ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଲାଙ୍କୁ ସ୍କୁଲରେ ଜଗିବ ସିସି କ୍ୟାମେରା….

ପ୍ରତିଦିନ କେତେ ପିଲା ସ୍କୁଲ ଆସୁଛନ୍ତି ଏବଂ କେଉଁ ପିଲା ଅନୁପସ୍ଥିତ ରହୁଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ।

ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଏବେ ବିଶେଷ ଧ୍ୟାନ ଦିଆଯାଉଛି । ଯାହାକୁ କଡାକଡି ଭାବେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏନେଇ ଅନେକଥର ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନଥିଲା । ଅର୍ଥର ଅଭାବ ଦର୍ଶାଇ ଅନେକ ସ୍କୁଲ କର୍ତ୍ତୃପକ୍ଷ ନିୟମକୁ ଅବମାନନା କରୁଥିବା ବେଳେ ଆଉ କେତେକ ସ୍କୁଲରେ ଭିତ୍ତିଭୂମି ନଥିବା ଦର୍ଶାଇ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ ।

ଏଣିକି ପିଲାଙ୍କୁ ଜଗିବା ଲାଗି ସବୁ ସ୍କୁଲରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯିବ । ଏନେଇ ଯାହା ଖର୍ଚ୍ଚ ହେବ ତାହା ସମଗ୍ର ଶିକ୍ଷା ଯୋଜନାରୁ ବ୍ୟୟ କରାଯିବ । ସ୍କୁଲରେ ସିସି କ୍ୟାମେରା ଲଗାଇବା ନିଷ୍ପତ୍ତିକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି । ଆସନ୍ତା ୨ମାସ ମଧ୍ୟରେ ଏହି ସୁବିଧା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି ।

ରାଜ୍ୟର ଘରୋଇ ସ୍କୁଲରେ ଯେପରି ସୁରକ୍ଷା ବ୍ୟବସ୍ଥାକୁ ଗରୁତ୍ୱ ଦିଆଯାଉଛି ସେହିଭଳି ସରକାରୀ ସ୍କୁଲରେ ଗୁରୁତ୍ୱ ଦିଆଯିବ । ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସାଙ୍ଗକୁ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ସୁରକ୍ଷା ଲାଗି ସ୍କୁଲର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଥିବା ବେଳେ ବର୍ତ୍ତମାନ ଡିଜିଟାଲ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଅର୍ଥାତ ସ୍କୁଲରେ ଲାଗିବ ସିସି କ୍ୟାମେରା । ସବୁ ସ୍କୁଲର ମୁଖ୍ୟ ଫାଟକ ପାଖରେ ଗୋଟିଏ ଲେଖାଏଁ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ କେତେ ପିଲା ସ୍କୁଲ ଆସୁଛନ୍ତି ଏବଂ କେଉଁ ପିଲା ଅନୁପସ୍ଥିତ ରହୁଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ । ରାଜ୍ୟରେ ମୋଟ୍ ୬୭ହଜାର ୮୭୨ଟି ସ୍କୁଲ ରହିଛି । ସେଥିରୁ ୨୧୯୩ଟି ସ୍କୁଲରେ ଗୋଟିଏ ଲେଖାଏଁ ଶ୍ରେଣୀ କକ୍ଷ ଥିବା ବେଳେ ୧୭ହଜାର ୭୨୩ଟି ସ୍କୁଲରେ ୨ଟି, ୯ହଜାର ୮୩ଟି ସ୍କୁଲରେ ୬ହଜାର ୫୯୦ଟି ସ୍କୁଲରେ ୪ଟି ଲେଖାଏଁ ଶ୍ରେଣୀ କକ୍ଷ ରହିଛି । ତେବେ ଏହି ସ୍କୁଲ ଗୁଡିକରେ ଗୋଟିଏ ଲେଖାଏଁ ସିସି କ୍ୟାମେରା ବ୍ୟବସ୍ଥା ରହିବ ।

ସେହିପରି ଯେଉଁ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ କକ୍ଷ ରହିଛି ଏବଂ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ଗୋଟିଏ ଲେଖାଏଁ ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି । ପ୍ରଥମରୁ ଅଷ୍ଟମ ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ୨ଟି ଲେଖାଏଁ ସିସି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଗତ ମାସର କ୍ୟାମେରାର ରେକଡିଂ ସ୍କୁଲ ପ୍ରଧାନଶିକ୍ଷକ ବ୍ଲକଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ଫଳରେ ରାଜ୍ୟର ସବୁ ସ୍କୁଲର ଦୈନିକ ରେକଡିଂ ବିଭାଗ ପାଖରେ ରହିବ ।

ଆବଶ୍ୟକ ସମୟରେ ସେସବୁ ଯାଞ୍ଚ କରାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରାଥମିକ ଏବଂ ଉପପ୍ରାଥମିକ ସ୍କୁଲରେ ସିସି କ୍ୟାମେରା ଲଗାଯିବ । ଏହି ପର୍ଯ୍ୟାୟରେ ପ୍ରଥମ ତାଲିକାରେ ୩୬ ହଜାର ୭୦ଟି ସ୍କୁଲ ଥିବା ବେଳେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ମିଶିକି ଥିବା ୧୮ହଜାର ୭୧୨ଟି ଏବଂ କେବଳ ୩୩୦୭ଟି ଉଚ୍ଚପ୍ରାଥମିକ ସ୍କୁଲରେ ସିସି କ୍ୟାମେରା ଲଗାଯିବ । ମୋଟ୍ ଉପରେ ୫୮ହଜାର ୮୯ଟି ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ସିସି କ୍ୟାମେରା ବାବଦରେ ଖର୍ଚ୍ଚ ହେବ ୮କୋଟି ୭୧ଲକ୍ଷ ୩୩ ହଜାର ୫ ଶହ ଟଙ୍କା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତିକୁ ଧର୍ମଗଡ଼ ବ୍ଲକରେ ବେଖାତିର

ଜିଲ୍ଲାପାଳଙ୍କ ବୋଡେ଼ନ ବ୍ଲକ ପରିଦର୍ଶନ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସମ୍ଭାବନା

Sunil Chandra Nayak

Leave a Comment

error: Content is protected !!