ଶ୍ରୀମଦଭଗବତଗୀତାର ଷଷ୍ଠ ଅଧ୍ଯାୟର ସାରକଥା-୬
ସନ୍ନ୍ୟାସୀମାନେ ଅଗ୍ନିହୋତ୍ରାଦି କର୍ମ ଓ ଶାରୀରିକ କର୍ମ ତ୍ଯାଗ କରନ୍ତି । ମାତ୍ର ତାହା କରିବା ଉଚିତ ନୁହେଁ ବୋଲି ଭଗବାନ୍ କହିଲେ । ଯେଉଁ ବ୍ଯକ୍ତି କର୍ମଫଳରେ ଆସକ୍ତି ତ୍ଯାଗକରି କର୍ତ୍ତବ୍ୟ କର୍ମ କରନ୍ତି ସେ ପ୍ରକୃତରେ ସନ୍ନ୍ୟାସୀ ଓ ସେ ପ୍ରକୃତରେ କର୍ମଯୋଗୀ । ସନ୍ନ୍ୟାସ ଓ କର୍ମଯୋଗେ ଏକ ଓ ଅଭିନ୍ନ । କାରଣ ଉଭୟରେ କର୍ମଫଳ ତ୍ଯାଗ ହିଁ ମୁଖ୍ୟ ସାଧନ । ଯୋଗୀ ନିଷ୍କାମ ଭାବରେ କର୍ମକରି ମାନସିକ ଶାନ୍ତି ଲାଭ କରନ୍ତି । ଏହାହିଁ ବ୍ରହ୍ମଲୀନ ଅବସ୍ଥା । ଏଣୁ ସମସ୍ତ ସଂକଳ୍ପ ତ୍ଯାଗ କଲେ ଯାଇ ଇନ୍ଦ୍ରିୟ ଭୋଗ୍ଯବିଷୟରେ ଓ କର୍ମରେ ଆସକ୍ତି ଦୂର ହୁଏ । ଆତ୍ମାକୁ ଆତ୍ମା ଦ୍ବାରା ବଶୀଭୂତ କରି ଆତ୍ମାକୁ ଉଦ୍ଧାର କରିବା ଉଚିତ୍ । ଆତ୍ମା ବଶୀଭୂତ ହେଲେ ଆତ୍ମା ବନ୍ଧୁ ହୁଅନ୍ତି । ଅଜିତ ଆତ୍ମା ଆତ୍ମାକୁ ନିମ୍ନଗାମୀ କରାଇ ଶତ୍ରୁତା ସାଧନ୍ତି । ଆତ୍ମାଭିମାନ ତ୍ଯାଗ କଲେ ଆତ୍ମାକୁ ପାପପୁଣ୍ଯ ଲାଗେ ନାହିଁ । ବିଜିତାତ୍ମା ଶୀତଗ୍ରୀଷ୍ମରେ ସୁଖଦୁଃଖରେ ତଥା ମାନ ଅପମାନରେ ଆଦୌ ବିଚଳିତ ହୁଅନ୍ତି ନାହିଁ । ଯୋଗସିଦ୍ଧ ଜ୍ଞାନତୃପ୍ତାତ୍ମା, ନିର୍ବିକାର,ବିଜିତେନ୍ଦ୍ରିୟ ଓ ନିର୍ଲୋଭ ହୋଇଥାନ୍ତି । ଯେ ସୁହୃତ୍,ମିତ୍ର,ଅରି,ଉଦାସୀନ, ମଧ୍ଯସ୍ଥ, ଦ୍ବେଷ, ବନ୍ଧୁ, ସାଧୁ ଓ ପାପୀ ମାନଙ୍କଠାରେ ସତବୁଦ୍ଧି ରଖନ୍ତି ସେ ଶ୍ରେଷ୍ଠ ।
ଚଞ୍ଚଳ ମନୁକୁ ସ୍ଥିର କରିବା ପାଇଁ ଆତ୍ମ ସଂଯମ ଯୋଗ ବା ଧ୍ଯାନଯୋଗ ସାଧନ କରିବା ଉଚିତ୍ । ନିର୍ଜନ ପବିତ୍ର ସ୍ଥାନରେ ଅନତିଉଚ୍ଚ ଏକ ବେଦି ଉପରେ ପ୍ରଥମେ କୁଶାସନ, ତା ଉପରେ ମୃଗାଦି ଚର୍ମ ଓ ତା ଉପରେ ବସ୍ତ୍ର ପକାଇ ତା ଉପରେ ବସି ଧ୍ଯାନଯୋଗ ସାଧନ କରିବାକୁ ହେବ । ଶରୀର, ମସ୍ତକ ଓ ଗ୍ରୀବାକୁ ସିଧା ନିଶ୍ଚଳରଖି ନିଜର ନାସିକାଗ୍ରରେ ଦୃଷ୍ଟିରଖି ପ୍ରଶାନ୍ତଚିତ୍ତ ଓ ଭୟଶୂନ୍ଯ ହୋଇ ବ୍ରହ୍ମଚର୍ଯ୍ୟବ୍ରତ ପାଳନ କରି ପରମେଶ୍ବରଙ୍କ ଠାରେ ଧ୍ଯାନରଖି ସମାଧିସ୍ଥ ହେବେ । ଯୋଗୀ ମନକୁ ନିରୋଧ କରିବା ସଙ୍ଗେ ସଙ୍ଗେ ପରିମିତ ଭୋଜନ,ପରିମିତ ନିଦ୍ରା ଓ ନିୟମିତ ସ୍ପୃହାହୀନ ଯୋଗୀ ଯେତେବେଳେ ଅତ୍ଯନ୍ତ ଦୁଃଖରେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ ସେତେବେଳେ ସେ ନିଜ ଆତ୍ମାରେ ପରମାତ୍ମାଙ୍କୁ ହିଁ ଦର୍ଶନ କରି ଅନନ୍ତ ସୁଖ ଓ ଶାନ୍ତି ଲାଭ କରନ୍ତି । ସର୍ବତ୍ର ସମଦର୍ଶୀ ଯୋଗସିଦ୍ଧ ପୁରୁଷ ସମସ୍ତ ପ୍ରାଣୀଙ୍କଠାରେ ଏକ ପରମାତ୍ମାଙ୍କୁ ଦେଖନ୍ତି ଓ ପରମାତ୍ମାଙ୍କଠାରେ ସମସ୍ତଙ୍କୁ ଦେଖନ୍ତି, ଏଭଳି ଅବସ୍ଥାରେ ସେ ଭଗବାନଙ୍କ ଘନିଷ୍ଠ ସମ୍ପର୍କରେ ଆସନ୍ତି । ଯୋଗସିଦ୍ଧ ପୁରୁଷ ନିଜର ସୁଖଦୁଃଖପରି ଅନ୍ଯର ସୁଖଦୁଃଖରେ ମଧ୍ୟ ସହଭାଗୀ ହୋଇଥାନ୍ତି ।
ଭଗବାନଙ୍କଠାରୁ ଯୋଗର ଏପରି ବ୍ଯାଖ୍ଯା ଶୁଣି ସର୍ବଦା ଚଞ୍ଚଳ, ଅସ୍ଥିର ଓ ଇନ୍ଦ୍ରିୟମାନଙ୍କର ବିକ୍ଷୋଭକାରୀ ମନକୁ ନିୟନ୍ତ୍ରିତ କରିବା ଦୁଃସାଧ୍ଯ ବୋଲି ଅର୍ଜୁନ ଭଗବାନଙ୍କୁ କହିଲେ । ଭଗବାନ୍ ଶ୍ରୀକୃଷ୍ଣ କହିଲେ-ଚଞ୍ଚଳ ମନକୁ ନିରୋଧ କରିବା କଠିନ ହେଲେ ହେଁ ଅଭ୍ଯାସ, ବୈରାଗ୍ୟ ଓ କୌଶଳରେ ଏହାକୁ ଆୟତ୍ତ କରିବାକୁ ହେବ । ପୁଣି ଅର୍ଜୁନ ପ୍ରଶ୍ନକଲେ-ସିଦ୍ଧିଲାଭ କରିବା ପୂର୍ବରୁ ଯଦି କେହି କୌଣସି କାରଣରୁ ଯୋଗଭ୍ରଷ୍ଟ ହୁଅନ୍ତି ତାଙ୍କର କି ଗତି ହେବ ? ଉତ୍ତରରେ ଭଗବାନ୍ କହିଲେ- ସେପରି ଯୋଗଭ୍ରଷ୍ଟ ସାଧକଙ୍କର ଇହଲୋକ ଓ ପରଲୋକରେ ମଧ୍ୟ ଦୁର୍ଗତି ନାହିଁ । ମୃତ୍ୟୁପରେ ପରଲୋକରେ ସେ ପୁଣ୍ଯାତ୍ମାମାନଙ୍କ ସଙ୍ଗରେ କିଛି କାଳ କଟାଇ ପୁଣି ପବିତ୍ର ଧନୀଘରେ କିମ୍ବା ଯୋଗୀମାନଙ୍କ ବଂଶରେ ଜନ୍ମଲାଭ କରନ୍ତି । ପୂର୍ବଜନ୍ମର ଅଭ୍ଯାସ ବଶତଃ ପୁଣି ସେ ସାଧନାରେ ମନ ବଳାନ୍ତି । ଏପରିକି ଗୋଟିଏ ଜନ୍ମରେ ନହୋଇପାରିଲେ ମଧ୍ୟ ଅନେକ ଜନ୍ମରେ ସେ ସିଦ୍ଧିଲାଭ କରି ମୋକ୍ଷଲାଭ କରନ୍ତି ।
ନିଷ୍କାମ କର୍ମଯୋଗୀ ତପସ୍ବୀମାନଙ୍କଠାରୁ, ଜ୍ଞାନୀମାନଙ୍କଠାରୁ ଏବଂ ସାଧାରଣ ସକାମ କର୍ମୀଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ଯେଉଁ ଯୋଗୀ ଶ୍ରଦ୍ଧାବାନ୍ ହୋଇ ଭଗବାନଙ୍କୁ ଉପାସନା କରନ୍ତି ସେସବୁ ଯୋଗୀଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଧ୍ଯାନଯୋଗ-କର୍ମଯୋଗ ଓ ଜ୍ଞାନଯୋଗ ଏ ଉଭୟ ସମାଧାନ ପାଇଁ ଉପଯୋଗୀ । ଧ୍ଯାନଯୋଗରେ ଶରୀର ଇନ୍ଦ୍ରିୟ,ମନ,ବୁଦ୍ଧିର ସଂଯମ ଆବଶ୍ୟକ । ଶରୀର, ଇନ୍ଦ୍ରିୟ, ମନ ଓ ବୁଦ୍ଧି ଏସବୁକୁ ‘ ଆତ୍ମା ‘ ମଧ୍ୟ କୁହାଯାଇଥାଏ । ଧ୍ଯାନଯୋଗ ପାଇଁ ଏ ଅଧ୍ଯାୟରେ ସଂଯମ ବିଷୟରେ ସବିଶେଷ ବର୍ଣ୍ଣନା ଥିବାରୁ ଏ ଅଧ୍ଯାୟକୁ ଆତ୍ମସଂଯମଯୋଗ ବା ଧ୍ଯାନଯୋଗ କହନ୍ତି ।