ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ନାମରେ ନାହିଁ ତ କାମ

   ନାମରେ ନାହିଁ ତ କାମ

          ଅପର୍ତ୍ତି ସେଠୀ

             (ରମ୍ୟ ରଚନା)
‘ଅମର’ବୋଲିକି ନାମଟିଏ ଦେଲେ
       କେବେ କି ସେ ମରେ ନାହିଁ,
ନା,ନାଁହୋଇଥିଲେ’ମୃତ୍ଯୁଞ୍ଜୟ’ପଛେ
        ହୁଏ କି ସେ ମୃତ୍ଯୁଞ୍ଜୟୀ?
ଅଢେଇଶ ମାଂସ ନଥାଉ ଦେହରେ
         ନାଁ ଟି ତାହାର ଭୀମ,
‘ରାବଣ’ର ଗୁଣ ଯାହାଠି‌ ରହିଛି
        ତା’ ନାଆଁ ପୁଣି ରାମ।
ନାଆଁ ‘ଆର୍ତ୍ତତ୍ରାଣ’ବଡ ସ୍ଵାର୍ଥୀ ଜାଣ
       କାହା ଦୁଃଖ ଶୁଣେ ନାହିଁ,
‘ଦୀନବନ୍ଧୁ’ ନାଆଁ ପାଇଛି ନିର୍ଗେନ୍ଧା
       ‘ଭକ୍ତ’ ଭକ୍ତି ଜାଣେ ନାହିଁ।
ନାଆଁଟି ତାହାର ‘ସତ୍ଯବ୍ରତ’ସିନା
       ସର୍ବଦା ମିଛ ସେ କହେ,
‘ସୁଶାନ୍ତ’ ବୋଲିକି ନାମଟି ତ ଯିଏ
       ସବୁଠାରୁ ଦୁଷ୍ଟ ସିଏ।
କିଏ ଦେଲା ତାର ନାଆଁଟି’ଗଣେଶ’
       ଜନମରୁ‌ ଗଜ ମୂର୍ଖ,
ଅନ୍ତରପାନ୍ତର ନୀତିଟି ଯେ ଜାଣେ
       ନାମଟି ତା’ର ‘ବିବେକ’।
‘କାଙ୍ଗାଳୀ’ର ଏଠି ପାଞ୍ଚତାଲା କୋଠା
        ‘ନରେନ୍ଦ୍ର’ ମାଗୁଛି ଭିକ,
କାଳିଆ ଭୁଷୁଣ୍ଡା ବାନ୍ଦର‌ ମୁହାଁଟି
        ନାଆଁ ପାଇଛି ‘କାର୍ତ୍ତିକ’।
ଜୀବନରେ ଯିଏ ଦାନ କରିନାହିଁ
        ନାଆଁ ତାର ‘ହରିଶ୍ଚନ୍ଦ୍ର’,
ଯେ ନିତି କରୁଛି ଚୋରୀ ଡକାୟତି
        ନାଆଁଟି ତା’ର ‘ଯୋଗୀନ୍ଦ୍ର’।
ଧରମ ଆଦରି’ଦୁର୍ଯ୍ଯୋଧନ’ ଚାଲେ
        ‘ଯୁଧିଷ୍ଠିର’ ଅହଂକାରୀ,
ମାଇଚିଆ‌ ନାଆଁ ‘ଅର୍ଜ୍ଜୁନ’ଟି ପୁଣି
        ‘ପ୍ରତାପ’ ଡରୁଆ ଭାରି।
‘ବିଜୟ’ ନାଆଁର ବ୍ଯକ୍ତିଟିଏ ଯିଏ
         ସବୁବେଳେ କିନ୍ତୁ ହାରେ,
‘ଅଭୟ’ ନାଆଁଟି ପାଇଲେ କି ହେବ
        ଭୟେ ଭୟେ ସିଏ ମରେ।
ନାଆଁଟିଏ ସିନା ‘ପ୍ରଫୁଲ୍ଲ’ ପାଇଛି
        ମୁହଁ ତା’ ଅଣଶୁଦ୍ଧିଆ‌,
‘କୁଳମଣି’ ପୁଣି କୁଳ ବୁଡ‌ଉଛି
        ‘ରାଘବ’ ଯେ ଅଳସୁଆ।
ଚାଷ ଜାଣେ ନାହିଁ ‘ହଳଧର’ ପୁଣି
        ବିଚ୍ଛା‌ ଦେଖି ଡରେ ଶିବ,
‘ବିରାଟ’ ନାଆଁଟି ପାଇଲେ କି ହେବ
        ଉଚ୍ଚା ଦେଢ଼ ଫୁଟ ହେବ।
ଜନମରୁ‌ ଅନ୍ଧ ନାମ ‘ନେତ୍ରାନନ୍ଦ’  
       ଛୋଟା ନାଆଁ ‘ଶ୍ରୀଚରଣ’
‘ସୁଭାଷ’ ପାଟିରେ ମିଠା ଭାଷା ନାହିଁ
       ‘ଦୟା’ଟି ନିର୍ଦ୍ଦୟ ଜାଣ।
‘ନଳ’ ନାମଧାରୀ‌ ବ୍ୟକ୍ତି ଘାସକଟା
       ‘କରୁଣାକର’ ନିଷ୍ଠୁର,
‘ସୁନାକର’ ସୁନା ଜୀବନେ ଦେଖିନି
        ଧ‌ଇଁଆ ନାଆଁଟି ‘ବୀର’।
‘ସୀତା’ ନୁହେଁ ସତୀ ‘ଗୀତା’ ଅପବିତ୍ର
        ‘ଲକ୍ଷ୍ମୀ’ ପୁଣି ହାଣ୍ଡି ଖାଇ,
‘ଆରାଧନା’ ପୁଣି ପୂଜା ଜାଣେ ନାହିଁ
         ‘ସରସ୍ଵତୀ’ ମୂର୍ଖ ତହିଁ।
ନାଆଁ ସିନା ‘ଦୁର୍ଗା’ ବିଲେଇକି ଡରେ
         ‘କାମିନୀ’ ମୁହଁରେ ନିଆଁ,
‘ସାବିତ୍ରୀ’ ନାଆଁଟି ପାଇଛି ସେ କିନ୍ତୁ
         ଖୋଜେ ସ୍ଵାମୀ ନୂଆନୂଆ।
‘ଶାନ୍ତି’ କି’ବାସନ୍ତୀ’ ଅବା’ପ୍ରୀୟା’ପ୍ରୀତି’
         ନାଆଁରେ କି ଆସେ ଯାଏ,
ଭଲକର୍ମ କଲେ କରମ ପଛରେ 
         ନାମ ତାର ଜୋଡିହୁଏ।
ନାଆଁରସାର୍ଥକ ସେତେବେଳେ ରୁହେ
         ଇତିହାସେ ସ୍ମୃତି ‌ହୋଇ,
ଯେତେବେଳେଗାନ୍ଧୀ ଗୋପବନ୍ଧୁ ଭଳି
         କର୍ମ କରିଥିବ ଭାଇ।
କୁକର୍ମ କରିଲେ କଂସ, ଦୁର୍ଯ୍ୟୋଧନ
         ଉପାଧି ନିଶ୍ଚେ ମିଳିବ,
ମୋ ନାଁଟି ଯାହା ମୋ କର୍ମଟି ତାହା
         ଚାତୁରୀ କି ରହିଥିବ?
ନାମ ବାଚକ‌ ଏ ଶବ୍ଦଗୁଡା ଏଠି
         ନିଜ ପରିଚୟ ପାଇଁ,
ବଞ୍ଚିଅଛି ଏଠି ଏ ମୂର୍ଖ ଅପର୍ତ୍ତି
         କର୍ମକୁ ପ୍ରାଧାନ୍ୟ ଦେଇ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

    

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ , ଧର୍ମଗଡ ବ୍ଲକ ର ସାଂଗଠାନିକ ନିର୍ବାଚନ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା ଦୀପାବଳି

Sunil Chandra Nayak

ସମରେନ୍ଦ୍ର ନାୟକ ଙ୍କ କବିତା ଚନ୍ଦ୍ରାନନୀ

Sunil Chandra Nayak

Leave a Comment

error: Content is protected !!