ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର  ଙ୍କ କବିତା ମାଆଙ୍କୁ ମାଗୁଣି

 ମାଆଙ୍କୁ ମାଗୁଣି

ଜୟ କୁମାର ମିଶ୍ର 

କଲ୍ୟାଣ ମୟୀ, ମଙ୍ଗଳ ମୟୀ 
ଜଗତ ମାଆ ତୁହି, 
ଚାହିଁଛି ବାଟ, ହୋଇ ଉଚ୍ଚାଟ
ଦରଶନର ପାଇଁ ll
ପାପ ନାଶିନୀ, ମାଆ ଜନନୀ 
ଦଶ ଭୁଜାଗୋ ତୁହି, 
ପାପ ସଂହାରି,ରଖ ଗଉରୀ 
ଜଣାଣ କରେ ମୁହିଁ ll
ନର ରାକ୍ଷlସ, ମଦିରା ରସ 
ପିଇ ମାତାଲ ହୋଇ, 
ଅସହ୍ୟ ଦୁଃଖ, ଦିଅଇ ଶୋକ 
ନିରୀହ ହୁଏ ବାଇ ll
କ୍ଷମତା ଧାରୀ, ହୋଇ ବେମାରୀ 
ହିତାହିତକୁ ଭୁଲେ, 
ଧରାକୁ ସରା, ମଣଇ ପରା 
ଅମା ଅଜ୍ଞାନ ତୁଲେ ll
ଝିଅ ବୋହୂଙ୍କ, ଅକୁହା ଦୁଃଖ 
ଦଇତ୍ୟ ଭାବ ପରେ, 
ଘେନେ ଇଜ୍ଜତ, ଘେନେ ମହତ 
କଳଙ୍କ, ନିନ୍ଦା ଶିରେ ll
ପ୍ରକୃତି ହୁଏ, ବିକୃତି ଆଜି 
ଧନ ସର୍ବସ୍ୱ ମନ, 
ମଦ ମତ୍ତରେ, ହେୟ ଭାବରେ 
ମାତନ୍ତି ମୂଢ଼ ଜନ ll
ମହିଷା ମାରି, ଜଗତ ତାରି 
ମହିଷା ମର୍ଦ୍ଧିନୀ ହେଲ
ଆଜିର ଦିନେ, ମହିଷା ଜନେ 
କରନ୍ତି କଲଵଲ ll
ଗୁରୁ ଗଉରବ, ସମ୍ମାନ ଭାବ
ଅପସରି ସେ ଯାଏ, 
ଅହଂକାରରେ, ବିଷ ଉଦଗାରେ 
ଉଦଣ୍ଡ ସୀମା ଡିଏଁ ll
ହୁଏ ଅସହ୍ୟ, କୋକୁଆ ଭୟ 
କାଳ କୀଙ୍କର ସବୁ, 
ନିଇତି ଡରି, ଭୟରେ ଥରି 
ଡାକନ୍ତି ପ୍ରଭୁ ପ୍ରଭୁ ll
ସ୍ୱାଧୀନ ହଜେ, ସୁଖ ବି ହଜେ 
ହଜେ ମୁଲକ, ଶିରୀ, 
ନର ରାକ୍ଷସ, ଭୁଂଜି, ସର୍ବସ୍ୱ 
ମାରଇ ବାହାଦୂରୀ ll
ମାଆ ମଙ୍ଗଳା, ମାଆ ଶାରଳା 
ସ୍ନେହ ବଛଳା ତୁହି, 
ତୋ ସ୍ନେହ ଦେଇ, ରଖ ଗୋ ତୁହି 
ଧରମରେ ଏ ମହୀ ll
କରେ ଗୁହାରୀ, ଆଗୋ ଗଉରୀ 
ଭଗବତୀ ତୋ ନାଆ, 
କଟକ ଚଣ୍ଡି,ତୋ ପlଦେ ବନ୍ଦୀ 
ଶରଣ ଗଲି ଯାହା ll
ଆଗୋ ଶୀତଳା, ମାଆ ଚଞ୍ଚଳା
ଶାରଳା ନାମ ତୋର, 
କରେ ମିନତୀ, କରି ଭକତି 
ଦିଅ କରୁଣା, ବର ll
ସଦବୁଦ୍ଧି ଦିଅ, ଦୁର୍ବୁଦ୍ଧି ନିଅ 
ଦିଅ ଗୋ ସୁଖ, ଶାନ୍ତି, 
ଭାତୃ ଭାବନା, ସମ୍ପର୍କ ଦାନା 
ରଖ ଗୋ ମାତ ନିତି ll
ଯୁଦ୍ଧ ପ୍ରଳୟ, କର ମା କ୍ଷୟ 
ଦେଉଛି ବଡ଼ ଭୟ, 
ହୋଇବୁ ସାହା, ଦେଖାଇ ରାହା 
ମାଗୁଣି କରେ ଜୟ ll
ଜୟ କୁମାର ମିଶ୍ର, ଗ୍ରାମ -ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206

Related posts

ଜୁନାଗଡ଼କୁ ଜିଲ୍ଲା ଦାବୀରେ  ପୁଣିଥରେ ଜୁନାଗଡ଼ ବାସୀ, ସଂଗ୍ରାମ ପାଇଁ ସଜବାଜ

Sunil Chandra Nayak

ବ୍ଲକ ସ୍ତରୀୟ ପ୍ରାଥମିକ କୃଷି ସମବାୟ ସମିତି କମିଟି ଗଠନ

Sunil Chandra Nayak

ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ ରେ ପାଣି ଛାଡ଼ିବା କୁ ଦାବୀ କଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!