ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

ଶବ୍ଦ ତୁମେ

ଅପର୍ତ୍ତି ସେଠୀ

ଶବ୍ଦ ତୁମେ ଯଦି ଏକାମ୍ର ବନର
       ପାରିଜାତ ହୋଇ ଯିବ,
ମୋ ହୃଦ କାନନେ ଭାବ ଉଚ୍ଛ୍ୱାସରେ
       ଗୋଲାପ ଫୁଲ ଫୁଟିବ।
ଶବ୍ଦ ରୂପସୀ ଗୋ ମୋ ଅନୁଭବର
       ଅନ୍ତର୍ଭୁତା ବାରମାସୀ,
ଭାବ ପରିଭାଷ ନୂତନ ଉନ୍ମେଷେ
       ପ୍ରିୟତମା ରାଜହଂସୀ।
କଳ୍ପନାରେ ଶବ୍ଦ ଯଦି ତୁମେ ମୋର
       ନିଜସ୍ଵ ମନ୍ତବ୍ୟ ହେବ,
ଅକୁହା ବକ୍ତବ୍ୟେ ପ୍ରତି ହୃଦୟର
      ଆତ୍ମାକୁ ବୋଧେ ଛୁଇଁବ।
ଜୀବନ ନ‌ଈର ନୀଳ ତରଙ୍ଗରେ
        ଯଦି କେବେ ପହଁରିବ,
ସେତେବେଳେ କିନ୍ତୁ ମେଘପାଲିଙ୍କିରେ
        ବର୍ଷା ବୋହୂ ସାଜିଥିବ।
ଅଜଣା ଫୁଲର ମହକରେ ଶବ୍ଦ
        ତୁମେ ଯଦି ଭାସିଯାଅ,
ସପତ ସୁରର ବୀଣା ଝଙ୍କାରରେ
        ଅଦିନେ ବହେ ମଳୟ।
କେତୋଟି ବାକ୍ୟର ତତ୍ତ୍ଵ ପ୍ରକାଶରେ
        ଶବ୍ଦ ଯେବେ ତୁମେ ଆସ,
କୋଇଲି କୁହୁରେ ପବନ ଜୁଉରେ
        ନିଶ୍ଚୟ ହେବ ପ୍ରକାଶ।
ଶବ୍ଦ କେବେ ତୁମେ ସଜନୀ ଓଠର
       ମିଠା ମିଠା ହସ ହୋଇ,
ବୁକୁ ବ୍ୟଥାମାନ ଦୂରେ ଠେଲି ଦିଅ
       ବଞ୍ଚିବା ଦିଅ ବୁଝାଇ।
ଆତ୍ମ କାହାଣୀର ସୃଜନିକା ସାଜି
      ଯଦିବା କେବେ ଆସିବ,
ଶୂନ୍ୟତାରୁ କିଛି କଳ୍ପନା ଫୁଲକୁ
      ଅବଶ୍ୟ ତୋଳି ଆଣିବ।
ଯଦି ମଧୁପର‌ ମୃଦୁ ଗୁଞ୍ଜରିତ 
      ଶବ୍ଦ ତୁମେ ହୋଇଯିବ,
ଓଁ କାର ପବିତ୍ର ଉଚ୍ଚାରଣ ସଙ୍ଗେ
      ନିଶ୍ଚେ ଅନୁଭୂତ ହେବ।
ସମ୍ପର୍କର ମାନେ ତୁମଠୁଁ ଅଧିକ
      କିଏ ବା ବୁଝାଇ ପାରେ,
ଶୁଖିଲା ଓଠରେ ଆପେ ଆପେ ହସ
      ତୁମ ସ୍ପର୍ଶେ‌ ଝରିପଡେ।
ଶବ୍ଦ ତୁମେ ଅଟ ମେଘ ମହ୍ଲାରର
       ସଙ୍ଗୀତ ମୂର୍ଚ୍ଛନା ଲୟ,
ତୁମେ ପୁଣି ଅଟ ବାତ୍ସଲ୍ୟ ମମତା
        ମମତାମୟୀର‌ ସ୍ନେହ।
ହୃଦୟର ଅନ୍ତଃସ୍ଵର ଶବ୍ଦ ତୁମେ
         ବେଦନାର ମହୋଷଧି,
କେତୋଟି ନିର୍ଝାସ‌ ବିନୟୀ କଣ୍ଠର 
         ତୁମେ ପରା ସପ୍ତପଦୀ।
କେବେ ଭାବୁକର ଭାବଧାରା ତୁମେ
         କେବେ ପ୍ରେମ ପ୍ରଣୟର,
କେବେ ବ୍ରହ୍ମନାଦ ଶ୍ରୁତିର‌ ଆଧାର
         କେବେ ସୃଷ୍ଟି ଲେଖନୀର।
ଶବ୍ଦ ଆସିଥିଲ ମୋ ଜନ୍ମ ସାଥୀରେ
         ଯିବ ମୋ ମରଣ କାଳେ,
ଷଠୀଘର ଠାରୁ ସ୍ଵର୍ଗଦ୍ଵାର ଯାଏ
         ଥିବ ନିଶ୍ଚେ ମୋ ସାଥୀରେ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

     

Related posts

ସାପ କାମୁଡା ରେ ଯୁବକ ଗୁରୁତର

Sunil Chandra Nayak

ଶ୍ରୀମନ୍ଦିର ବାନା ପବନର ବିପରୀତ ଦିଗରେ କାହିଁକି ଉଡେ

Sunil Chandra Nayak

ଆଇପିଏଲ କ୍ରିକେଟ ବେଟିଂ ଜାଲରେ ଜୁନାଗଡ଼ ,ପଥଭ୍ରଷ୍ଟ କରୁଛି ଯୁବଗୋଷ୍ଠୀଙ୍କୁ

Leave a Comment

error: Content is protected !!