ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖରାଛୁଟି ପରେ ରାଜ୍ୟରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ

କରୋନା କାଳରେ ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଢିବେ ଛାତ୍ରଛାତ୍ରୀ…

ସମଗ୍ର ରାଜ୍ୟର ବିଦ୍ୟାଳୟମାନଙ୍କରେ ଏବେ ଖରାଛୁଟି ଚାଲିଛି। କରୋନା ପାଇଁ ପାଠପଢ଼ାରେ ବ୍ୟଘାତସୃଷ୍ଟି ହୋଇଥିବା ବେଳେ, ଚଳିତ ବର୍ଷ ସରକାର ଖରାଛୁଟିର ସମୟ ସୀମାରେ ପରିବର୍ତ୍ତନ କରିଛନ୍ତି।ତେବେ ଖରଛୁଟି ସରିବା ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ। ନୂଆ ଶିକ୍ଷା ବର୍ଷରେ ଯେପରି ଶତ ପ୍ରତିଶତ ପାଠ୍ୟ ଖସଡ଼ା ଶେଷ ହେବ ଓ ପିଲାଙ୍କୁ ଠିକଣା ଢଙ୍ଗରେ ଶିକ୍ଷାଦାନ ହେବ ସେଥି ନିମନ୍ତେ ପ୍ରସ୍ତୁତ ହୋଇଛି ନିୟମାବଳୀ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ-ଓସେପା ପକ୍ଷରୁ ଏହି ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ ଅଛି, କରୋନା କାଳରେ ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ। ସବୁ ବିଦ୍ୟାର୍ଥୀ ଯେଭଳି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶ୍ରେଣୀ ଓ ବିଷୟଭିତ୍ତିକ ପାଠପଢା ସମୟ ସାରଣୀ ପ୍ରତି ଶ୍ରେଣୀଗୃହରେ ବିଦ୍ୟାର୍ଥୀଙ୍କ ପାଇଁ ଲଗାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ। ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢ଼ାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ ବୋଲି ଚିଠିରେ ଦର୍ଶାଇଛନ୍ତି ଓସେପା କର୍ତ୍ତୃପକ୍ଷ।

କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ସିଲାବସର ଶତ ପ୍ରତିଶତ ପଢ଼ା ହୋଇ ପାରୁ ନ ଥିବାରୁ ପାଠପଢ଼ା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ଚଳିତ ଶିକ୍ଷା ବର୍ଷରେ ସ୍କୁଲ ପାଠପଢ଼ା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ଆଶା ଥିବା ବେଳେ ଶତ ପ୍ରତିଶତ ପାଠ୍ୟ ଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି। ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠପଢ଼ା ସମୟ ସମ୍ବନ୍ଧରେ ଆଲୋଚନା କରିବେ। କିଭଳି ସଠିକ୍ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷକ ଶିକ୍ଷୟିତ୍ରୀ ଠିକ୍ ଭାବେ ପଢ଼ାଉଛନ୍ତି କି ନାହିଁ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶିକ୍ଷକଙ୍କ ପାଠପଢ଼ା ତଥ୍ୟ ବିଦ୍ୟାଳୟରେ ସ୍ୱତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ ରହିବ।

ଶିକ୍ଷକମାନେ ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ୱତନ୍ତ୍ର ଯୋଜନା କରିବେ। ସିଆରସିସିମାନେ ନିଜ କ୍ଲଷ୍ଟରରେ ପାଠପଢ଼ା ଉପରେ ତୀକ୍ଷଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ। ବିଦ୍ୟାର୍ଥୀଙ୍କ ଉପଯୋଗୀ ପରିବେଶ ବିଦ୍ୟାଳୟରେ ସୃଷ୍ଟି କରାଯିବ। ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ ପିଲାଙ୍କୁ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାହାର ଯାଞ୍ଚ କରିବେ। ଏଦିଗରେ ପଦକ୍ଷେପ ନେବାକୁ ସବୁ ଡିଇଓ ଓ ଡିପିସିଙ୍କୁ ନିର୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ ଅଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନାବାଳିକାଙ୍କ ଉନ୍ମତ କାଣ୍ଡ , ଆମ୍ବ ଗଛ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ , ଅଗ୍ନିସମ ବିଭାଗ ଦ୍ଵାରା ଉଦ୍ଧାର

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଦକ୍ଷ ଥାନା ଅଧିକାରୀ ଙ୍କୁ ପ୍ରଥମ ସଫଳତା, କାର୍ଯ୍ୟଭାର ଗ୍ରହଣ ର ପ୍ରଥମ ଦିନରେ ଗେଲ୍ ଇଣ୍ଡିଆ ପାଇପ୍ ଲାଇନ ଚୋରି ଉଦ୍ୟମ କୁ କଲେ ପଣ୍ଡ

Leave a Comment

error: Content is protected !!