ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ହଜ୍‌ବ୍ଯାଣ୍ଡ୍

       ହଜ୍‌ବ୍ଯାଣ୍ଡ୍

       ଅପର୍ତ୍ତି ସେଠୀ

         (ରମ୍ୟ ରଚନା)
ଦିନେ ଦୁଇଜଣ ମହିଳା ଏକାଠି
       କଥାବାର୍ତ୍ତା ହେଉଥିଲେ,
ଜଣେ ତ ଜଣକୁ ଏହି ପ୍ରଶ୍ନଟିଏ
       ଆଶ୍ଚର୍ଯ୍ଯେ ପଚାରୁଥିଲେ।
କହିବ ଭ‌ଉଣୀ କେଉଁ ଭଳି ଏହି
       ହଜବ୍ଯାଣ୍ଡ‌୍ ଜିନିଷଟି,
କାଳିଆ କି ଗୋରା ମୋଟାକି ପତଳା
       ବାଘ ଭାଲୁ କିମ୍ବା ହାତୀ? 
ଜଣଙ୍କ କଥାକୁ ଶୁଣି ଆଉଜଣେ
       ଏ ଉତ୍ତର ଦେଉଛନ୍ତି,
ହଜବ୍ଯାଣ୍ଡ୍ ଏକ ବିଚିତ୍ର ବାଦ୍ଯଟି
       ଘରେ ବାଜୁଥାଏ ନିତି।
ଏହି ବ୍ଯାଣ୍ଡ‌୍‌ଟିକୁ ବେଲଣା କାଠିରେ
       ବଜେଇଲେ ଭଲ ବାଜେ,
ବିବାହିତା ସ୍ତ୍ରୀ କେବଳ ଏ ବ୍ଯାଣ୍ଡ୍
       ବଜେଇ ପାରେ ସହଜେ।
ବାହାହୋଇଥିବା ସ୍ତ୍ରୀମାନେ ଏହି
       ସୁଯୋଗଟି ପାଇଥାନ୍ତି,
ପ୍ରତି ଘରେ ଘରେ ହଜ୍‌ବ୍ଯାଣ୍ଡ‌୍‌ଗୁଡା
      ସବୁଦିନେ ବାଜୁଥାନ୍ତି।
ଏ ବ୍ଯାଣ୍ଡ୍‌ର ଏକ ଭଲଗୁଣ ଅଛି
      ଯେତେ ୟାକୁ ବଜାଇବ,
ସେତେ ଭଲ ସ୍ଵର ବାହାରେ ଏଥିରୁ
      ଭାରି ମଜା ଲାଗୁଥିବ।
ଏ ସ୍ଵର କେବଳ ଘର ଚାରିକାନ୍ଥେ
      ସୀମିତ ହୋଇକି ରହେ,
ବାହାର ପଡୋଶୀ ଏ ବ୍ଯାଣ୍ଡ୍‌ ତାଳକୁ
     ବେଳେବେଳେ ଶୁଣି ଥାଏ।
ଆଉ ଅଛି ଏକ ମଜାଗୁଣ ପୁଣି
      ଏହି ହସ୍- ବ୍ଯାଣ୍ଡ୍‌ଟିର,
 ଯେତେ ବଜେଇବ ସେତେ ହସୁଥିବ
       ବେହିଆ ଭଳି କେବଳ।
ଏହି ବାଦ୍ୟଟିକୁ ମହିଳା ପାଆନ୍ତି
       ତାଙ୍କ ବାହାଘର ଦିନ,
ସେଦିନୁଁ ଏ ବାଦ୍ୟ ବଜାନ୍ତି ଆନନ୍ଦେ
       ଚାଲେ ଯେ ଘରେ କୀର୍ତ୍ତନ।  
ଏହି ବ୍ଯାଣ୍ଡ୍ ଏଠି ଯେତେ ବାଜୁଥିବ
       ସେତେ ଟଙ୍କା ବାହାରିବ,
ବଜାଇଲା ବାଲା ସେ ଟଙ୍କାରେ ଖାଲି
       ସହକ ଯେ କରୁଥିବ।
ହଜ୍‌ବ୍ଯାଣ୍ଡ‌ଙ୍କର ବ‌ଇରୀ ଅଟ‌ଇ
       ଝାଡ଼ୁ ଓ ବେଲଣା କାଠି,
ନିର୍ଧୂମ୍ ବାଡିଆ ଦେଇ ଚାଲୁଥିବ
       ବନ୍ଦ୍ କରି ତାଙ୍କ ପାଟି।
ଦୋଅକ୍ଷରୀ ବୋଲ୍ କହି ଚାଲୁଥିବ
       ବ୍ଯାଣ୍ଡ୍‌ ଯେବେ ବଜାଇବ,
ତେବେ ଯାଇ ସିନା ଉଦଣ୍ଡ ଉଠିବ
       ତାଣ୍ଡବ ନୃତ୍ୟ ଚାଲିବ। 
ଏକଥାକୁ ଶୁଣି ଆର ମହିଳାଟି
       ଭଲଭାବେ ବୁଝିଗଲେ,
ହଜ୍‌ବ୍ଯାଣ୍ଡ୍ ବୋଲି ଏହି ବାଦ୍ଯଟିଏ 
       ଅଛି ବି ତ ତାଙ୍କ ଘରେ।
କହିଲେ ଭ‌ଉଣୀ ବେଲଣା କାଠିରେ
       ଆଜି ମୁଁ ବି ବଜେଇବି, 
କଥାଟି ତୁମର ସତ କିମ୍ବା ମିଛ
       ଏହାର ପ୍ରମାଣ ନେବି।
ବାହାଘର ମୋର ଦି’ବର୍ଷ ହେଲାଣି
       ଏ ମଜା ମୁଁ ପାଇନାହିଁ,
ଆଜିଠାରୁ ଏହି ସୁଯୋଗକୁ ହାତ
       ଛଡ଼ା ମୁଁ କରିବି କାହିଁ? 
ଏହି ଦୁହିଁଙ୍କର କଥାକୁ ସେଠାରେ
       ଲୁଚି ମୁହିଁ ଶୁଣୁଥିଲି,
ବେଲଣା କାଠିର ଚିହ୍ନଗୁଡାକୁ ମୋ
       ନିଜ ଦେହେ ଦେଖୁଥିଲି।
ପୁଣି ଦେଖେ ଯେଉଁ ଭଦ୍ର ମହିଳାଟି
       ଏ ସବୁ ଥିଲେ ବୁଝାଇ ,
ସିଏ ଥିଲେ ମୋର ଏକମାତ୍ର ପତ୍ନୀ
       ତା’ପାଦ ଧରିଲି ଯାଇ।
କହିଲି ହେ ପ୍ରିୟେ ତୁମ ଶିକ୍ଷା ଦୀକ୍ଷା
       ସମାଜକୁ ଦିଅ ନାହିଁ,
ପ୍ଲିଜ୍ ଦାଣ୍ଡେ ଆଉ ଆମ ଇଜ୍ଜତକୁ
       ନିଲାମ ତୁ କର ନାହିଁ।
ପରମେଶ୍ବର ଏ ପତି ଦେବତାଟି
        ହଜ୍‌ବ୍ଯାଣ୍ଡ୍‌ ଆଜି ହୋଇ,
ଏଭଳି ଅବସ୍ଥା ଭୋଗୁଅଛି ଆଜି
         ମୂର୍ଖ ଅପର୍ତ୍ତି କହ‌ଇ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

Related posts

ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଜିଲ୍ଲା ସ୍ତରୀୟ ବିଜୁଳି ମହୋତ୍ସବ

Sunil Chandra Nayak

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ଜୁନାଗଡ଼ ବିଧାୟକ

Sunil Chandra Nayak

ଜୁନାଗଡ – ବାହାଘର ପ୍ରୋସେସନ ସାରି ଫେରୁଥିବା ବେଳେ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ, ୧୦ କଳାକାର ଆହତ

Sunil Chandra Nayak

Leave a Comment

error: Content is protected !!