ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଭାବ ବଣିକ 

  ଭାବ ବଣିକ 

   ବେଣୁଧର ସୂତାର

ହୃଦୟ ଆବେଗ ମୁଗ୍ଧ ଅନୁଭବ
ବୁକୁତଳେ ଖେଳେ ଭାବ ପୁଲକ
କୂଳ ଲଙ୍ଘିଯାଏ ସମ୍ମୋହିତ ମନ
ଚିନ୍ତା ଚେତନାରେ ଭରି ମହକ
ଖିଆଲି ମନର ବିଳାସୀ ତୃଷ୍ଣା
ଭିଜା ଭିଜା ଏଇ ବୁକୁ ଅଗଣାରେ
ଲହଡ଼ି ମାରୁଛି ଭାବର ଜ୍ୟୋତ୍ସ୍ଳା ।
ନିରବ ଲଗ୍ନର ସମର୍ପିତ ଭାବ
ନିଃଶବ୍ଦରେ ତୋଳେ ସ୍ଵର ସ୍ଵାକ୍ଷର
ଭାବାତୀତ ମନ ତନ୍ମୟ ତୀର୍ଥରେ
ଚେତନା କଳ୍ପର ସୂକ୍ଷ୍ମ ନିର୍ଝର
ପ୍ରାଣେ ଭରିଦିଏ ପ୍ରଶାନ୍ତି ଧାରା
ହୃଦୟ ବୀଣାର ମଧୁର ଝଙ୍କାର
ଅମୃତ ବୋଳାସେ ଭାବ ପସରା ।
ଭଲ ପାଇବାର ନିଃସର୍ତ୍ତ ଉଲ୍ଲାସେ
ବୁକୁତଳେ ଖେଳେ ପ୍ରୀତିର ଢେଉ
ବିରାଟ ଆକାଂକ୍ଷା ପରିପୂର୍ଣ୍ଣତାରେ
ଅଥଳ ମାନସ ମନ୍ଥନ ହେଉ
ଭାବ ମଳୟର କୁହୁକ ଛୁଆଁ
କଳ୍ପନାର ତୀରେ ମାଟି ମନସ୍କରେ
ମଧୁମୟ ଲାଗେ ଏଇ ଦୁନିଆଁ ।
ହୃଦୟ ପୃଷ୍ଠାରେ ତଲ୍ଲୀନ ସ୍ଵାକ୍ଷର
ଅନୁଚେତନାର ପୁଣ୍ୟ ପରିଧି
ଭାବ ଉନ୍ମାଦର ଅମୃତ ଆଧାର
ନିରାଶା ମରୁର ଆଶା ବାରିଧି
ଖୋଲି ଦିଏ ଏଇ ହୃଦୟ ଦ୍ଵାର
ହୃଦ ବେଦିକାର ଭାବମୋତି ହାର
ଅନେକ ସ୍ଵପ୍ନର ଏ ଇସ୍ତାହାର ।
ଭାବ ଉପବନ ଭବ୍ୟ ଉପହାର
ଅନୁରାଗେ ଭରା ଚାରୁ ଭୂମିକା
ପୁଲକିତ ସ୍ଵର ମହକ ମଧୁର
ସାରସ୍ଵତ କୁଞ୍ଜ ମଧୁ ମଲ୍ଲୀକା
ଜ୍ଞାନ ମଞ୍ଜରୀ ର ମୋତି ମାଣିକ
ଅନବଦ୍ୟ ଯାର ନୈବେଦ୍ୟ ସମ୍ଭାର
  ଭାବମୟ ତୁମେ ଭାଵ ଵଣିକ ।

କେଶଦୁରାପାଳ କେନ୍ଦୁଝର

Related posts

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମୁଁ ବାରାଙ୍ଗନା

Sunil Chandra Nayak

ଭାରତସରକାରଙ୍କ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

Sunil Chandra Nayak

Leave a Comment

error: Content is protected !!