ଆଶାର କୌମୁଦୀ
ଜ୍ୟୋତ୍ସ୍ନା ରାଣୀ ଦେବୀ
ଆଶାର କୌମୁଦୀ ଫୁଟି ବାସିଲାଣି ଜଳମୁନ୍ଦେ ଦେଇ ଦେଖ
ଧରିବାକୁ ଜହ୍ନ ଉଠିବ ଫୁଟିବ ହେଉ ଅବା ଯେଉଁ ପକ୍ଷ ।
ନିରାଶାର ରାତ୍ରି ନାହିଁ
ଆଲୋକରୁ ଝରେ ସ୍ନିଗ୍ଧ ଶିଶିର ଆବାହନୀ ଗୀତ ଗାଇ ।
ଅସ୍ତାଚଳୁ ରବି ହଟି ତ ଗଲେଣି ହସିଲାଣି ସଂଜଦୀପ
ମୁକୁଳିତ ଏବେ ସୁନୀଳ ପାଖୁଡ଼ା ତାରାଫୁଲ ଆରପାଖ
ଊର୍ଦ୍ଧ୍ଵ ଗଗନେ ଚାହିଁ
ଲକ୍ଷ୍ୟ ସାକାରେ ସମୀରଣ ସୁରେ ନିଦେ ପଡିନି ଶୋଇ ।
ନିମିଳ ନୟନେ ସୁରଭିତ ତନେ କାସାର ଆଧାର ଶୋହି
ମରାଳବାହିନୀ ମୁଗ୍ଧ ମନୋରମ ତା’ ସାଥେ ଖେଳନ୍ତି ରହି
ଉତ୍ତମ ସଙ୍ଗେ ବେଭାର
ନୀଚଗତି ତେଜି ଉଚ୍ଚମନା ତୋଳେ ମନ୍ତ୍ରିତ ମହାସ୍ଵର ।
ପଙ୍କିଳ ଛନ୍ଦେ ଆବେଶ ନ ହୋଇ ସ୍ଵକୀୟ ଚେତନା ବଳେ
ଆଲୋକ ଧାରାରେ ସ୍ନିଗ୍ଧ ମୁକୁରରେ ଦେଖିବାକୁ ଛବି ଡୋଳେ
ଇପ୍ସିତ ବାସନା ପୂର୍ଣ୍ଣ
କରିବାର ପଥେ ଆଡେଇ ଚାଲିଛି ଧୂମାଳ ଧୂମ୍ରାଭ ଘନ ।
କେତେଦୂରେ ବିଧୁ , ତଥାପି ହଟିନି ବିଚ୍ୟୁତ କରି ପଥ
ଅଭିସାର ରଚି ମୁଗ୍ଧ ଶୃଙ୍ଗାରେ ଅନାଇ ଟେକିଛି ମାଥ
ଅଭିମନ୍ତ୍ରିତ କରି
କୋଟିକୋଟି ପ୍ରାଣେ ଭରୁଛି ବାରତା ହତାଶେ ନ ଯାଅ ଝରି ।
ବ୍ରହ୍ମପୁର, ଗଂଜାମ