ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ଏକାଦଶ ଅଧ୍ଯାୟର ସାରକଥା–୧୧

ଶ୍ରୀମଦ୍ ଭଗବତ୍ ଗୀତାର ଏକାଦଶ ଅଧ୍ଯାୟର ସାରକଥା–୧୧

   ଭଗବତଭକ୍ତି ତୁଳନାରେ ବ୍ରହ୍ମଜ୍ଞାନ,କର୍ମଯୋଗ, ଧ୍ଯାନଯୋଗ ଆଦି ତୁଚ୍ଛ- ଏହାହିଁ ଏ ଅଧ୍ଯାୟର ପ୍ରତିପାଦ୍ଯ ବିଷୟ । ଏକନିଷ୍ଟ ଭକ୍ତର ପ୍ରାର୍ଥନାରେ ପରମେଶ୍ବର ତାଙ୍କର ପରମ ଐଶ୍ଵର୍ଯ୍ଯ ତଥା ଭୂତ ବର୍ତ୍ତମାନ ଭବିଷ୍ୟତର ସମସ୍ତ ଦୃଶ୍ୟ ଭକ୍ତକୁ ଦେଖାଇ ପାରନ୍ତି । ଅର୍ଜୁନ ସେହିପରି ପରମ ଭକ୍ତ ହୋଇଥିବାରୁ ତାଙ୍କ ପ୍ରାର୍ଥନାରେ ଭଗବାନ୍ ତାଙ୍କୁ ତାଙ୍କର ବିଶ୍ବରୂପ ଦେଖାଇଲେ । ସେହି ବିଶ୍ବରୂପ ସଂବନ୍ଧୀୟ ସମସ୍ତ ବର୍ଣ୍ଣନା ଏ ଅଧ୍ଯାୟରେ ଦିଆଯାଇଥିବାରୁ ଏହାର ନାମ ବିଶ୍ବରୂପଦର୍ଶନଯୋଗ ରଖାଯାଇଅଛି । ପୂର୍ବ ଅଧ୍ଯାୟରେ ଭଗବାନ୍ ତାଙ୍କର ବିଭୂତି ବର୍ଣ୍ଣନା କରୁକରୁ କହିଲେ-ଏ ସମସ୍ତ ବିଶ୍ବବ୍ରହ୍ମାଣ୍ଡ ମୋର ଏକାଂଶରେ ଅବସ୍ଥିତ । ଏହା ଶୁଣି ସଦା ଆଶ୍ରିତ ଅର୍ଜୁନ କୌତୁହଳବଶତଃ ସେହି ବିଶ୍ବରୂପ ଦେଖାଇବାକୁ ପ୍ରାର୍ଥନା କଲେ । ସାଧାରଣ ଚର୍ମଚକ୍ଷୁରେ ସେହି ରୂପ ଦେଖି ହେବ ନାହିଁ କହି ଅର୍ଜୁନଙ୍କୁ ଦିବ୍ଯ ଚକ୍ଷୁ ପ୍ରଦାନ କଲେ । ଆହୁରି କହିଲେ-ବିଶ୍ବବ୍ରହ୍ମାଣ୍ଡର ସମସ୍ତ ଦୃଶ୍ୟ ଦେଖିବା ସହିତ ତୁମେ ଆଉ ଯାହାକିଛି ଦେଖିବାକୁ ଇଛା କରିବ ତାହା ବି ଦେଖିପାରିବ ।

      ସେହି ବିଶ୍ବରୂପ ଅନେକ ମୁଖ,ଅନେକ ଉଦର,ଅସଂଖ୍ଯ ହସ୍ତ ଓ ପାଦ,ଅନେକ ଦିବ୍ଯ ଅଳଙ୍କାର, ମାଲ୍ଯ,ଗନ୍ଧ ଓ ବସ୍ତ୍ରଯୁକ୍ତ ଥିଲା । ଏକ ସମୟରେ ଆକାଶରେ ସହସ୍ରସୂର୍ଯ୍ଯ ଆବିର୍ଭୂତ ହେଲେ ଯେପରି ଆଲୋକ ହେବ ସେହି ବିଶ୍ବରୂପ ସେହିପରି ଉଜ୍ଜ୍ବଳ ଥିଲା । ବିଶ୍ବରୂପଙ୍କର ଆଦି,ଅନ୍ତ ଓ ମଧ୍ଯ କେଉଁଠି କିଛି ଜଣା ଯାଉନଥିଲା । ତାଙ୍କର ଆଖି ସୂର୍ଯ୍ୟ ଚନ୍ଦ୍ର ସଦୃଶ ଉଜ୍ଜ୍ବଳ ଥିଲା । ତାଙ୍କର ପାଟିରେ ବଡ଼ ବଡ଼ ଭୟଙ୍କର ଦାନ୍ତମାନ ଥିଲା । ତାଙ୍କ ଦେହରେ ସ୍ଥାବର ଜଙ୍ଗମାଦି ସମସ୍ତ ଜୀବ,ସମସ୍ତ ଦେବାଦେବୀ, କମଳାସନସ୍ଥ ବ୍ରହ୍ମା,ସମସ୍ତ ଋଷି,ପିତୃଗଣ ତଥା ସମସ୍ତ ସର୍ପଙ୍କୁ ଅର୍ଜୁନ ଦେଖି ପାରିଲେ । ସେହି ଉଗ୍ର,ସମୁଜ୍ବଳ ବିଶ୍ବରୂପକୁ ଦେଖି ଅର୍ଜୁନ ଆନନ୍ଦ ଓ ବିସ୍ମୟରେ ଅଭିଭୂତ ହେବା ସଙ୍ଗେ ସଙ୍ଗେ ଅତି ଭୟଭୀତ ମଧ୍ଯ ହୋଇପଡିଲେ । ସ୍ବର୍ଗ,ମର୍ତ୍ତ୍ଯ,ପାତାଳ-ତିନି ଲୋକର ଅଧିବାସୀଗଣ ଭୟରେ ସେହି ବିଶ୍ବରୂପକୁ ପ୍ରାର୍ଥନା କରୁଥିବାର ସେ ଦେଖି ପାରିଲେ । ମହାଭାରତ ଯୁଦ୍ଧରେ କ’ଣ କ’ଣ ଘଟିବାକୁ ଯାଉଛି ତାହା ମଧ୍ଯ ସେ ଦେଖି ପାରିଲେ । ଅନଳ ଦେଖି ପତଙ୍ଗ ଧାଇଁଲା ପରି ଭୀଷ୍ମ,ଦ୍ରୋଣ,କର୍ଣ୍ଣ ଓ ଅନ୍ଯ ସମସ୍ତ ଯୋଦ୍ଧାଗଣ ଅତି ବେଗରେ ଦଉଡି ଦଉଡି ବିଶ୍ବରୂପଙ୍କର ଭୟଙ୍କର ମୁଖଗହ୍ବରରେ ପ୍ରବେଶ କରୁଥିଲେ । କେତେକଙ୍କର ମୁଣ୍ଡ ଚୂର୍ଣ୍ଣବିଚୂର୍ଣ୍ଣ ହୋଇ ସେହି କରାଳ ଦାନ୍ତସନ୍ଧିରେ ଲାଗିଯାଉଥିଲା । ଭୟଭୀତ ହୋଇ ଅର୍ଜୁନ ପ୍ରାର୍ଥନା କଲେ-ଆପଣ କିଏ ଓ ଆପଣଙ୍କର ପ୍ରବୃତ୍ତି କ’ଣ ?

    ଶ୍ରୀ ଭଗବାନ କହିଲେ-ମୁଁ ମହାକାଳ,ଏ ସମସ୍ତ ଲୋକ ସଂହାର କରିବାକୁ ମୁଁ ପ୍ରବୃତ୍ତ ହୋଇଛି । ତୁମେ ଯୁଦ୍ଧ ନ କଲେ ମଧ୍ଯ ଏଠାରେ ଉପସ୍ଥିତ ଥିବା କୌଣସି ବୀର ବଞ୍ଚି ରହିବେ ନାହିଁ । ସେମାନେ ସମସ୍ତେ ମୋଦ୍ବାରା ମରି ସାରିଛନ୍ତି-ତୁମେ ନିମିତ୍ତ ମାତ୍ର ହୁଅ । ତୁମେ ଉଠ, ଯୁଦ୍ଧକର,ଶତ୍ରୁମାନଙ୍କୁ ଜୟକରି ସମୃଦ୍ଧ ରାଜ୍ଯ ଭୋଗ କର । ତା’ପରେ ଅର୍ଜୁନ ଭଗବାନଙ୍କୁ ନାନାପ୍ରକାର ସ୍ତୁତି କରିବାକୁ ଲାଗିଲେ । ପୁନଃ ପୁନଃ ଚାରିଆଡେ ନମସ୍କାର କରିବାକୁ ଲାଗିଲେ । ଅଜ୍ଞାନତା ବଶତଃ ନିଜ ସଖା ବୋଲି ରହସ୍ଯରେ ଆହାର,ବିହାର ଆଦି ସମୟରେ ସେ ହେ କୃଷ୍ଣ , ଯାଦବ ପ୍ରଭୃତି ସାଧାରଣ ସମ୍ବୋଧନ କରିଥିବାରୁ କ୍ଷାମା ପ୍ରାର୍ଥନା କଲେ । ଭୟରେ ତାଙ୍କ ମନ ବିଚଳିତ ହେଉଅଛି , ସେ ଦିଗବିଦିଗ ଜାଣି ପାରୁନାହିନ୍ତି କହି ଭଗବାନଙ୍କୁ ସୌମ୍ଯ ସୁନ୍ଦର ଚତୁର୍ଭୁଜ ରୂପରେ ଦେଖିବାକୁ ପୁନଶ୍ଚ ପ୍ରାର୍ଥନା କଲେ ।

    ବେଦାଧ୍ଯୟନ , ଶାସ୍ତ୍ରାନୁଶୀଳନ , ଯଜ୍ଞାନୁଷ୍ଠାନ ଆଦି କରି ପୂର୍ବରୁ କେହି ଏହି ବିଶ୍ବରୂପ ଦେଖି ପାରିନାହାନ୍ତି ଓ ଦେବତାମାନେ ସର୍ବଦା ଏ ରୂପ ଦେଖିବାକୁ ଅଭିଳାଷୀ ବୋଲି ଭଗବାନ୍ କହିଲେ । ଅର୍ଜୁନଙ୍କୁ ଆଶ୍ବାସନା ଦେଇ ପ୍ରଥମେ ଚତୁର୍ଭୁଜ ରୂପ ଓ ପରେ ଦ୍ବିଭୁଜ ଶ୍ରୀକୃଷ୍ଣ ରୂପ ଦେଖାଇଲେ । କେବଳ ଅନନ୍ଯା ଭକ୍ତିବଳରେ ଅର୍ଜୁନ ଭଗବାନଙ୍କୁ ବିଶ୍ବରୂପରେ ଦେଖିପାରିଲେ । ଯେ କେହି ଭଗବତ୍ କର୍ମପରାୟଣ , ଭଗବଦାଶ୍ରିତ , ସଙ୍ଗବର୍ଜିତ ଓ ସମସ୍ତ ପ୍ରାଣୀଙ୍କଠାରେ ବୈରତାଶୂନ୍ଯ ହେଲେ ତାଙ୍କୁ ପାଇପାରିବେ ବୋଲି ଭଗବାନ୍ ଉପଦେଶ ଦେଲେ । ଅତଏବ ଅକର୍ମା ହୋଇ ବସି ରହି କେବଳ ଭଗବାନଙ୍କ ନାମ ଜପକଲେ ଭକ୍ତି ହୁଏନା । ସମସ୍ତ କର୍ମ ନିଷ୍କାମ ବୁଦ୍ଧିରେ ଓ କୃଷ୍ଣାର୍ପଣ କରି ସଂପାଦନ କଲେ ତାହାହିଁ ପ୍ରକୃତ ଭକ୍ତି ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଦେଶାତ୍ମବୋଧକ ସ୍ବରଚିତ କବିତା ପାଠୋତ୍ସବ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କଥିତ ଇଂରେଜୀ କର୍ମଶାଳା ଅନୁଷ୍ଠିତ

ଓଡିଶା ସାମ୍ବାଦିକ ସଙ୍ଘର ୧୧ ତମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!