ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଠିଯାତ୍ରା ଓ ଲାଖବିନ୍ଧା ସହ ଶେଷ ହେଲା ବୁଢାରଜାଙ୍କ ବାର୍ଷିକ ଦଶରା

କୋକସରା,୧୬/୧୦-(ମ ନି ସ) କଳାହାଣ୍ଡି ଜିଲା କୋକସରା ବ୍ଲକ ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଆମପାଣି ବୁଢାରଜା ଦେବଙ୍କ ବାର୍ଷିକ ଦଶରା ଶନିବାର ବିଳମ୍ବିତ ରାତିରେ ସମାପନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଦଶରା ପୁଜାରେ ବୁଢାରଜା ପୀଠରେ ଶୁକ୍ଲ ଭୋଗ ଓ ପାର୍ଶ୍ବ ଦେବାଦେବୀଙ୍କୁ ରକ୍ତ ଭୋଗ ରେ ସନ୍ତୁଷ୍ଟ କରିଥିଲେ ମାନସିକଧାରୀ ଶ୍ରଦ୍ଧାଲୁ ପୀଠରେ ୨ଟି ଲିଙ୍ଗକୁ ପୁଜା କରାଯାଉଥିବା ବେଳେ ଗୋଟିଏ ଲିଙ୍ଗରେ ଶୁକ୍ଲ ଭୋଗ ତଥା ନଡିଆ,ଧୂପ ଓ ମୁଆଁ ଦେଇ ପୁଜା କରାଯାଇଥିବା ବେଳେ ଅନ୍ୟ ଲିଙ୍ଗରେ ରକ୍ତ ଭୋଗ ଲାଗିହୁଏ। ଭକ୍ତ ମାନେ ମାନସିକ ପୁରଣ ପାଇଁ ଦେଇଥିବା ପଶୁ ପକ୍ଷୀକୁ ବୁଢାରଜାଙ୍କ ଠାରେ ପୁଜା କରି ଜେନାବୁଢା ଦେବତା ନିକଟରେ ବଳି ଦେଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ବୁଢ଼ାରଜା ଦଶରା କେବଳ ଶନିବାର ଦିନ ହୋଇଆସୁଥିବା ବେଳେ ବିଗତ କିଛିବର୍ଷ ଠାରୁ ଶୁକ୍ରବାର ଓ ଶନିବାର ୨ଦିନ ଧରି ଦଶରା ପୁଜା ହେଉଛି ବୋଲି ପୁଜା କମିଟି କମକର୍ତା ପ୍ରକାଶ କରିଛନ୍ତି । ଯାରି ଫଳରେ ଏହି ଦଶରା ପୁଜା ମହୋତ୍ସବରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ସନ୍ଧ୍ୟାରେ ଲାଠିପୂଜା ସହ ଆୟୋଜନ କମିଟି ତରଫରୁ ସ୍ଥାନୀୟ ବୁଢାରଜା ମଞ୍ଚ ରେ ସାଂସ୍କୃତିକ ଆୟୋଜନ କରାଯାଇଥିଲା । ଶବିବାର ଦଶରା ପୁଜାର କାର୍ଯ୍ୟକ୍ରମ ସକାଳୁ ଆରମ୍ଭ ହୋଇଥିଲା। ସକାଳ ୭ ଘଣ୍ଟା ରୁ ବୁଢ଼ାରଜା ଙ୍କ ମନ୍ଦିର ରେ ଭକ୍ତ ମାନେ ଦର୍ଶନ କରିବାସହ ସକାଳ ୧୧ଟା ଗ୍ରାମ ପୂଜକ ଙ୍କ ଘରୁ ବିରାଟ ପଟୁଆରରେ ଲାଠିଯାତ୍ର ଆରମ୍ଭ ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଶୋଭାଯାତ୍ରାରେ ବାହାରି ମୁଖ୍ୟ ବୁଢାରଜା ମନ୍ଦିରକୁ ପହଂଚିଥିଲା । ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ୨୦ରୁ ଉର୍ଦ୍ଧ ଦେବାଦେବୀଙ୍କ ଦେବୀ ଲାଠି,କାଳିଶି ଘୁମୁରା ଓ ଲୋକ କଳାକାର ଙ୍କ ନୃତ୍ୟ ବାଦ୍ୟର ତାଳେ ତାଳେ ଦେବାଦେବୀ ମାନେ ଝୁମି ଝୁମି ନାଚି ଯାଉଥିବା ଦୃଶ୍ୟ ହଜାର ହଜାର ଭକ୍ତ ଓ ଦର୍ଶକକୁ ଆକର୍ଷିତ କରିଥିଲା । ଫଳରେ ପୁଜକ ଘର ଠାରୁ ମନ୍ଦିର ଯାଏଁ ନାହି ନଥିବା ଜନ ଗହଳି ଦେଖିବାକୁ ମିଳିଥିଲା । ମନ୍ଦିରକୁ ପହଂଚିବା ପରେ ଲାଠି ଯାତ୍ରାକୁ ସ୍ୱାଗତ କରି ପାଛୋଟି ନିଆଯାଇଥିଲା । ଲାଠିଯାତ୍ରା ପରିକ୍ରମା ସମୟରେ ବାଟରେ ବାଳିଗଜା ଅର୍ପଣ କରା ଯାଇଥିଲା । ଲାଠିଯାତ୍ରା ବୁଢାରଜା ପୀଠକୁ ପହଂଚିବା ପରେ ଉକ୍ତ ବାଲି ଗଜାକୁ ବୁଢାରଜାଙ୍କ ପୁଜା ସ୍ଥଳରେ ରଖାଯାଇ ପୁଜା କରାଯାଇଥିଲା । ପରେ ପୁଜକ ଫକିର ମୋହନ ପୁଝାରିଙ୍କ ଦ୍ୱାରା ପୁଜାପାଠ ଆରମ୍ଭ ହୋଇଥିଲା । ପୁଜା କାର୍ଯ୍ୟ ଚାଲୁଥିବା ସମୟରେ ବୁଢାରଜା ଦେବଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଥିଲା । ବୁଢାରଜା ପୀଠରେ ଠୁଲ ହୋଇଥିବା ସମସ୍ତ ଦେବାଦେବୀ ଏହି ମଣ୍ଡେଇ ଯାତ୍ରାରେ ସାମିଲ ହୋଇ ବଜାର ପଡିଆ ପରିକ୍ରମା କରିଥିଲେ । ମଣ୍ଡେଇ ଯାତ୍ରା ସମାପନ ହେବା ପରେ ପୁଣି ଥରେ ବୁଢାରଜା ପୀଠକୁ ଦେବାଦେବୀ ମାନେ ଚାଲି ଯାଇଥିଲେ । ପରେ ମନ୍ଦିର ନିକଟରେ ଥିବା ଏକ ଗଛରେ ଜହ୍ନିକୁ ବାନ୍ଧି ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଶହ ଶହ ଯୁବକ ଏହି ଲାଖବିନ୍ଧା କାର୍ଯ୍ୟକ୍ରମରେ ଯୋଗ ଦେଇ ଗଛ ଶିଖରରେ ରଖାଯାଇ ଥିବା ଜଂହି କୁ ଲକ୍ଷ୍ୟ କରି ଲାଖବିନ୍ଦା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ମାନସିକଧାରୀ ଭକ୍ତ ମାନେ ମନ୍ଦିର ପାର୍ଶ୍ଵରେ ଥିବା ଜେନାବୁଢା ପୀଠରେ ବଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହଜାର ହଜାର ଭକ୍ତ ବୁଢାରଜାଙ୍କ ନିକଟରେ ପୁଜା କରିବା ପଶୁ,ପକ୍ଷୀଙ୍କ ରକ୍ତ ଭୋଗ ଅର୍ପଣ କରାଯାଇଥିଲା । ଭକ୍ତ ଓ ଦର୍ଶକ ନିଜର ମନସ୍କାମନା ପୁରଣ ଓ ସୁଖରେ ରଖିଥା କାମନା କରି ଗୁହାରି କରିଥିଲେ। ସଂଧ୍ୟାରେ ବୁଢାରଜା ସାଂସ୍କୃତିକ ମଂଚରେ ସାଂସ୍କୃତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲା ଓ ଜିଲା ବାହାରୁ ସାଂସ୍କୃତିକ ଦଳ ଯୋଗ ଦେଇ ନିଜର ନୃତ୍ୟ ପରିବେଷଣ କରି ହଜାର ହଜାର ଭକ୍ତ ଓ ଦର୍ଶକୁ ବିମୋହିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ହେବା ପରେ ବିଳମ୍ବିତ ରାତ୍ରରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆମପାଣି ବୁଢାରଜା ଦଶରା ମହୋତ୍ସବରେ ବହୁଳ ଭାବେ ଜନ ଗହଳି ରହିଥିବାରୁ ଉପଖଣ୍ଡ ପୋଳିସ ଅଧିକାରୀ ଧିରଜ କୁମାର ଚୋପଦାର ଙ୍କ ନେତୃତ୍ୱରେ ପୋଲିସର ପଦାଧିକାରୀ ମାନେ ଉପସ୍ଥିତ ରହି ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଆମପାଣିର ସବୁ ସ୍ଥାନରେ ପୋଲିସ ଓ ଫୋର୍ସ ମୃତୟନ କରିଥିଲେ । ଅନୁଷ୍ଠିତ ବାର୍ଷିକ ଦଶରା ପୁଜା ଓ ମହୋତ୍ସବ କାର୍ଯ୍ୟକ୍ରମକୁ ବୁଢାରଜା ପୁଜା କମିଟି ସଭାପତି କୁମୁଦ ଚନ୍ଦ୍ର ପୁଝାରି, ଉପ-ସଭାପତି ତିଲୋତ୍ତମା ନାଏକ, ସଂପାଦକ ନକୁଳ ବାଣୁଆ, ସହ ସଂପାଦକ ସନ୍ତୋଷ ମାଝୀ କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ବିଘ୍ନେସ୍ୱର ନାଏକ, ଟିକିଚନ୍ଦ୍ର ଧଙ୍ଗଡାମାଝୀ,ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ,ମହେଶ୍ୱର ପୁଝାରି, ନିତ୍ୟାନନ୍ଦ ମାଝୀ, କେଶବ ବେନୁପାଣି, ତ୍ରିନାଥ ପ୍ରସନ୍ନ ରାୟ,ଅଜୟ ପଣ୍ଡା,ସୁରେଶ କୁମାର ସାହୁ, ବିନୋଦ ସିଂ, କେ.ଭାସ୍କର ରାଓ, ନାଗେଶ୍ୱର ମହାପାତ୍ର ଦୟାନିଧି ନାଏକ ପ୍ରମୂଖ କମିଟିର ଶତାଧିକ କର୍ମକର୍ତା ସହଯୋଗ କରିଥିଲେ । ଏହି ଦଶରା ପୁଜା ଓ ମହୋତ୍ସବ ଦେଖିବାକୁ ସୀମାନ୍ତ ଜିଲା,ରାଜ୍ୟ ତଥା ଆଖପାଖ ଅଂଚଳରୁ ୧୦ହଜାରରୁ ଉର୍ଦ୍ଧ ଭକ୍ତ ଓ ଦର୍ଶକ ସମାଗମ ହୋଇଥିଲେ ।

Related posts

ରଞ୍ଜନ କୁମାର ମହାନ୍ତି ଙ୍କ କବିତା – ଏ ଫଗୁଣେ ତୁମେ

Sunil Chandra Nayak

ପ୍ରେମଲତା ଙ୍କ କବିତା ପାର୍ବଣପୂଜା

Sunil Chandra Nayak

ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ , ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!