ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ପୁରୁଷ ସିଂହ

    ପୁରୁଷ ସିଂହ

ପୁରୁଷ ସିଂହ ମୁଁ ରଡି ଟାଏ କଲେ

     ଘର କାନ୍ଥ ବାଡ ଥରେ

ପତ୍ନୀଟା ଯେମିତି କିଣା ଚାକରାଣୀ

      ଭାବଇ ମୁହିଁ ମନରେ।

ଚାକିରୀ କରି ସେ ଟଙ୍କା ଆଣେ ଘରେ

    ଉଡାଏ ମୁହିଁ ମଦରେ

କୁଜିନେତା ଅଟେ ପରିଚୟ ମୋର

     ସେପାଇଁ ମୁଁ ଗର୍ବ କରେ।

ଚେଲାଚାମୁଣ୍ଡାଙ୍କୁ ମଦ ଟୋପେ ଟୋପେ

    ସବୁଦିନେ ଦିଏ ମୁହିଁ

ମୋର ଜୟଜୟକାର କରନ୍ତି ସେମାନେ

     ଟୋପେ ମଦ ପିଇ ଦେଇ।

ପତ୍ନୀ ବାଧା ଦେଲେ ଗୋଟେ ଭୁରୁଡିରେ

      ବନ୍ଦ ହୁଏ ତା’ର ପାଟି

ରୋଜଗାର କରୁଛୁ ଫୁଟାଣି ଦେଖଉଛୁ

      କହି ଧରେ ତା’ର ଚୁଟି।

ସେତିକିରେ ଚୋପା ହୋଇଯାଏ ସେହି

     ମୁହିଁ ମନମାନି କରେ

ତା ବାପା ବୋଉ ଭାଇ ନାଁ ଧରି ମୁହିଁ

     ଶୋଧେ ଅସଭ୍ୟ ଭାଷାରେ।

ମୋ ପାଟିରେ ବାଡବତା ରହେ ନାହିଁ

     ଯାହା ଇଛା ତାହା କହେ

ଦୋଅକ୍ଷରୀ ତ୍ରିଅକ୍ଷରୀ ପଞ୍ଚାକ୍ଷରୀ 

     ମନ୍ତ୍ର ଯେତେ ଗାଇଯାଏ।

ଭୋରୁ ଉଠି ସିଏ ଘରକାମ କରେ

     ଗାଧେଇ ଠାକୁର ପୂଜେ

ନଅଟା ଯାଏଁ ମୁଁ ମୁହଁଟାକୁ ମାଡି

     ପଡିଥାଏ ମୋର ଶେଯେ।

ଚାହା ଜଳଖିଆ ତିଆରି କରି ସେ 

      ଡାକେ ମତେ କାକୁସ୍ଥରେ

ମୋବାଇଲ୍ ଟାରେ ଅଶ୍ଳୀଳ ଭିଡିଓ

    ଦେଖି ମୋର ରାତି ସରେ ।

ଭିଡିମୋଡି ହୋଇ ବିଛଣା ଛାଡେ ମୁଁ

      ରଙ୍ଗା ନୟନରେ ଚାହେଁ

ଚାହା ପାନ କରି ମଖଣ୍ଡି ଗପରେ

     ଦିନ ମୋର ବିତି ଯାଏ।

କଦବା କ୍ବଚିତ କେଉଁଦିନ ଯଦି

     ସଅଳ ମୁଁ ଉଠିପଡେ

ଚାହା ଜଳଖିଆ ପ୍ରସ୍ତୁତ ନଥିଲେ

     ଗର୍ଜନ ଟିଏ ଛାଡେ।

ଠାକୁରଘରେ ଚନ୍ଦନ ଘୋରୁ ଘୋରୁ

      ପତ୍ନୀ ମୋର ଉଠିଆସେ

କିଛି ହିଁ ପ୍ରତ୍ୟୁତ୍ତର କରେ ନାହିଁ ସେ

        ଚା ଜଳଖିଆରେ ତୋଷେ।

ଆଜ୍ଞାକୁ ଅବଜ୍ଞା କରିବା ସାହାସ

      କେବେହେଲେ କରିନାହିଁ

ଗଧଟା ପରି ଖଟେ ସେ ନୀରବରେ

     ପ୍ରତିବାଦ କ୍ରୋଧ ନାହିଁ।

ତାକୁ ସ୍କୁଲକୁ ନବା ଆଣିବା କାର୍ଯ୍ୟ

      ବାଧ୍ୟ ହୋଇ ମୁହିଁ କରେ

ସେଇଥିପାଇଁକି ତା ମୁଣ୍ଡ ଟାକୁ ମୁଁ

      କିଣିଅଛି ମନେ କରେ।

ଭାରିଜା ଅଟଇ ପାଦର ପାଣ୍ତୋଇ

     ଏକଥା ଜାଣିଛି ମୁହିଁ

ମୋର ମନ ନେଇ ଚଳିନପାରିଲେ

  ଏ। ଘରେ ତା ସ୍ଥାନ ନାହିଁ।

ଷାଠିଏ ଟପିଲାଣି ନାଳୁଆମି ଗୁଣ

     ମୁହିଁ ଛାଡି ପାରି ନାହିଁ 

ଝିଅ ପିଲା ଦେଖି ନାଳ ମୋର ଗଡେ

      ଅଣ୍ଡିରା ପୁଙ୍ଗବ ମୁହିଁ।

ପତ୍ନୀଟି ମୋହର ଅନ୍ୟ ପୁରୁଷଙ୍କ

     ଛାଇ ଜମା ମାଡେ ନାହିଁ

ଆଜିକା ସମୟେ ଏ ସତୀପଣିଆ !

      ବଡ ବିଚିତ୍ର ଅଟଇ।

ଡରିମରି କରି ରହିଥାଏ ସିଏ

     ଉଚ୍ଚବାଚ କରେ ନାହିଁ

ପାଠକେ ବିଚାର କରନ୍ତୁତ ଏବେ

    ମୁଁ ଭଲ ସ୍ବାମୀ କି ନାହିଁ???

ମମତା ଶତପଥୀ

କେନ୍ଦ୍ରାପଡା

Related posts

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

Sunil Chandra Nayak

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପ୍ରତାରଣା :  ଧୋକା ଦେଇ ଜେଲ୍ ଗଲେ ଯୁବକ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ! ପୋଲିସ ର ତଦନ୍ତ ଶିଥିଳ, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏସ ପି ଙ୍କୁ ଭେଟି ଅଭିଯୁକ୍ତ ମାନଙ୍କ ର ଗିରଫ ଦାବୀ କଲା କୁଇ ସମାଜ ସେବା ସମିତି ମହିଳା ସଙ୍ଗଠନ

Leave a Comment

error: Content is protected !!