ମାଟିର ସ୍ବର୍ଗ
କୈଳାସ ଚ଼ନ୍ଦ୍ର ପାଢ଼ୀ
ନବ୍ୟଯୁଗର ସଭ୍ୟମାନବ
କେଣେଯାଅ କେଣେଯାଅ,
ଯିଏଯେଉଁଠାରେ ପାଦରଖିଅଛ
ସେଇଠି ଅଟକି ଯାଅ ।
ଭ୍ରାନ୍ତ ହେଲକି ଦେବଶିଶୁ ଆହେ
ମାୟାର-ଚ଼କ୍ରେ ପଡ଼ି ,
ସ୍ବର୍ଗ ନୁହେଁ ସେ କୋଟିବେଦନାର
ଚ଼ଢୁଛ ନର୍କ ସିଡ଼ି ।
ଥରେ ଫେଇଦିଅ ଅନ୍ଧପଟଳି
ଗାନ୍ଧାରୀ ନୟନରୁ,
ସତ୍ୟର ସେଇ ସୁନ୍ଦର ରୂପ
ଚ଼ିତ୍ତ ରଂଜନ କରୁ ।
ତାପରେ ବୁଝିବ ଜୀବନର ଅର୍ଥ
ମାନବ ଜନ୍ମର ତତ୍ତ୍ବ,
ପଞ୍ଚ ‘ମ’ କାରେ ମତ୍ତ ହେବନି
ଘାରିବନି ଆଉ ସ୍ବାର୍ଥ ।
ଶୁଣରେ ଆର୍ଯ୍ୟ ସୂତ,
ଅମୃତମୟ ଧରାରେ ତୁମେ ହିଁ
ଅଟ ଶାନ୍ତିର ଦୂତ ।।
ମାନବିକତାର ବଜ୍ରଯାନରେ
ଆରୋହଣ କରି ଆସ,
ଦେଖିବ ବିଶ୍ବ ତୁମରି ଭିତରେ
ତୁମେ ହିଁ ତ ଏକ ବିଶ୍ବ ।
ଝରିବ ତୁମରି ନିଷ୍ଠୁର ହୃଦୁଁ
ମମତାର ବାରିଧାରା ,
ଫୁଟିବ ପଦ୍ମ ହୃଦ-ସରୋବରେ
ମନ-ଆକାଶରେ ତାରା।
ଦିବ୍ୟ ଚେତନା ହୋଇବ ଉଦୟ
ଅଜ୍ଞାନ ତମ ନାଶି,
ସାଗର ଗର୍ଭୁଁ ଉଠିବେ ସୂର୍ଯ୍ୟ
ପୂର୍ବାଶା ଭାଲେ ହସି ।
ଆଲୋକିତ ହେବ ଧରା,
ସେଇ ଆଲୋକର ପରଶେ ହସିବ
ମୁମୂର୍ଷୁ-ବସୁନ୍ଧରା ।।
ନୟନେ ନାଚ଼ିବ ଦ୍ଵାପର ଯୁଗର
ମାନବ ମାଧବ ଲୀଳା,
କର୍ଣ୍ଣପୁଟରେ ବଂଶୀର ସ୍ବନ
ଯାହା ଅମୃତ ବୋଳା।
ଅପ୍ରାକୃତ ସେ ପ୍ରେମର-ଡୋରିରେ
ବାନ୍ଧି ବାଉଳା ମନ,
ସଂସାରୀ ଆହେ ଦେବଶିଶୁ ତୁମେ
କର୍ମରେ ରୁହ ମଗ୍ନ ।
ଦେଖିବ ଦେଖିବ ଉର୍ଜ୍ବଃସ୍ବଳ ଏ
ଦିଗ୍ ବିଦିଗର ଛବି,
ଉତ୍ତରଣର ପଥେ ହସୁଥିବ
ସତ୍ୟ ସୁଧାର ରବି ।
ଉଦ୍ଭାସିବ ଏ ଧରା,
ମର୍ତ୍ତ୍ୟମାନବ ଦେବତା ସାଜିବ
ମାଟିର ସ୍ବର୍ଗେ ପରା।।