଙ୍କ ମନରେ ନଥିଲା । ତେଣୁ ତାଙ୍କ ମନରେ ବିକାର ଉତ୍ପନ୍ନ ହେବାର ପ୍ରଶ୍ନ ହିଁ ଉଠୁନଥିଲା । ଏହାପରେ ରାଣୀ ସୁନୟନା ନିଷ୍ପତ୍ତି ନେଲେ ଯେ ଦୁହିଁଙ୍କ ମଧ୍ୟରେ ଶୁକଦେବ ହିଁ ଶ୍ରେଷ୍ଠ ।।