ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳବନ୍ଦୀ ତଲଙ୍ଗ: ସମସ୍ୟାରେ ଜର୍ଜରିତ “ନା ବ୍ଲକ ପ୍ରଶାସନ ନା ରାଜନେତା କାହାରି ଦୃଷ୍ଟି ପଡୁନି 

ତେନ୍ତୁଳିଖୁଣ୍ଟି ୨୦/୧୧/୨୨ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ତଲଙ୍ଗ ଓ ଗୁରୁ ମାଈ ଗୁଡା ବୁଡି ଅଞ୍ଚଳ ଘୋଷିତ ହେଲା ,ଗ୍ରାମବାସୀ ହେଲେ ବିସ୍ଥାପିତ ତତ୍କାଳୀନ ବିସ୍ଥାପନ ପ୍ୟାକେଜ ରେ। କିନ୍ତୁ ତଳଙ୍ଗ ଓ ଗୁରୁମାଇଗୁଡା ଜଳ ମଗ୍ନ ନ ହେବାରୁ କିଛି ବିସ୍ଥାପିତ ସେମାନଙ୍କ ପୁରୁଣା ଗାଁ ଓ ଜଙ୍ଗଲ ତଥା ଜଙ୍ଗଲକୁ ନେଇ ସେମାନଙ୍କ ଜୀବିକା ପାଇଁ ଫେରି ଆସିଲେ ତାଙ୍କ ଭିଟା ମାଟି କୁ । ଜଙ୍ଗଲଜାତ ଦ୍ରବ୍ୟ ତଥା ଜଙ୍ଗଲ ଜମିରେ ଚାଷ ବାସ କରି ନିଜ ଜୀବିକା ଆରମ୍ଭ କରିଦେଲେ। ସେମାନଙ୍କ ମୂଖ୍ୟ ବଜାର ହେଲା ସପ୍ତାହ ରେ ଥରେ ଗୁରୁବାର ବସୁଥିବା ଲମତା ଗୁଡାହାଟ। ସେଠି ଜଙ୍ଗଲ ଜାତ ସାମଗ୍ରୀ ତଥା ଜଙ୍ଗଲ ଜମିର ଉତ୍ପାଦ ମାଣ୍ଡିଆ ,ବିରି ,ଲାଉ ,ଝଟା ମଞ୍ଜି ବିକ୍ରି କରି ନିଜ ପରିବାର ପାଇଁ ଆବଶ୍ୟକ ସାମଗ୍ରୀ ନିଅନ୍ତି। କିନ୍ତୁ ଯୁଗ ସହ ତାଳ ଦେଇ ବିକାଶ ତ ଆବଶ୍ୟକ ,ବିଜୁଳି,,ମୋବାଇଲ ସେବା ,ଶିକ୍ଷା,ଅଙ୍ଗନବାଡ଼ି ସେବା ତଥା ସ୍ୱାସ୍ଥ୍ୟ ସେବା ସର୍ବୋପରି ଗମନାଗମନ । କିନ୍ତୁ ଗାଁର ସମସ୍ୟାରଲମ୍ବା ତାଲିକା ସମାଧାନ କରିବ ତ କରିବ କିଏ? ମୂଳତଃ ଜଳବନ୍ଦୀ ଗ୍ରାମ ଟାଙ୍ଗନି କୋଟ ,ବାଗ୍ରା , ଗୁରୁ ମାଇ ଗୁଡା ,ଝଲାଗୁଡା ମଧ୍ୟରୁ ଏହି ଗ୍ରାମ ଗୋଟିଏ ପାର୍ଶ୍ଵ ରହି ଯାଉଥିବାରୁ ଦୃଷ୍ଟି ଆଢୁଆଳରେ ରହି ଯାଉଛି। ଗ୍ରାମ କୁ ଯିବା ପାଇଁ ଡଙ୍ଗା ଘାଟ ଠାରୁ ମଧ୍ୟ 4 ରୁ 5 କିମି ଚାଲିବାକୁ ପଡେ। ସହଜରେ ତ ପ୍ରଶାସନ ଜଳ ବନ୍ଦୀ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ମୋଟର ଚାଳିତ ଡଙ୍ଗା କେବଳ ଗୋଟିଏ ହିଁ ବ୍ୟବସ୍ଥା କରିଛନ୍ତି । ତାହା ଉକ୍ତ ପାଞ୍ଚ ଜଳ ବନ୍ଦୀ ଗ୍ରାମ ର ଭୌଗଳିକ ସ୍ଥିତି ଅନୁସାରେ ଗ୍ରାମ ବାସୀ ଙ୍କ ପାଇଁ ସୁବିଧାଜନକ ହେଉନି। ସାଧାରଣ ବଣ୍ଟନ ସାମଗ୍ରୀ ମଞ୍ଚା ଗାଁ ରୁ କେନ୍ଦୁଗୁଡା ଘାଟ ସେଠାରୁ ଡଙ୍ଗା ରେ କୂଳରେ ପହଞ୍ଚି ଚାଉଳ ବସ୍ତା ସହ 5 ରୁ ଛ କିମି ଚାଲି ଘରକୁ ଯିବା କଷ୍ଟ ଦାୟକ ହେଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ସିନା ଟଙ୍କା ଟିଏ ଦେଇ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ପାଉଛନ୍ତି କିନ୍ତୁ ଉକ୍ତ ଚାଉଳ ଆଣିବାକୁ ଦିନକର ରୋଜଗାର ହରାଇବା ସହ ଡଙ୍ଗା ରେ ଯିବା ଆସିବା ଖର୍ଚ୍ଚ ଓ ପାଦ ଚଲା ରେ ଜଙ୍ଗଲରେ ବିପଦପୂର୍ଣ୍ଣ ଭାବେ ଚାଉଳ ବୋଝ ଧରି ଯିବା ବଳି ପଡୁଛି।ଏ ନେଇ ବାରମ୍ବାର ବ୍ଲକ ଓ ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ପାଖରେ ଗୁହାରି କରିଥିଲେ ମଧ୍ୟ ଫଳ ଶୂନ।ତଳଙ୍ଗ ଗ୍ରାମ ବାସୀ ସବୁବେଳେ ନିରାଶ ଓ ପ୍ରତିଶ୍ରୁତିରେ ପ୍ରତାରଣାର ଶିକାର ହେବାକୁ ପଡିଛି ତଳଙ୍ଗ ବାସୀଙ୍କୁ।ବିଜୁଳି ତ ସାତ ସପନ ! ସୋଲାର ଲାଇଟ ଖଣ୍ଡେ ଦେଇ କାମ ସାରି ଦେଇଛି ପ୍ରଶାସନ । ଭୌଗଳିକ ସ୍ଥିତି ଅନୁସାରେ ଗ୍ରାମ ରେ ମିନି ଅଙ୍ଗନବାଡ଼ି ଖୋଲିଲେ କିନ୍ତୁ କର୍ମୀ ନିଯୁକ୍ତି ବେଳେ ଭୁଲିଗଲେ ଭୌଗଳିକ ସ୍ଥିତି ଅନୁସାରେ ଉକ୍ତ ଗ୍ରାମ ର ଝିଅ କିମ୍ବା ବୋହୁ କୁ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ର ପ୍ରୟାସ କରିନି କର୍ତ୍ତୃପକ୍ଷ। ଅନ୍ୟ ଅଞ୍ଚଳ ର ମହିଳା ଡଙ୍ଗା ରେ ଆସି 4 ପାଞ୍ଚ କିମି ଚାଲି ଚାଲି ଆସି ପ୍ରତ୍ୟହ ନିଜର କର୍ତ୍ତବ୍ୟ ପାଳନ କରୁଥିବା ବିଷୟ ବିଚାର ଯୋଗ୍ୟ? ବିଚ୍ଛିନ୍ନାଞ୍ଚଳ ଭାବେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ରହି ଆସୁଥିବା ଉକ୍ତ ତଳଙ୍ଗ ବାସୀଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନ ସରେ।ଶିକ୍ଷା ପାଇଁ ଚାରି ରୁ ପାଞ୍ଚ କିମି ଗୁରୁ ମାଇ ଗୁଡା ଯିବାକୁ ପଡେ କିନ୍ତୁ ସେଠି ମଧ୍ୟ ପ୍ରତ୍ୟହ ଭୌଗଳିକ ସ୍ଥିତି ପାଇଁ ସବୁଦିନ ଶିକ୍ଷକ ଙ୍କ ଉପସ୍ଥାନ କଣ ରହୁଥିବ?/,ସ୍ବାସ୍ଥ୍ୟ କଥା କହିଲେ ଇମୁନାଇଯେସନ ସେବା ଯଥା ସମ୍ଭବ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପହଞ୍ଚୁଛି। ଗର୍ଭବତୀ ମହିଳାମାନଙ୍କ କଷ୍ଟ ଗମନାଗମନ ପାଇଁ। ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ ସଦୃଶ। ଜଳ ଭଣ୍ଡାର ଜଳ କୁ ସରକାର ଦଶ ଟି ବ୍ଲକ କୁ ବି ଶୋ ଧିତ କରି ଯୋଗାଇବାକୁ ମେଗା ଜଳ ଯୋଗାଣ ପ୍ରକଳ୍ପ କରୁଥିବା ବେଳେ ଜଳଭଣ୍ଡାର କୁ ଲାଗି ରହିଥିବା ଗ୍ରାମ ରେ ଉକ୍ତ ଜଳ କୁ ବିଶୋ ଧିତ କରି ଯୋଗାଇବାର ପ୍ରୟାସ କରିନି । ମୌଳିକ ଅଧିକାର କ’ଣ ଏମାନେ ଜାଣନ୍ତିନି। ଅନ୍ଧାରରେ ଏଠିକାର ସରଳ ନୀରିହ ଆଦିବାସୀଙ୍କ ଭବିଷ୍ୟତ। କଳାହାଣ୍ଡି ଜଳ ବନ୍ଦୀ ଅଞ୍ଚଳ ରେ ସ୍ୱତନ୍ତ୍ର ଭାବେ ଯୋଜନା କରାଯାଇ ବିଦ୍ୟୁତ ସେବା ପହଞ୍ଚାଇଲା ସେଠିକାର ଜିଲ୍ଲା ପ୍ରଶାସନ ଅଥଚ ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତେନ୍ତୁଳିଖୁଣ୍ଟି ବ୍ଲକର ମଞ୍ଚାଗାଁ ପଞ୍ଚାୟତ ଅଧିନରେ ଥିବା ଏହି ଜଳବନ୍ଦୀ ଗାଁ ଗୁଡିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇନି। ପଞ୍ଚାୟତ ମୁଖ୍ୟାଳୟ ମଧ୍ୟରେ ସିଧାସଳଖ ଗମନାଗମନର ସ୍ଥାୟୀ ବ୍ୟବସ୍ଥା ନେଇ ବହୁ ଦିନରୁ ଦାବି କରି ଆସୁଥିଲେ ତଳଙ୍ଗ ବାସୀ । ବ୍ରିଜ ଟିଏ ପାଇଁ ସରକାର ନିଷ୍ପତ୍ତି ନେଇ ଦୁଇ ବର୍ଷ ବିତିବାକୁ ବସିଲାଣି କେଉଁଠି ଅଟକିଛି ନା ଅଗ୍ରଗତି ପାଇଁ କୋୖଣସି ସର୍ଭେ ଚାଲିଛି ଅଞ୍ଚଳବାସୀ ଙ୍କ ପାଖରେ ଖବର ନାହିଁ। କିନ୍ତୁ ବିଗତ ସାତ ବର୍ଷ ମଧ୍ୟରେ ଏହି ଜଳ ବନ୍ଦୀ ଅଞ୍ଚଳ ର ସମସ୍ୟା ଦେଖିବାକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଠୁଁ ଆରମ୍ଭ କରି ସଚିବ ତଥା ଜିଲ୍ଲାପାଳ ଗସ୍ତ କରିଛନ୍ତି। କିନ୍ତୁ କେବଳ ତତ୍କାଳୀନ ଭାର ପ୍ରାପ୍ତ ବିଡ଼ିଓ ପଦ୍ମନାଭ ତ୍ରିପାଠୀ ଙ୍କ ସମୟରେ ହିଁ କୋଭିଡ କାଳ ସତ୍ୱେ ଗମନାଗମନ ବ୍ୟବସ୍ଥା ରେ ସ୍ୱଳ୍ପ ସୁଧାର ଆସିଛି। କିନ୍ତୁ ତଳଙ୍ଗ ସମେତ ବିରିଜୋଡ, ବାର କାଉଡି,ଗୁରମାଇଗୁଡା,ବାଗ୍ରା, ଝଲାଗୁଡା, ବାସୀ ଙ୍କ ସମସ୍ୟା ସମାଧାନ ହୋଇନି। ।ଗମନାଗମନ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଉକ୍ତ ଅଞ୍ଚଳ ବାସୀ ଙ୍କ ପାଇଁ ସ୍ୱତନ୍ତ୍ର ମୋଟର ଚାଳିତ ବୋଟ ଖଣ୍ଡେ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ଏସବୁ ଗ୍ରାମବାସୀଙ୍କ ସମସ୍ୟା ନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି। କିନ୍ତୁ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବାରେ ବିଫଳ ହୋଇଛି ଗଣମାଧ୍ୟମ।ଏପରିକି ମୌଳିକ ସୁବିଧା ପାଇବା ପାଇଁ ନିଜ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ବାଧ୍ୟ ହୋଇଛନ୍ତି ତଳଙ୍ଗ ବାସୀ । ଜଳବନ୍ଦୀ ଅଞ୍ଚଳ ଗତ କିଛି ବର୍ଷ ରେ ନେତା ପ୍ରଶାସକ ଙ୍କ ଗସ୍ତ ସମସ୍ୟା ସମାଧାନ କମ ପର୍ଯ୍ୟଟନ ଆଧିକ ମନେ ହେଉଛି।ପ୍ରଶାସନର ଏପରି ନୀରବତାକୁ ସାଧାରଣରେ ଚକିତ କରିଛି। ତେନ୍ତୁଳିଖୁଣ୍ଟି ବ୍ଲକ ଅଧିନରେ ରହିଥିବା ଅନେକ ଗର୍ଭବତୀ ମହିଳାଙ୍କୁ ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରିବାକୁ ପଡିଛି।ଏଭଳି ବିପଦ ସଂକୁଳ ଜଳସ୍ତର ଓ ପାଦଚଲା ରାସ୍ତାରେ ଯାତାୟତ କରିବା କେତେ ସୁରକ୍ଷିତ ଯାହା ଅବର୍ଣ୍ଣନୀୟ ।ହେଲେ ଆଉ କେତେ ଜୀିବନ ବଳି ପଡିଲେ ଏସବୁ ଗ୍ରାମର ସମସ୍ୟା ଦୂର କରିବ ବ୍ଲକ ଓ ପ୍ରଶାସନ?ତାହା ସାଧାରଣରେ ବଡ ପ୍ରଶ୍ନ ସୃଷ୍ଟି କରିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଓ୍ଵାଲଟିୟର ଡିଭିଜନାଲ ରେଲଓ୍ବେ ଡିଆରଏମ୍ ଙ୍କ ରାୟଗଡା ଗସ୍ତ

Sunil Chandra Nayak

ମୟୂରଭଞ୍ଜ -: ଵିଜାତଳା ମଧୁପୁର ଛକରେ ବାଇକ /ପିକଅପ ଭେନ୍ ମୁହାଁମୁହିଁ,ଜଣେ ମୃତ ,ଜଣେ ଗୁରୁତର

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଦ୍ୱାରା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ପ୍ରତି ହୋଇଥିବା ବେଆଇନ ଗିରଫ ଓ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା

Leave a Comment

error: Content is protected !!