ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଶୀତ ଆସେ ନ‌ଇଁ ନ‌ଇଁ ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ

            ଅପର୍ତ୍ତି ସେଠୀ

                   (ପଲ୍ଲୀ , କବିତା) 
ଶୀତ ଆସେ ନ‌ଇଁ ନ‌ଇଁ ଲୋ
    ଶୀତ ଆସେ ନ‌ଇଁ ନ‌ଇଁ,
ମୁଣ୍ଡରେ ଓଢଣୀ ହାତେ ସୁନାଚୂଡି
      ମଥାରେ ସିନ୍ଦୂର ନାଇ ଲୋ
ଶୀତ ଆସେ ନ‌ଇଁ ନ‌ଇଁ ଲୋ…..(୦)
ନବବଧୂ ସାଜି ଶୀତ ଆସୁ ଅଛି 
    ଅଧା ଲାଜକୁଳୀ ହୋଇ,
ପ୍ରୀତିବୋଳା ଓଠେ ଅଧା ହସ ଫୁଟେ
     ଦେହ ମନ ଶିହରାଇ,
ପୁଣି ବାମ ପାଦ ଟେକିଛି ଥୋଇବ
      ଏରୁଣ୍ଡି ବନ୍ଧରେ ସେହି ଲୋ
ଶୀତ ଆସେ ନ‌ଇଁ ନ‌ଇଁ ଲୋ……(୧)
ହେମନ୍ତର ହାତ ଧରି ଆସେ ଶୀତ
     କୂଳ ଭୂଆଷୂଣୀ ହୋଇ,
ଶିଶିରର ରୂପା ପାଉଁଜୀ ତା’ପାଦେ
      ରୁଣୁଝୁଣୁ ଶୁଭୁଥାଇ,
ସବୁଜ ବେଢାଣ ଦେହେ ଆଭରଣ
       ଖାଣ୍ଟି ଗାଉଁଲିଟି ସେହି ଲୋ….
ଶୀତ ଆସେ ନ‌ଇଁ ନ‌ଇଁ.ଲୋ….(୨)
  ସଙ୍ଗରେ ଆଣିଛି ପ୍ରେମ ଉପହାର
       ବାନ୍ଧି ପିନ୍ଧା ପଣତରେ,
ରେଜେଇ କମଳ ଉଉଲ ଚାଦର
       ଶୀତବସ୍ତ୍ର ଉପଚାରେ।
ସେଦିନର ହେଁସ ମଶିଣା କତରା
       ତାକୁ ପୁଣି ଭୁଲି ଯାଇ.ଲୋ..
ଶୀତ ଆସେ ନ‌ଇଁ ନ‌ଇଁ.ଲୋ…(୩) 
ଫୁଲେଇ ନାଗରୀ ଦେହେ ହାତମାରି
       ପାହାନ୍ତାରୁ ଡାକିଦିଏ,
ତା’କୋମଳ ସ୍ପର୍ଶେ ଶୀତୁଆ ଲହଡି
      ଦେହ ସାରା ଖେଳିଯାଏ।
ସ‌ଅଳ ରାତିଟା ବିଳମ୍ଵେ ପାଉଛି
      ଦିବସ ଛୋଟ ଲାଗ‌ଇ..ଲୋ…
ଶୀତ ଆସେ ନ‌ଇଁ ନ‌ଇଁ.ଲୋ……(୪)
କାର୍ତ୍ତିକେ ପଞ୍ଚକ ବଡ଼ ଓଷା ବ୍ରତ
     ଶୀତ ସଙ୍ଗେ ଆସିଲ‌ଇଁ,
ପୁଣି ଓଡ଼ିଆଣୀ ସାଜି ସାଧବାଣୀ 
      ବୋଇତ ଦେବ ଭସାଇ,
ପବିତ୍ର ସଂସ୍କୃତି ବଞ୍ଚିରହିଥିବ
    ପୁଣି ଯୁଗଯୁଗ ପାଇଁ ଲୋ,
ଶୀତ ଆସେ ନ‌ଇଁ ନ‌ଇଁ ଲୋ…(୫)
ଶୀତ ଆଗମନେ କୋହଲା ପବନ
     ଗାଲେ ଚୂମା ଦେଇଯାଏ,
ଧାନର କ୍ଷେତରୁ ଅଧା ଧାନ କେଣ୍ଡା
      ସଳଖି ଆମକୁ ଚାହେଁ।
ଗହିରୀ ବିଲର ନ‌ଈ ପାଣି ମୁହେଁ
      ମାଛର ଖଟି ବସଇ.ଲୋ.
ଶୀତ ଆସେ ନ‌ଇଁ ନ‌ଇଁ.ଲୋ….(୬)
ବିଲରେ କଙ୍କଡା ଧାନମୂଳ ଖୋଜେ
      ବଗ ମୀନ ଖୋଜୁଅଛି,
ଦିଇ ତିନି ଘଡି ରାତି ନ ହେଉଣୁ
      ବୁଲୁଆ ଡାକ ଶୁଭୁଛି।,
ଆଗକୁ ବଢିବ ଶୀତର ପ୍ରକୋପ
       ଭାବିଲେଣି ଅଜା ଆଈ.ଲୋ..
ଶୀତ ଆସେ ନ‌ଇଁ ନ‌ଇଁ.ଲୋ….(୭) 
ନୂଆବୋହୂ ସାଜି ଆସିଲାଣି ଶୀତ
       ଲକ୍ଷ୍ମୀ ଘରେ ପଶିଲାଣି,
ସିନିହ ଶରଧା ଫେଣ୍ଟାଫେଣ୍ଟି ବାସ
       ସବୁଠିଁ ଖେଳିଗଲାଣି,
କାର୍ତ୍ତିକ ପଛରେ ମଗୁଶୁର‌ ଆସେ
   ‌ ମୋକାନେ ଧୀରେ କହ‌ଇ..ଲୋ..
ଶୀତ ଆସେ ନ‌ଇଁ ନ‌ଇଁ.ଲୋ…(୮)

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

ଚାଷୀଙ୍କ ବିଭିନ୍ନ ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇଲେ ଚାଷୀ ସଂଘ ସଭାପତି ବୃନ୍ଦାବନ ତ୍ରିପାଠୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କୋକସରା ଠାରେ ହନୁମାନ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!