ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ମୋ ଘରେ ହେରାପଞ୍ଚମୀ

  ମୋ ଘରେ ହେରାପଞ୍ଚମୀ

 

           ଅପର୍ତ୍ତି ସେଠୀ

ଲକ୍ଷ୍ମୀ ଭାଙ୍ଗିଦେଲେ ରଥ କାଠ ସିନା

          ଜଗା ସାଙ୍ଗେ ନ ନେବାରୁ,

 କିନ୍ତୁ ଘରଣୀ ମୋ ବାଇକି‌ ଭାଙ୍ଗିଛି

          ଜାଣନ୍ତି କି କାରଣରୁ?

ଜଗନ୍ନାଥଙ୍କର ସେଠି ଯା ଅବସ୍ଥା 

          ମୋର ବି ସେଇ ଅବସ୍ଥା,

ତାଙ୍କର ସେଠାରେ ସିନା ରଥଯାତ୍ରା 

          ଆମର ନାଟ ତାମସା।

ହେରାପଞ୍ଚମୀରେ ଲକ୍ଷ୍ମୀ ରୋଷକଲେ

          କାଳିଆଙ୍କୁ ଗାଳିକଲେ,

କିନ୍ତୁ ମୋ ଘରଣୀ ହୁରି ପକେଇକି 

          ଇଜ୍ଜତ ମୋହର ସାରେ।

କି ପାଇଁ ତା’ ରାଗ ପଞ୍ଚମକୁ ଚଢେ

          ଆଜି ହେରାପଞ୍ଚମୀରେ,

ମୋ ଚୌଦ ପୁରୁଷ ଉଦ୍ଧାର ହୁଅନ୍ତି

         ଘରଣୀ ଗାଳି ବର୍ଷାରେ।        

ରଥଯାତ୍ରା ଦେଖି ଯିବାପାଇଁ ଯଦି

          ଯିଦି ଧରିଲା ସେଦିନ,

ଝିପିଝିପି ବର୍ଷା ଲାଗି ରହିବାରୁ

          କଲି ମୁଁ ତାକୁ ବାରଣ।

କେନ୍ଦରା‌ପଡାରେ କାମ ଅଛି କହି

          ଯଦି ମୁଁ ବାହାରି ଗଲି,

ଅବଶ୍ୟ ସେ ରଙ୍ଗ ନୂଆବୋଉକୁ ମୁଁ

          ସାଥିରେ ମୋ ନେଇଥିଲି।

ଯଦି ସିଏ ମୋର ବାଇକିରେ ବସି

          ରଥଯାତ୍ରା ଦେଖି ଗଲା,

କୋଉ ବେଦ ଏଠି ଅଶୁଦ୍ଧ ହୋଇଲା

          ଲାଗିଛି ମୋ ଘରେ ପାଲା?

ତା’ ଲାଗି ମୋହର ବଳ କି କମିଲା

     ନା,ବେଶୀ ପେଟ୍ରୋଲ ପୋଡିଲା,

ମାନୁଛି ଗୁପ୍‌ଚୁପ୍ ଚାଟ୍ ଚାଉମିନ୍

        ଯାହା ମୋଠୁ‌ଁ ଖାଇଥିଲା।

ହେଇହେଇକିରି‌ ବଡଦାଣ୍ଡେ‌ ଯଦି

        ତା’ ହାତକୁ ଧରିଥିଲି,

ସେ ସବୁ ଶୁକୁଟି କେମିତି ଜାଣିଲା

        ଭାବି ଆଶ୍ଚର୍ଯ୍ୟ ମୁଁ ହେଲି।

ରଘୁ ଭାଇ ଗୁଜୁରାଟରେ ରହୁଛି

       ଘରେ ନୂଆ ବୋଉ ଏକା,

ତା’ ଦୁଃଖସୁଖରେ ଭଲମନ୍ଦ ବେଳେ

       କରେ ଟିକେ ତାକୁ ଦେଖା।

ମାଇପି‌ ଲୋକକୁ ସାହାଯ୍ୟ କରିବା

       ମୋହର କି ଭୁଲ୍ ହେଲା,

ଯେଉଁଥି ପାଇଁକି ମୋ ଘରେ ଶୁକୁଟି 

       ନିତି ଲଗେଇଛି ପାଲା?

ସନ୍ଦେହ ମୋ ହୁଏ ଏ ସବୁ ସମ୍ଵାଦ

       ଯିଏ ତାକୁ ଜଣ‌ଉଛି,

ସିଏ ବୋଧେ ମୋର ଶୁକୁଟି ସହିତ 

       ଭାବ କିଛି ଲଗେଇଛି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମହାଲକ୍ଷ୍ମୀ 

Sunil Chandra Nayak

ବାଲେଶ୍ଵରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ବନ୍ଦ କଲେ ଦରମା ଗଣିଲେ ଜୋରିମାନା

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ରଥ ଯାତ

Sunil Chandra Nayak

Leave a Comment

error: Content is protected !!