ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଶରତ ସହିତ, କାଶତଣ୍ଡି ମିତ

 ଶରତ ସହିତ, କାଶତଣ୍ଡି ମିତ

ଜୟ କୁମାର ମିଶ୍ର

ଆସିଛି ଶରତ, କାଶତଣ୍ଡି ମିତ 
ଚାରୁ ଚିତ୍ର ଶୋଭା ରାଶି, 
ଆଖି ଯାଏ ଲାଖି, ଅନୁକ୍ଷଣେ ଦେଖି 
ସଭିଙ୍କୁ ସେ ଦିଏ ତୋଷି ll
ଫୁଲ କାଶତଣ୍ଡି, ଶୋଭାରେ ବିମଣ୍ଡି 
ସଜାଇ ରହିଛି ସେହି,  
ପ୍ରକୁତିର ରୂପ, ବିଚିତ୍ର ସ୍ୱରୂପ 
ଜନ ମନ ନିଏ ମୋହି ll
ମଥାକୁ ଦୋଳାଇ, ସ୍ୱାଗତିକା ଗାଇ 
ସମୀର ସାଥିରେ ଖେଳେ, 
ସୁଶାନ୍ତ ମଳୟ, ମଥା ଛୁଇଁ ଲୟ 
କରଇ ଆଲ୍ହାଦ ବଳେ ll
କୋମଳ ଡଉଲ, ଶିଶୁଟିର ଗେଲ 
ସରିସମ ଲଭୁ ଥାଏ, 
କିଏ କରେ କୋଳ , କିଏ ହୁଏ ଭୋଳ
ତା ଗଣ୍ଡେ ଚୁମ୍ବନ ଦିଏ ll
ହୋଇ ଆନମନା, କେହି କରେ ଘେନା 
କେତେ ଯେ ଯତନ ଭରି, 
ରଖଇ ସାଇତି, ସରାଗରେ ପ୍ରୀତି 
ଦିଏ ଦେଖି ରୂପ ମାଧୁରୀ ll
ଧବଳ କୋମଳ, ଅତି ସୁମଞ୍ଜୁଳ
ଶରୀର ଗଠନ ଶୋଭା,  
ଶରତ କାଳରେ,ଫୁଟିଉଠେ ବାରେ 
ଦେଇ ଅନୁପମ ଆଭା ll
ପଙ୍କରୁ ପଙ୍କଜ, ଚମକାଇ ତେଜ 
ଚିତ୍ତ ଚାଞ୍ଚଲ୍ୟଟି କରେ, 
ପ୍ରକୁତିର ଦାନ, ତାର ଅବଦାନ 
ବିଧାତା ବିହିଛି ବାରେ ll
ଘାସର ଗର୍ଭରୁ, ସୁମନ ସେ ଚାରୁ 
କାଶତଣ୍ଡି ହୋଇ ଜାତ, 
ଶୋଭାକୁ ଖଞ୍ଜଇ, ସଭିଙ୍କୁ ରଞ୍ଜଇ 
କିଣି ଜିଣି ନିଏ ଚିତ୍ତ ll
ଦୂର ବାଟୋଇର, ସେଇ ମନ ଚୋର 
ସୁଷମା କୁସୁମ ସେହି 
ଯେତେବା ଦେଖିଲେ,ଅପଲକ ତୁଲେ 
ଦଣ୍ଡେ ରହି ଯାଏ ଚାହିଁ ll
କେତେ ଯେ ଭାବନା,କେତେ ଯେ କଳ୍ପନା 
ହୁଏ ସବୁ ଏକାକାର, 
କିଏ ନିଏ ଛବି ମୋବାଇଲ ଦାବି 
କରେ ସଂଯୋଜନା ତାର ll
ବହିରେ କେ ଛାପେ, କେତେ କଥା ଗପେ 
କବି, ଭାବୁକଟି ଲେଖେ, 
ହିଡ଼ ବାଡ଼, ନଈ, ସରହଦ ଡ଼େଇଁ 
ଜଗତ ତାହାକୁ ଦେଖେ ll
ନଦୀ କୂଳ ଜଳ, ଧୀର ପରିମଳ 
ଚଳ ଚଞ୍ଚଳର ଜଳ, 
ଅମ୍ବର ସୁନୀଳ ଶୁଷ୍କମେଘ ମାଳ 
ଦୁଃଖ ନିଏ କରି କୋଳ ll
ନାନାଜାତି ପକ୍ଷୀ, ପନ୍ଥୀପନ୍ଥୀ ସାକ୍ଷୀ 
ବିହଙ୍ଗମ କଲା କାଳେ, 
ଶରତ ଆକାଶ, ବିଚିତ୍ରତା ବେଶ
ସାଇତା ସ୍ମୃତିର ତଳେ ll
ସବୁଜିମା କ୍ଷେତ, ବିଚିତ୍ର ସେ ଚିତ୍ର 
ହିଡ଼ ବାଡେ କାଶ ତଣ୍ଡି, 
ଅପରୂପ ସ୍ଥିତି, ଲାଖି ରୁହେ ମତି 
କ୍ଲାନ୍ତ ଅବସାଦ ଖଣ୍ଡି ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206

 

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଆଡ଼ପ ବିଜେ

ଠିକା କମ୍ପାନୀ ଜେ ଏମ ସି କାମ ରେ ଜନତା ହଇରାଣ ,ବାଟରେ ଅଟକୁଛି ଆମ୍ବୁଲାନ୍ସ

Sunil Chandra Nayak

ଆନନ୍ଦପୁର – ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ

Leave a Comment

error: Content is protected !!