ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା ଆସ ମା ଅବତରୀ

ଆସ ମା ଅବତରୀ

ରାଗ, ବଙ୍ଗଳା ଶ୍ରୀ.

ପ୍ରତିମା ଶତପଥି

ଆସ ଆସ ମାଆ ଅବତରୀ ତୁମେ
        ଡାକୁଅଛନ୍ତି ଭକତ
ଶୁଭ୍ର କାଶତଣ୍ଡୀ ଚାମର ହଲାଇ
       କରୁଅଛି ସୁ ସ୍ୱାଗତ.
ଫୁଲର ବଗିଚା ସଜାଇ ଧରଣୀ 
        ଚାହିଁ ରହିଛି ତୁମକୁ
ସରସୀ ର ଜଳ ଦିଶେ ସୁନିର୍ମଳ
       ତୁମ ପାଦ ଧୋଇବାକୁ.
ଗଙ୍ଗ ଶିଉଳି, ଓ ଯାଇ, ଜୁଇ, ହେନା
        ସେବତୀ ଓ ଗେଣ୍ଡୁଫୁଲ
ତୁମ ପୂଜାପାଇଁ ରଖନ୍ତି ସଜାଇ
      ମନ ଖୁସିରେ ସକଳ.
ସିଂହ ବାହନରେ ମର୍ତ୍ତ୍ୟକୁ ଓହ୍ଲାଇ
    ଆସ ମା କରୁଣା ମୟୀ
ତୁମ ଆଗମନେ ହସିବ ଧରଣୀ 
      ଆନନ୍ଦେ ସଜାଇ ହୋଇ.
ତୁମର ମୃଣ୍ମୟୀ ମୂର୍ତ୍ତିର ପାଶେ ମା
      ଉଜ୍ଜଳ ଆଲୋକ ସଜ୍ଜା
ବ୍ରାହ୍ମଣ ମାନଙ୍କ ମନ୍ତ୍ର ଉଚ୍ଚାରଣ
      ଶଙ୍ଖ, ଘଣ୍ଟ, ସହ ବାଜା.
ଷୋଡଶ ଉପଚାରରେ ପୂଜା ଵିଧି
       ନବ ଦିନ ଚାଲିଥିବ
ପୂଜା ମଣ୍ଡପ ପାଖରେ ନାନାବିଧ
      ନୈବେଦ୍ୟ ଯେ ହେଉଥିବ.
ବରଷକେ ଥରେ ଆଶ୍ୱିନ ମାସରେ
        ଓହ୍ଲାଅ ମା ପୂଜା ପାଇଁ
ତୁମ ପୂଜା ଲାଗି ଆନନ୍ଦ ମନରେ 
      ସମସ୍ତେ ଥାନ୍ତି ଅନାଇ 
ଶୁଦ୍ଧ ପୂତ ହୋଇ ତୁମ ପୂଜାପାଇଁ
       ଘର ଦ୍ୱାର ପରିଷ୍କାର
ନାନା ବର୍ଣ୍ଣ ରଙ୍ଗ ମୁରୁଜ ପକାଇ
     କାଟିଥାଆନ୍ତି ମଣ୍ଡଳ.
ଦ୍ୱାପର ଯୁଗରେ ହର ଗୌରୀ ପୂଜି
      କୃଷ୍ଣ ଙ୍କୁ ପାଇଲେ ଗୋପୀ 
କୁମାରୀ କନ୍ୟାଏ ହରଗୌରୀ ପୂଜା
        ସେଥିପାଇଁ କରିଥାନ୍ତି.
ମହିଷା ମର୍ଦ୍ଦିନୀ, ଦୁର୍ଗତି ନାଶିନୀ
        ମହାମାୟାଆଦି ଶକ୍ତି 
ଦୁଷ୍ଟ ନାଶି ସନ୍ଥ ପାଳନ କରୁ ମା
       ଜଗତେ ରହିଛି କୀର୍ତ୍ତି.
ଏ କଳି ଯୁଗରେ ନର ରୂପେ. ମାଗୋ
        ମହିଷା ରୂପୀ ଅସୁର
ଦିନ ଦ୍ବିପ୍ରହରେ ଝିଅଙ୍କୁ କରନ୍ତି 
      ଅଶାଳୀନ ବ୍ୟବହାର.
ଧରି ଖଡ୍ଗ କାତି ମାଗୋ ଜଗଦ୍ଧାତ୍ରୀ
      ଦିଅ ତାଙ୍କୁ ଶୁଭ ବୁଦ୍ଧି
ସମ୍ମାନ ଦିଅନ୍ତୁ ନାରୀ ମାନଙ୍କୁ ସେ
      ଜଗତ ହେବ ସମୃଦ୍ଧି.

ଜିଲ୍ଲା,, ଯାଜପୁର..

Related posts

ସାହିତ୍ୟ ଅଗଣା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ଗୋଳାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକସାଂଗଠନିକ ବୈଠକ 

Leave a Comment

error: Content is protected !!