ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳିଙ୍ଗ ଷ୍ଟାଡିୟମ୍‌ରେ ଉଦଘାଟିତ ହେଲା ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ୍, ପ୍ରଥମ ଦିନରେ ଆମେରିକା ଠାରୁ ହାରିଲା ଭାରତ

ଦ୍ୱିତୀୟ ଥର ପାଇଁ ଭାରତରେ କୌଣସି ଫିଫା ବିଶ୍ୱକପ୍ ଆୟୋଜିତ
ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମଙ୍ଗଳବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଫିଫା ପକ୍ଷରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଆରମ୍ଭ ହୋଇଛି । ଦ୍ୱିତୀୟ ଥର ପାଇଁ ଭାରତରେ କୌଣସି ଫିଫା ବିଶ୍ୱକପ୍ ଆୟୋଜିତ ହେଉଥିବା ବେଳେ ମଙ୍ଗଳବାର ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ୪ଟା ବେଳେ ମରକ୍କୋ ଓ ବ୍ରାଜିଲ୍ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ମାଧ୍ୟମରେ ବିଶ୍ୱକପ୍ ଆରମ୍ଭ ହୋଇଥିଲା । ତେବେ ଦିନର ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଏହାକୁ ବିଧିବଦ୍ଧ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିଥ୍ ପରମାଣିକ, ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଓ ଫିଫା ମହାସଚିବ ଫାତମା ସମୌରା ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ସହ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ଭାରତୀୟ ଦଳର ଅଧିନାୟିକା ଆସ୍ତାମ୍ ଓରାଓଁ ଓ ଆମେରିକା ଅଧିନାୟିକା ରିଲି ଜ୍ୟାକ୍‌ସନ୍‌ଙ୍କ ସହ ପରିଚିତ ହୋଇ ସେମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭକାମନା ଦେଇଥିଲେ । ପରେ ସେ ଉଭୟ ଦଳର ଖେଳାଳିଙ୍କୁ ମଧ୍ୟ ଭେଟିଥିଲେ । ଷ୍ଟାଡିୟମ୍‌ରେ ଘରୋଇ ଭାରତକୁ ସମର୍ଥନ କରିବା ପାଇଁ ପାଖାପାଖି ସାଢ଼େ ୪ ହଜାର ଦର୍ଶକ ଉପସ୍ଥିତ ଥିଲେ ।

ତେବେ ଉଦଘାଟନୀ ଦିନରେ ଭାରତ ଓ ଆମେରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ଟି ଏକତରଫା ରହିଥିଲା । ଏହି ମ୍ୟାଚ୍‌ରେ ଭାରତଠାରୁ ର‌୍ୟାଙ୍କିଙ୍ଗ୍‌ରେ ଯଥେଷ୍ଟ ଉପରେ ଥିବା ଆମେରିକା ୮ଟି ଗୋଲ୍ କରି ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଏକତରଫା କରିଦେଇଥିଲା । ନବମ ମିନିଟ୍‌ରେ ଗୋଲ୍ ଦେଇ ଆମେରିକାକୁ ଆଗୁଆ କରାଇଥିଲେ ମେଲିନା ଆଞ୍ଜେଲିକା ରେବିମ୍ବାସ୍ । ପରବର୍ତ୍ତୀ ସମୟରେ ସେ ୩୧ତମ ମିନିଟ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍ ମଧ୍ୟ ଦେଇଥିଲେ । ଏହାଛଡ଼ା ପଞ୍ଚଦଶ ମିନିଟ୍‌ରେ ଚାର୍ଲଟ୍ ରୁଥ୍ କୋହଲର୍‌, ୨୩ତମ ମିନିଟ୍‌ରେ ଓନିକା ପାଲେଶମା ଗାମେରୋ, ୩୯ତମ ମିନିଟ୍‌ରେ ଜିସେଲ୍ ଥମ୍ପ୍‌ସନ୍‌, ୫୧ତମ ମିନିଟ୍‌ରେ ଏଲା ମେରୀ ଏମ୍ରି ଗୋଲ୍ ଦେଇଥିଲେ । ସେହିପରି ଆମେରିକାକୁ ଦ୍ୱିତୀୟାର୍ଦ୍ଧ ଖେଳରେ ମ୍ୟାଚ୍‌ର ୫୯ତମ ମିନିଟ୍‌ରେ ପେନାଲ୍‌ଟି ମିଳିଥିଲା, ଯାହାକୁ ଗୋଲ୍‌ରେ ପରିଣତ କରି ଦଳକୁ ୭-୦ରେ ଆଗୁଆ କରାଇଥିଲେ ଟେଲର୍ ମାରି ସୁଆରେଜ୍ । ଦଳ ପକ୍ଷରୁ ଅଷ୍ଟମ ଗୋଲ୍‌ଟି ୬୨ତମ ମିନିଟ୍‌ରେ ମିଆ ଏଲିଜାବେଥ୍ ସ୍କୋର୍ କରିଥିଲେ । ଫଳରେ ଏହି ଏକତରଫା ମ୍ୟାଚ୍‌ଟିକୁ ଆମେରିକା ୮-୦ରେ ଜିତି ନେଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!