ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜହ୍ନରାତି

ଜହ୍ନରାତି

ରାଗ (ରାମକେରୀ)
କି ସୁନ୍ଦର ଆହା ସଂସାର
ସୁଧା ସିନ୍ଧୁରେଭରା
ବିଧାତାଙ୍କ ସୁନା କଳସ
ପୂର୍ଣ୍ଣ ଶାଶ୍ଵତ ଗରା|୧|
ପ୍ରକୃତିର ଶୋଭା ସଦନ
ତାଙ୍କ ଅପୂର୍ବ ଦାନ
ପ୍ରାଣୀଙ୍କର ପ୍ରାଣ ପେଟିକା
ଚିର ସୁନ୍ଦର ମାନ|୨|
ଆଲୋକ ଅନ୍ଧାର ଭବନ
ଶୋଭା ରାଣୀଙ୍କ ଘର
ରୂପ ବିଭବର ସୁଷମା
ପୂର୍ଣ୍ଣ ସିନ୍ଧୁ ସାଗର|୩|
ଦିନ ରାତି ସଞ୍ଜ ସକାଳ
ଖରା ଛାଇର ଖେଳ
ମେଘ ବାଦଲର ସୁନ୍ଦର
ରୁପ ବିଭବ ମେଳ|୪|
ଶୂନ୍ୟ ସମୀରଣ ଉତ୍ତାପ
ଜଳ ସ୍ଥଳ ଆଧାର
ସେ ସବୁର ରମ୍ୟ ମିଶ୍ରଣ
ରମଣୀୟ ଭଣ୍ଡାର|୫|
ଶୁକ୍ଳ ପକ୍ଷ ଆଉ ପୂର୍ଣ୍ଣିମା
ଅମାବାସ୍ୟାର ଘର
ବିଚିତ୍ର ସୃଷ୍ଟିର ରହସ୍ୟ
ନାହିଁ ତା ପଟାନ୍ତର|୬|
ଜହ୍ନ ରାତି ହେଲେ ବରଷେ
ଧରା ବକ୍ଷରେ ସୁଧା
ତାହା ପାଇଁ ଗର୍ବ ଗୌରବେ
ନୃତ୍ୟ କରେ ବସୁଧା|୭|
ଜହ୍ନ ରାତି ମିଠା ପୀୟୂଷ
ଢାଳେ ଜଗତ ସାରା
ପ୍ରତି ପ୍ରାଣେ ପ୍ରାଣ ସଞ୍ଚରେ
ପ୍ରାଣୀ ପ୍ରାଣ ସାହାରା|୮|
ଜହ୍ନ ରାତି ଦିଏ ମାନବ
ଦେହେ ପ୍ରେମ ପସରା
ରୂପ ଯୌବନର ତରଙ୍ଗ
ସୁଖ ଆନନ୍ଦ ଝରା |୯|
ଜହ୍ନ ରାତି ମିଠା ପୀୟୂଷ
ଦହେ ମନ ଯୌବନ
ଉପବନ ବନ ବୁଲାଏ
କରେ ହୃଦ ଦହନ |୧୦|
ନଦୀ ଝରଣାରେ ଘୁରାଏ
କାମ ପୀଡ଼ାରେ ଦହି
ସଂସାର ବିତୃଷ୍ଣା କରାଏ
ପ୍ରେମ ସାଗରେ ରହି |୧୧|
ବାର ମାସ ବାର ଦିବସ
ହୁଏ ପୂର୍ଣ୍ଣିମା ରାତି
ଶୁକ୍ଳ ପକ୍ଷ ହେଲେ ଆସଇ
ମଧୁର ଜହ୍ନ ରାତି |୧୨|
ପୂର୍ଣ୍ଣିମାର ରମ୍ୟ ମିଶ୍ରଣ
ସିନ୍ଧୁ ବେଳାର ଢେ଼ଉ
ଉଠାଏ ପକାଏ ରସିକେ
ଯୌବନେ ପଦ ଦେଉ |୧୩|
ଜହ୍ନ ରାତି ମିଠା ସପନ
ତନ୍ଦ୍ରା ଭରା କମ୍ପନ
ଜହ୍ନରାତିସୁଧା ବର୍ଷଣ
ମଧୁ ମୟ ମିଳନ |୧୪|
ସଂସାରର ଶ୍ରେଷ୍ଠ ସମ୍ପଦ
ପୀୟୁଷ ଜହ୍ନ ରାତି
ତାଙ୍କୁ ଝୁରି ହୋଇ ଥାଆନ୍ତି
ଯୁବା ପ୍ରେମରେ ମାତି |୧୫|
       

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା

ହରି ଚନ୍ଦନ ପୁର କେନ୍ଦୁଝର

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ମାଆର ମମତା

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଅଭିମାନ

Sunil Chandra Nayak

କୁଡୁମି ସଂଗଠନ ଉପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସଂଗଠନର ରାଇରଙ୍ଗପୁରରେ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!