ଫମ୍ପା ପୀୟୂଷ
ସନ୍ତୋଷ କୁମାର ସାହୁ
ବଞ୍ଚିବାଟା ନୁହେଁ ଏତେ ସହଜ
ଏଠି ନିତି ଉଠେ ବାଲିଘର
ଭଙ୍ଗା ଗଢା ଜୀବନଟା ଦହଗଞ୍ଜ।
ମନ ଡିଏଁ ବାରବାର
ସୀମା ସରହଦ
ଅଙ୍କା ବଙ୍କା ବୁଲାଣୀ ରାସ୍ତାରେ
କହୁଥାଏ ନିତି ଉର୍ଦ୍ଧ୍ବ ଶ୍ୱାସରେ
ହେ ମଣିଷ ,ମୃତ୍ୟୁକୁ ଆଲିଙ୍ଗନ
କର
ବିନା ଦ୍ବିଧାରେ ।
ଅକୁହା ଯନ୍ତ୍ରଣାକୁ କିଏ ମାପି ପାରେ
କ୍ଷତକୁ କ୍ଷତାକ୍ତ କରିବାରେ
ଆନନ୍ଦ ନେଇପାରେ
ଜାଣି ପାରେନା ନିର୍ବୋଧ
ସୌଦାଗର ବନିବାର ସ୍ଵପ୍ନ
କରେ ପାଗଳ
ମୁଠା ମୁଠା ଟଙ୍କାରେ।
କାହାପାଇଁ ଲୁହ, ଏଠି ମହଙ୍ଗା
ଦେହର ମଳି ଦେବାରେ କାର୍ପଣ୍ୟ
ଯନ୍ତ୍ରଣାରେ ମଲମ ଢାଲିବ କିଏ
ଚାଲ ଚାଲ ଆଗକୁ
ବୟସ ଗଡିଚାଲୁ
କେବେ ପୂର୍ଣ୍ଣ ହେବ
ଷଠି ବୁଢ଼ୀର ଦେବା ଆୟୁଷ
ସଂସାରଟା ଲାଗିଲାଣି ବିଷ
ମହତ ସରିବ
ପେଟ ପୁରିବା କଥା ମିଛ ରହସ୍ୟ
ଶୁଣି ଶୁଣି ହସିଦେବ
ଅଲାଜୁକ ଥୋବରାଙ୍କ
ଫମ୍ପା ପୀୟୂଷ।
ନବରଙ୍ଗପୁର