ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସଂସ୍କୃତି ପରିଷଦରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସାମିଲ

ନର୍ଲା (ମ.ନି.ସ): କଳାହାଣ୍ଡି କଳା, ସଂସ୍କୃତି, ସାହିତ୍ୟ, ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ସଂସ୍କୃତି ପରିଷଦରେ ସ୍ବେଚ୍ଛାସେବୀ ସଂଗଠନ ଭାବରେ ସାମିଲ ହୋଇଛି। ଏହାକୁ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପି ଅନ୍ୱେଷା ରେଡ୍ଡୀ ସ୍ୱୀକୃତି ଦେଇଛନ୍ତି। ଏନେଇ ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଉକ୍ତ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ, ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ, ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ, କ୍ରୀଡ଼ା ସମ୍ପାଦକ ଅନୀଲ କୁମାର ଧଙ୍ଗଡ଼ାମାଝୀଙ୍କ ସମେତ ସମସ୍ତ ସଦସ୍ୟବୃନ୍ଦ ଜିଲ୍ଲା ପ୍ରଶାସନ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଉପାଦାନ, ପୌରାଣିକ ପୃଷ୍ଠଭୂମି ତଥା ଧାର୍ମିକ ପୀଠର ଗୁରୁତ୍ବ ବହନ କରୁଥିବା ସାରଳା ମହାଭାରତ ବର୍ଣ୍ଣିତ ପ୍ରାଚୀନ କନକଗିରି – ବର୍ତ୍ତମାନର ଦେବଗିରିର ପ୍ରାଚୀନ ପରମ୍ପରା, ସାଂସ୍କୃତିକ ବିଭବ ସାଙ୍ଗକୁ କଳାହାଣ୍ଡିର କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ୧୯୮୪ ମସିହାରେ ବୁଢ଼ୀପଦର ଗ୍ରାମରେ ଗଠିତ ହେଲା ‘ଦେବଗିରି କିଶୋର ଚକ୍ର କ୍ଲବ୍’। ଏଥିସହ ସାମାଜିକ ଓ ସାଂସ୍କୃତିକ ଭାବଧାରାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ୧୯୯୨ ମସିହାରେ ‘ଦେବଗିରି ସାଂସ୍କୃତିକ ଅନୁଷ୍ଠାନ’ ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କ ଦ୍ବାରା ଏକ ବେସରକାରୀ ଅନୁଷ୍ଠାନର ମାନ୍ୟତା ପାଇଲା। ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ, ଜନସଚେତନତା, କୁସଂସ୍କାର ବିଲୋପ, ବନୀକରଣ, ରକ୍ତଦାନ, ରାସ୍ତାଘାଟ ନିର୍ମାଣ ସହ ବହୁବିଧ ସାମାଜିକ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ହୋଇ ଏହା ରାଜ୍ୟର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନର ମାନ୍ୟତା ପାଇସାରିଛି। କଳାହାଣ୍ଡି ତଥା ଓଡ଼ିଶାର ଲୁପ୍ତପ୍ରାୟ ଲୋକଗୀତ, ଲୋକନୃତ୍ୟ, ଲୋକସଂସ୍କୃତିକୁ ଉଜ୍ଜୀବୀତ କରିବା ସହ ଏହାର ପ୍ରଚାର ପ୍ରସାର ତଥା ଦେବଗିରିର ପ୍ରାଚୀନ ପରମ୍ପରା, ସାଂସ୍କୃତିକ ବିଭବ ଆଦିକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅନୁଷ୍ଠାନର ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ତିନିଦିନ ଧରି ମହାସମାରୋହରେ ପାଳନ କରାଯାଉଛି। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରି ସମାଜରେ ଉଦାହରଣ ପାଲଟିଥିବା ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଦେବଗିରି ସମ୍ମାନ ପ୍ରଦାନ କରାଯାଇଥାଏ। ପ୍ରଥମ ଥର ପାଇଁ ନର୍ଲା ବ୍ଲକର ଏକ ଅନୁଷ୍ଠାନ ଜିଲ୍ଲା ସଂସ୍କୃତି ପରିଷଦରେ ସାମିଲ ହୋଇଥିବାରୁ ସଂସ୍କୃତିପ୍ରେମୀ ଏହାକୁ ସ୍ୱାଗତ କରିବା ସହ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ନର୍ଲାରୁ ଦୀପକ କୁମାର ଠାକୁରଙ୍କ ରିପୋର୍ଟ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଃଖ

Sunil Chandra Nayak

ଜୁନାଗଡ଼ ଡାକ୍ତରଖାନାରେ ବ୍ଲଡ଼ ବ୍ୟାଙ୍କ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଯୁବ କଂଗ୍ରେସ ର ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଜଙ୍ଗଲୀ ବାରିଆ ଛୁଆ ଧରି ବନ ବିଭାଗ କୁ ହସ୍ତାନ୍ତର କଲେ ଗ୍ରାମ ବାସୀ

Sunil Chandra Nayak

Leave a Comment

error: Content is protected !!