ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା କାମନା

     କାମନା 

     ବେଣୁଧର ସୂତାର 

ସମୟର ଅଙ୍କେ ଜୀବନ ପରିଧି
ଭବ ତରଙ୍ଗ ର ସ୍ରୋତେ
ଆଶାମଞ୍ଜରୀର ରୋମାଞ୍ଚିତ ତୃଷ୍ଣା
ବିମୋହିତ ମୟା ଭୂତେ ।।
ପ୍ରଲମ୍ବିତ ପଥେ ଆସକ୍ତିର ମୋହ
ପରିବ୍ୟାପ୍ତ ଅଭିଳାଷ
କାମନାରବିଷ ନେପଥ୍ୟରେ ହରେ
ମଣିଷ ଓଠର ହସ ।।
ଜୀବନ ସରଣୀ ଦୁଃଖର ବିପଣି
ଉପଚୟୀ କର୍ମ ବିନା
ପରାହତ ହୁଏ ସୁଖର ଆୟୁଷ
ଭାଗ୍ୟ ରଚେ ବିଡମ୍ବନା ।।         
କାମକାମନାର ମୋହିତ ମାୟାରେ
ଅତୃପ୍ତିର ଅବସୋସ
ଭ୍ରମିତ ମାନସେ କୁକର୍ମେ ରଚଇ
କଳଙ୍କିତ ଇତିହାସ ।।
ଶତ କାମନାର ଉତ୍କଟ ଉତ୍କଣ୍ଠା
ଜୀବନର ପ୍ରତି କ୍ଷଣେ
କୁତ୍ସିତ କର୍ମର ମଦିରା ମାଦକେ
ବିଷକୁ ଅମୃତ ମଣେ ।।
ଅମିତ କାମନା ବିଷମୟ ସିନା
ଏଜୀବନ ଅନ୍ତରାଳେ
ବିଡମ୍ବିତ ଭାଗ୍ୟେ ନରକ ଯନ୍ତ୍ରଣା
ବ୍ୟର୍ଥ ଏ ମାନସ ତଳେ ।।
ସୁଖ ଫରିଯାଏ ଆପଣା ବାଟରେ
ଅଧାବାଟେ ହାତ ଛାଡି
ଦୁଃଖ ରହିଥାଏ ମରଣ ପର୍ଯ୍ୟନ୍ତ
ଲୋତକ ସହିତ ଜଡି ।।
ବିଶ୍ୱାସ ତୁଟଇ ଉଛ୍ବାସ ଉଠଇ
ବୟସର ଛାତି ଚିରି
ଅଶାନ୍ତ ଅନଳେ ତିଳ ତିଳ ଜଳେ
ମରଣକୁ ଡରି ଡରି ।।
କାମନାମଦିରା ମୋହିନୀ ନିଶାରେ
ମାୟା ମୋହେ ପ୍ରବର୍ତ୍ତିଲୁ
କାମିନୀ କାଞ୍ଚନ କୁହୁକ ସ୍ବପ୍ନରେ
ଅସାରକୁ ସାର କଲୁ ।।
କାମନା ଭରାଏ ଜୀବନ ଭୋଗଇ
ଅମିତ ଯନ୍ତ୍ରଣା ଦାହ
ବେଳ ଥାଉଁଥାଉଁ ତେଜରେ ମାନସ
ସର୍ବଗ୍ରାସୀ ମାୟା ମୋହ ।।

କେଶଦୁରାପାଳ , କେନ୍ଦୁଝର

Related posts

ବିଭିନ୍ନ ଦାବୀ କୁ ଅଣଦେଖା: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ତିନି ସଂଗଠନ ତରଫରୁ ଗଣ ଧାରଣା ନୋଟିସ

Sunil Chandra Nayak

କଲମପୁର ବ୍ଳକ-କିରୋସିନ ଯୋଗାଣ ରେ ଦୁର୍ନୀତି ର ଗନ୍ଧ

ଶ୍ରୀ ବିଦ୍ୟାଧରମହାନ୍ତ ଙ୍କ କବିତା ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!