ଭବାନୀପାଟଣା: ତା ୭.୧୦.୨୦୨୨:(ମ ନି ସ) ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଧର୍ମଗଡ ବିଧାୟକ ଶ୍ରୀ ମୌଶଧି ବାଗ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲାପରିଷଦ ଶ୍ରୀ ସଚିନ ପାୱାର ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ରେ ଜନପ୍ରିତିନିଧି ରୂପେ ଭବାନୀପାଟଣା,ଧର୍ମଗଡ,ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଏବଂ କାମଠନା , ପିଲକିଆ ଓ ସରୀୟା ସରପଞ୍ଚ ଯୋଗ ଦେଇଥିଲେ। ବୈଠକରେ ସାଂସଦ ଶ୍ରୀ ପଣ୍ଡା ଙ୍କ ଦ୍ଵାରା କେନ୍ଦ୍ରୀୟ ସ୍କିମ୍ ମନରେଗା, ଦିନ ଦୟାଲ ଅନ୍ତୋଦୟ ଯୋଜନା, ଗ୍ରାମୀଣ କୌଶଳ ଯୋଜନା , ଏନ୍ ଏସ୍ ଏ ପି, ପି ଏମ ଜି ଏସ୍ ୱାଇ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା,ସ୍ୱଚ୍ଛ ଭାରତ ମିଶନ,ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଜନା,ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା,ଦିନ ଦୟାଲ ଗ୍ରାମ୍ୟ ଜ୍ୟୋତି,ଫସଲ ବୀମା ଯୋଜନା, ଏନ୍ ଏଚ ଏମ,ସର୍ବ ଶିକ୍ଷା ଅଭିଯାନ,ଆଇ ସି ଡି ଏସ,ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଉଜ୍ଜ୍ୱଲା ଯୋଜନା,କୃଷି ସ୍ବାସ୍ଥ୍ୟ କାର୍ଡ, ଟେଲିକମ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ଏହି କେନ୍ଦ୍ରୀୟ ସ୍କିମ ଦ୍ଵାରା ଲାଭ ପାଉଥିବା ହିତାଧିକାରୀ, ସ୍କିମର ଅଗ୍ରଗତି,ସଫଳତା,ବିଫଳତା ଉପରେ ସମୀକ୍ଷା କରିଥିଲେ ।ପ୍ରଥମେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏହି ସ୍କିମ ର ଲାଭ ଯେପରି ପ୍ରତ୍ୟେକ ଉପଯୁକ୍ତ ହିତାଧିକାରୀ ପାଇପାରିବେ ତାହା ନିଶ୍ଚିତ କରିବାକୁ ଆହ୍ବାନ କରିଥିଲେ ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ କାର୍ଯ୍ୟ କ୍ଷେତ୍ରରେ ଅଧିକାରୀଗଣ ଗରିବକଲ୍ୟାଣ କୁ ବ୍ରତ କରି ଜିଲ୍ଲା ସାମଗ୍ରିକ ବିକାଶରେ ସହାୟକ ହେବାକୁ ନିବେଦନ କରିଥିଲେ। ସାଂସଦ ଶ୍ରୀ ବସନ୍ତ ପଣ୍ଡା ବିଭାଗୀୟ ଅଧିକାରୀଙ୍କ ସୁଗୁଣ ,କାର୍ଯ୍ୟନିଷ୍ଠା ଓ ବାରମ୍ବାର ତଦାରଖ ଉପରେ ଏହି କେନ୍ଦ୍ରିୟ ସ୍କିମ୍ ର ସଫଳତା ନିର୍ଭର କରେ ବୋଲି କହିଥିଲେ।ଜିଲ୍ଲା ରେ ୧.୧୦.୨୦୨୨ ସୁଦ୍ଧା ମନରେଗା ଯୋଜନାରେ ୧୫୯୨୪ କାର୍ଯ୍ୟ ଆରମ୍ଭ ହୋଇ ୬୪୦୪ ଟି ସମ୍ପୂର୍ଣ ହୋଇଯାଇଛି।ସେଥିରେ ୧୦୯୬୭୨ ପରିବାର ଙ୍କୁ କାମ ମିଳିଥିବା ବେଳେ ୫୧୪୬ ପରିବାର ୧୦୦ ଦିନର କାର୍ଯ୍ୟ ପାଇଛନ୍ତି । ମନରେଗା ଯୋଜନାରେ ଯେଭଳି ଅଧିକ ରୁ ଅଧିକ ଲୋକ କାମ ପାଇବେ ଓ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ସଂପୃକ୍ତ ଅଧିକାରୀଙ୍କୁ ସାଂସଦ କହିଥିଲେ।ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ନୟାଗଡ ଜିଲ୍ଲାରେ କିଭଳି ମନରେଗା ଯୋଜନାକୁ ବିନିଯୋଗ କରି ପଞ୍ଚାୟତ ସ୍ତରରେ ପାର୍କ, ଶ୍ମଶାନ, ପୋଖରୀ ପୁନରୁଦ୍ଧାର, ମିନି ଷ୍ଟାଡିୟମ୍ ,କଲ୍ୟାଣମଣ୍ଡପ,ରାସ୍ତା ର ନିର୍ମାଣ କରାଯାଇଛି ତାହାର ଉଦାହରଣ ଆମ ଜିଲ୍ଲାରେ ସୃଷ୍ଟି କରିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଉ ଏବଂ ଗ୍ରାମ୍ୟ ସ୍ତରରେ ବିକାଶକୁ ତ୍ବରାନ୍ବିତ କରିବାକୁ କହିଥିଲେ । ଆର୍ ଡି ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଉତ୍ତରରେ ସାଂସଦ ଅସନ୍ତୋଷ ପ୍ରକାଶ କରି ଯନ୍ତ୍ରୀଙ୍କୁ କେବଳ ଜେ ଇ ଙ୍କ ପ୍ରସ୍ତୁତ ବିଲ ପାସ ଓ ଠିକାଦାରଙ୍କ ମର୍ଜିରେ ସବୁ କାମ ଛାଡ଼ିବା ପରିବର୍ତ୍ତେ ନିଜେ କ୍ଷେତ୍ର ପରିଦର୍ଶନ କରନ୍ତୁ ବୋଲି କହିଥିଲେ ।ଜୁନାଗଡ ବିଧାୟକ କ୍ୟାପଟେନ ମିଶ୍ର ଯେଉଁ ଗ୍ରାମକୁ ଆର୍ ଡି ରାସ୍ତାର ଆବଶ୍ୟକ ରହୁଛି ଏବଂ ଏହା ଆଜି ପର୍ଯ୍ୟନ୍ତ ପ୍ରସ୍ତାବ ରେ ଦିଆଯାଇନାହିଁ ତାହାକୁ ଗୁରୁତ୍ଵ ଦିଆଯାଉ ଏବଂ ଗ୍ରାମ୍ୟସ୍ତରରେ ସଂଯୋଗି ରାସ୍ତାକୁ ମଧ୍ୟ ସାମିଲ କରି ଜିଲ୍ଲାପାଳଙ୍କ ମାଧ୍ୟମରେ ଅନୁମୋଦନ ପାଇଁ ଉଚ୍ଚ କତୃପକ୍ଷଙ୍କୁ ପ୍ରେରଣ କରିବାକୁ କହିଥିଲେ। କେଜୁଆଲ ଟ୍ରାକ୍ଟର ମୁଖ୍ୟ ରାସ୍ତାରେ ଯିବାଯୋଗୁ କୋଟି କୋଟି ଟଙ୍କାର ରାସ୍ତା ଶୀଘ୍ର ଖରାପ ହେଉଛି, ରକ୍ଷଣା ବେକ୍ଷଣ ଦାୟିତ୍ଵ ବଢୁଛି ଏବଂ ଦୁର୍ଘଟଣା ମଧ୍ୟ ହେଉଛି ଏଣୁ ଏହାକୁ ରୋକିବାକୁ ଜିଲ୍ଲାପାଳଙ୍କ ଜରିଆରେ ଥାନା ମାନଙ୍କୁ ନିର୍ଦ୍ଦେଶ ଦେବାକୁ ବିଧାୟକ କ୍ୟାପଟେନ ମିଶ୍ର କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ସ୍କିମ୍ ରେ ୨୯.୯.୨୦୨୨ ସୁଦ୍ଧା ଭବାନୀପାଟଣା ସହର ରେ ୯୯୨ ଟି,ଧର୍ମଗଡ ଏନ୍ ଏ ସି ରେ ୬୧୦ ଟି,କେସିଙ୍ଗା ରେ ୬୫୪ ଟି ଜୁନାଗଡ ଏନ୍ ଏ ସି ରେ ୩୨୫ ଟି ଏଭଳି ୨୫୮୧ ଟି ଘର ଯୋଗାଇ ଦିଆଯାଇଛି । ଗ୍ରାମ୍ୟ ସ୍ତରରେ ୨୦୧୬-୧୭ ରୁ ୨୦୨୦-୨୧ ପର୍ଯ୍ୟନ୍ତ ୯୦୬୨୮ ଜଣଙ୍କୁ ଯୋଗାଇ ଦିଆଯାଇ ଲକ୍ଷ୍ୟର ୮୮.୮୮% ହାସଲ ହୋଇଛି।ମଧୁବାବୁ ପେନସନ ଯୋଜନାରେ ୧,୧୭,୧୧୫ ଜଣଙ୍କୁ ଏବଂ ଏନ୍ ଏସ୍ ଏ ପି ଯୋଜନାରେ ୮୦୩୯୫ ଜଣଙ୍କୁ ପେନସନ ଭତା ପାଇଛନ୍ତି।ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ସମେତ ସମସ୍ତ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ ।

