ପାଉଁଜି
ବାସନ୍ତୀ ଲତା ଜେନା
ପୁରାତନ ଯୁଗରୁ ଆଧୁନିକ ଯୁଗ ଯାଏ ନାରୀ ଅଳଙ୍କାର ପ୍ରିୟ l ଯେତେ ବେଳେ ଝିଅଟିଏ ବାଲ୍ୟଅବସ୍ଥାରେ ସାଙ୍ଗ ସାଥି ମାନଙ୍କ ସହିତ କଣ୍ଢେଇ ଧରି ଖେଳୁ ଥାଏ, ସେତେ ବେଳେ ମିଛି ମିଛିକା କଣ୍ଢେଇ ବାହାଘର କରେ l କଣ୍ଢେଇକୁ ବଧୂ ବେଶରେ ସଜାଏ ପତ୍ର ଫୁଲରେ l ପାଦରେ ପାଉଁଜି, ନାକରେ ନୂଥ, ହାତରେ ଚୁଡ଼ି, ବେକରେ ହାର l ନାଲି ରଙ୍ଗର କପଡା ପିନ୍ଧାଇ ନୂଆ ବହୂ ଭଳି ସଜାଇ ଖୁସି ହୁଏ l ବାଲି, ନଡ଼ିଆ ସଢ଼େଇରେ ଭାତ ତିଅଣ ରାନ୍ଧି ଖେଳେ l ବନ୍ଧୁ ଚର୍ଚ୍ଚା କରେ l
ଦଶହରା ମାସ ସମୟର କଥା l ସୁନ୍ଦର ପୁର ଗାଁରେ ଗୋପାଳ କୃଷ୍ଣ ସେନାପତିଙ୍କ ଘର l ଡାକ୍ତର ଖାନାରେ କିରାଣୀ ଭାବରେ କାମ କରନ୍ତି l ଗୋପାଳକୃଷ୍ଣଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ l ବାପା ମା ସ୍ତ୍ରୀକୁ ନେଇ ତାଙ୍କର ସୁଖି ପରିବାର l
ଦିନେ ଗୋପାଳକୃଷ୍ଣଙ୍କର ପତ୍ନୀ ପ୍ରତିମା କହିଲା , ତୁମ ପାଖରେ ପଇସା ଅଛି ? ବଡ଼ ଝିଅ ( ଅନିତା ) ପାଇଁ ପାଉଁଜି ହଳେ କିଣି ଥାନ୍ତି l ଏ କଥା ଶୁଣି ଅନୀତାର ଜେଜେମା କହିଲେ ହଁ ରେ ବାବୁ, ଦୁଇ ଝିଅ ପାଇଁ ଦୁଇ ହଳ ପାଉଁଜି ଆଣିଦେ l ଖାଲି ପାଦ କରି ବୁଲୁଛନ୍ତି l ଭଲ ଲାଗୁନି l ହଁ, ପାଉଁଜିର ଘୁଙ୍ଗୁର ଲାଗିଥିବ ଯେମିତି l ଚାଲିଲେ ରୁଣୁଝୁଣୁ ଶୁଭୁ ଥିବ l ପ୍ରତିମା ତାର ଶାଶୁଙ୍କୁ କହିଲା ମା’ ଅନିତା ପାଇଁ ଆଣନ୍ତୁ, ପରେ ସୁନିତା ପାଇଁ ଆଣିବେ l ଏକାବେଳେକେ ଦୁଇ ଜଣଙ୍କ ପାଇଁ ଆଣିବାକୁ ପଇସା ହବନି l ଗୋପାଳ ବାବୁ ସବୁ ଶୁଣୁ ଥାନ୍ତି l କିଛି ନ କହି ହସି ଦେଇ ଚାଲି ଗଲେ l ଏ କଥାକୁ ସେ ମନେ ରଖିଥାନ୍ତି l
ମାସ ଶେଷରେ ଟଙ୍କା ଆସିବ କୁଆଡୁ ଯେ ସଙ୍ଗେ ସଙ୍ଗେ ପାଉଁଜି ଆଣିଦେବେ ? ମାସ ପୂରିଲା l ପଞ୍ଚ ତାରିଖରେ ଦରମା ଟଙ୍କା ହାତକୁ ଆସିଲା l ଗୋପାଳ ବାବୁ ଦୁଇ ଝିଅଙ୍କ ପାଇଁ ପାଉଁଜି କିଣିଲେ l
ଘରକୁ ଆସି ମାଙ୍କ ହାତରେ ଦେଇ କହିଲେ, ମା l ଏଇ ନେ l ତୋ ନାତୁଣୀ ପାଇଁ ପାଉଁଜି ଆଣି ଦେଇଛି l ତାଙ୍କୁ ନେଇ ଦିଅ l ଜେଜେମା ଖୁସି ହୋଇଗଲା l ଦୁଇ ଭଉଣୀଙ୍କୁ ଏକା ଥରେ ଡାକ ପକାଇଲା l ଅନିତା, ସୁନିତା, ଅସଲୋ l ତୁମ ପାଇଁ ତୁମ ବାପା ପାଉଁଜି ଆଣିଛି l ଜେଜେମାର ଡାକ ଶୁଣି ଅନିତା ସୁନିତା ଦୌଡ଼ି ଆସିଲେ l ଶାଶୁ ପଦ୍ମl ତାର ବହୂକୁ କହିଲା, ଏଇ ନେ ! ଦୁହିଁଙ୍କୁ ପିନ୍ଧାଇ ଦେ l ଯେମିତି ପାଦରୁ ନ ଖସି ଯିବ l ପ୍ରତିମା ପାଉଁଜି ଦୁଇ ଝିଅଙ୍କୁ ପିନ୍ଧାଇ ଦେଲା l ପଦ୍ମା ଅଳତା କାଚ ଆଣି ପ୍ରତିମାକୁ ଦେଲା l କହିଲା, ଆଜି ଦେବୀ ମାଙ୍କର ସପ୍ତମୀ ପୂଜା l ଅନିତା ସୁନିତାକୁ ଅଳତା ପିନ୍ଧାଇ ଦେ l ତୁ ବି ଟିକେ ଅଳତା ପିନ୍ଧି ପକା l
ପ୍ରତିମା ଦୁଇ ଝିଅଙ୍କୁ ଅଳତା ପିନ୍ଧାଇ ଦେଲା l ଜେଜେମା କହିଲା, ମୋ ନାତୁଣୀର ପାଦ କେଡେ ସୁନ୍ଦର ଦିଶୁଛି l ଚମ୍ପା ଫୁଲିଆ ଗୋରା ପାଦକୁ ନାଲି ଅଳତା l ଧଳା ପାଉଁଜି ଭାରି ମାନୁଛି l ତାକୁ ଟିକେ କଳା ଟୀକା ଲଗାଇ ଦେଲୋ l ନ ହେଲେ ଦୃଷ୍ଟି ପଡି ଯିବ l ଅନିତା କହିଲା ମା, ମୁଁ ଯାଉଛି ମୋ ସାଙ୍ଗ ବିମଳାକୁ ଦେଖଇ ଆସିବି l କହି ଚାଲିଗଲା ସାହି ଭିତରକୁ l ଖାଲି କଣ ବିମଳାକୁ ଦେଖାଇଲା ? ତାହା ନୁହେଁ l ସାହିର କେତେ ଜଣ ପରିଚିତ ଘରକୁ ଯାଇ କହିଲା, ଦେଖ ମୋ ବାପା ମୋ ପାଇଁ ପାଉଁଜି ଆଣି ଦେଇଛନ୍ତି l କିଏ ଯଦି କହି ଦେଉଥିଲା, ହଁ ଲୋ ଝିଅ l ତୋ ପାଦକୁ ସୁନ୍ଦର ଦିଶୁଛି l ସେ ଖୁସିରେ ଅଧିରା ହୋଇ ଯାଉ ଥିଲା l ଆଜି ଅନିତା ବଡ଼ ହୋଇ ଯାଇଛି l କିନ୍ତୁ ଭୁଲି ପାରିନି ସେ ବାପା ଆଣିଥିବା ପ୍ରଥମ ପାଦ ପାଉଁଜିକୁ l ଛୋଟ ଛୋଟ ଜିନିଷର ସେ ବହୁତ ଆନନ୍ଦ ପାଉଥିଲା l ପିଲା ଦିନର ସ୍ମୃତି ସତରେ ଅବିସ୍ମରଣୀୟ l ନା ମନରେ ଥାଏ ଛନ୍ଦ କପଟ l ନା ବେଶୀ କିଛି ପାଇବାର ଆଶା l ଯାହା ମିଳୁ ଥିଲା, ଯେତିକି ମିଳୁଥିଲା, ସେତିକିରେ ଖୁସି ହୋଇ ଯାଉଥିଲା l ଆଜି ବଡ଼ ହୋଇ ଯାଇଛି ସେ, ଖୁସି ମିଳୁନି କାହିଁକି ? ଅନିତା ମନେ ମନେ ଭାବି ବସିଛି l