ଶ୍ରୀମଦ୍ ଭଗବତ୍ ଗୀତାର ଏକାଦଶ ଅଧ୍ଯାୟର ସାରକଥା–୧୧
ଭଗବତଭକ୍ତି ତୁଳନାରେ ବ୍ରହ୍ମଜ୍ଞାନ,କର୍ମଯୋଗ, ଧ୍ଯାନଯୋଗ ଆଦି ତୁଚ୍ଛ- ଏହାହିଁ ଏ ଅଧ୍ଯାୟର ପ୍ରତିପାଦ୍ଯ ବିଷୟ । ଏକନିଷ୍ଟ ଭକ୍ତର ପ୍ରାର୍ଥନାରେ ପରମେଶ୍ବର ତାଙ୍କର ପରମ ଐଶ୍ଵର୍ଯ୍ଯ ତଥା ଭୂତ ବର୍ତ୍ତମାନ ଭବିଷ୍ୟତର ସମସ୍ତ ଦୃଶ୍ୟ ଭକ୍ତକୁ ଦେଖାଇ ପାରନ୍ତି । ଅର୍ଜୁନ ସେହିପରି ପରମ ଭକ୍ତ ହୋଇଥିବାରୁ ତାଙ୍କ ପ୍ରାର୍ଥନାରେ ଭଗବାନ୍ ତାଙ୍କୁ ତାଙ୍କର ବିଶ୍ବରୂପ ଦେଖାଇଲେ । ସେହି ବିଶ୍ବରୂପ ସଂବନ୍ଧୀୟ ସମସ୍ତ ବର୍ଣ୍ଣନା ଏ ଅଧ୍ଯାୟରେ ଦିଆଯାଇଥିବାରୁ ଏହାର ନାମ ବିଶ୍ବରୂପଦର୍ଶନଯୋଗ ରଖାଯାଇଅଛି । ପୂର୍ବ ଅଧ୍ଯାୟରେ ଭଗବାନ୍ ତାଙ୍କର ବିଭୂତି ବର୍ଣ୍ଣନା କରୁକରୁ କହିଲେ-ଏ ସମସ୍ତ ବିଶ୍ବବ୍ରହ୍ମାଣ୍ଡ ମୋର ଏକାଂଶରେ ଅବସ୍ଥିତ । ଏହା ଶୁଣି ସଦା ଆଶ୍ରିତ ଅର୍ଜୁନ କୌତୁହଳବଶତଃ ସେହି ବିଶ୍ବରୂପ ଦେଖାଇବାକୁ ପ୍ରାର୍ଥନା କଲେ । ସାଧାରଣ ଚର୍ମଚକ୍ଷୁରେ ସେହି ରୂପ ଦେଖି ହେବ ନାହିଁ କହି ଅର୍ଜୁନଙ୍କୁ ଦିବ୍ଯ ଚକ୍ଷୁ ପ୍ରଦାନ କଲେ । ଆହୁରି କହିଲେ-ବିଶ୍ବବ୍ରହ୍ମାଣ୍ଡର ସମସ୍ତ ଦୃଶ୍ୟ ଦେଖିବା ସହିତ ତୁମେ ଆଉ ଯାହାକିଛି ଦେଖିବାକୁ ଇଛା କରିବ ତାହା ବି ଦେଖିପାରିବ ।
ସେହି ବିଶ୍ବରୂପ ଅନେକ ମୁଖ,ଅନେକ ଉଦର,ଅସଂଖ୍ଯ ହସ୍ତ ଓ ପାଦ,ଅନେକ ଦିବ୍ଯ ଅଳଙ୍କାର, ମାଲ୍ଯ,ଗନ୍ଧ ଓ ବସ୍ତ୍ରଯୁକ୍ତ ଥିଲା । ଏକ ସମୟରେ ଆକାଶରେ ସହସ୍ରସୂର୍ଯ୍ଯ ଆବିର୍ଭୂତ ହେଲେ ଯେପରି ଆଲୋକ ହେବ ସେହି ବିଶ୍ବରୂପ ସେହିପରି ଉଜ୍ଜ୍ବଳ ଥିଲା । ବିଶ୍ବରୂପଙ୍କର ଆଦି,ଅନ୍ତ ଓ ମଧ୍ଯ କେଉଁଠି କିଛି ଜଣା ଯାଉନଥିଲା । ତାଙ୍କର ଆଖି ସୂର୍ଯ୍ୟ ଚନ୍ଦ୍ର ସଦୃଶ ଉଜ୍ଜ୍ବଳ ଥିଲା । ତାଙ୍କର ପାଟିରେ ବଡ଼ ବଡ଼ ଭୟଙ୍କର ଦାନ୍ତମାନ ଥିଲା । ତାଙ୍କ ଦେହରେ ସ୍ଥାବର ଜଙ୍ଗମାଦି ସମସ୍ତ ଜୀବ,ସମସ୍ତ ଦେବାଦେବୀ, କମଳାସନସ୍ଥ ବ୍ରହ୍ମା,ସମସ୍ତ ଋଷି,ପିତୃଗଣ ତଥା ସମସ୍ତ ସର୍ପଙ୍କୁ ଅର୍ଜୁନ ଦେଖି ପାରିଲେ । ସେହି ଉଗ୍ର,ସମୁଜ୍ବଳ ବିଶ୍ବରୂପକୁ ଦେଖି ଅର୍ଜୁନ ଆନନ୍ଦ ଓ ବିସ୍ମୟରେ ଅଭିଭୂତ ହେବା ସଙ୍ଗେ ସଙ୍ଗେ ଅତି ଭୟଭୀତ ମଧ୍ଯ ହୋଇପଡିଲେ । ସ୍ବର୍ଗ,ମର୍ତ୍ତ୍ଯ,ପାତାଳ-ତିନି ଲୋକର ଅଧିବାସୀଗଣ ଭୟରେ ସେହି ବିଶ୍ବରୂପକୁ ପ୍ରାର୍ଥନା କରୁଥିବାର ସେ ଦେଖି ପାରିଲେ । ମହାଭାରତ ଯୁଦ୍ଧରେ କ’ଣ କ’ଣ ଘଟିବାକୁ ଯାଉଛି ତାହା ମଧ୍ଯ ସେ ଦେଖି ପାରିଲେ । ଅନଳ ଦେଖି ପତଙ୍ଗ ଧାଇଁଲା ପରି ଭୀଷ୍ମ,ଦ୍ରୋଣ,କର୍ଣ୍ଣ ଓ ଅନ୍ଯ ସମସ୍ତ ଯୋଦ୍ଧାଗଣ ଅତି ବେଗରେ ଦଉଡି ଦଉଡି ବିଶ୍ବରୂପଙ୍କର ଭୟଙ୍କର ମୁଖଗହ୍ବରରେ ପ୍ରବେଶ କରୁଥିଲେ । କେତେକଙ୍କର ମୁଣ୍ଡ ଚୂର୍ଣ୍ଣବିଚୂର୍ଣ୍ଣ ହୋଇ ସେହି କରାଳ ଦାନ୍ତସନ୍ଧିରେ ଲାଗିଯାଉଥିଲା । ଭୟଭୀତ ହୋଇ ଅର୍ଜୁନ ପ୍ରାର୍ଥନା କଲେ-ଆପଣ କିଏ ଓ ଆପଣଙ୍କର ପ୍ରବୃତ୍ତି କ’ଣ ?
ଶ୍ରୀ ଭଗବାନ କହିଲେ-ମୁଁ ମହାକାଳ,ଏ ସମସ୍ତ ଲୋକ ସଂହାର କରିବାକୁ ମୁଁ ପ୍ରବୃତ୍ତ ହୋଇଛି । ତୁମେ ଯୁଦ୍ଧ ନ କଲେ ମଧ୍ଯ ଏଠାରେ ଉପସ୍ଥିତ ଥିବା କୌଣସି ବୀର ବଞ୍ଚି ରହିବେ ନାହିଁ । ସେମାନେ ସମସ୍ତେ ମୋଦ୍ବାରା ମରି ସାରିଛନ୍ତି-ତୁମେ ନିମିତ୍ତ ମାତ୍ର ହୁଅ । ତୁମେ ଉଠ, ଯୁଦ୍ଧକର,ଶତ୍ରୁମାନଙ୍କୁ ଜୟକରି ସମୃଦ୍ଧ ରାଜ୍ଯ ଭୋଗ କର । ତା’ପରେ ଅର୍ଜୁନ ଭଗବାନଙ୍କୁ ନାନାପ୍ରକାର ସ୍ତୁତି କରିବାକୁ ଲାଗିଲେ । ପୁନଃ ପୁନଃ ଚାରିଆଡେ ନମସ୍କାର କରିବାକୁ ଲାଗିଲେ । ଅଜ୍ଞାନତା ବଶତଃ ନିଜ ସଖା ବୋଲି ରହସ୍ଯରେ ଆହାର,ବିହାର ଆଦି ସମୟରେ ସେ ହେ କୃଷ୍ଣ , ଯାଦବ ପ୍ରଭୃତି ସାଧାରଣ ସମ୍ବୋଧନ କରିଥିବାରୁ କ୍ଷାମା ପ୍ରାର୍ଥନା କଲେ । ଭୟରେ ତାଙ୍କ ମନ ବିଚଳିତ ହେଉଅଛି , ସେ ଦିଗବିଦିଗ ଜାଣି ପାରୁନାହିନ୍ତି କହି ଭଗବାନଙ୍କୁ ସୌମ୍ଯ ସୁନ୍ଦର ଚତୁର୍ଭୁଜ ରୂପରେ ଦେଖିବାକୁ ପୁନଶ୍ଚ ପ୍ରାର୍ଥନା କଲେ ।
ବେଦାଧ୍ଯୟନ , ଶାସ୍ତ୍ରାନୁଶୀଳନ , ଯଜ୍ଞାନୁଷ୍ଠାନ ଆଦି କରି ପୂର୍ବରୁ କେହି ଏହି ବିଶ୍ବରୂପ ଦେଖି ପାରିନାହାନ୍ତି ଓ ଦେବତାମାନେ ସର୍ବଦା ଏ ରୂପ ଦେଖିବାକୁ ଅଭିଳାଷୀ ବୋଲି ଭଗବାନ୍ କହିଲେ । ଅର୍ଜୁନଙ୍କୁ ଆଶ୍ବାସନା ଦେଇ ପ୍ରଥମେ ଚତୁର୍ଭୁଜ ରୂପ ଓ ପରେ ଦ୍ବିଭୁଜ ଶ୍ରୀକୃଷ୍ଣ ରୂପ ଦେଖାଇଲେ । କେବଳ ଅନନ୍ଯା ଭକ୍ତିବଳରେ ଅର୍ଜୁନ ଭଗବାନଙ୍କୁ ବିଶ୍ବରୂପରେ ଦେଖିପାରିଲେ । ଯେ କେହି ଭଗବତ୍ କର୍ମପରାୟଣ , ଭଗବଦାଶ୍ରିତ , ସଙ୍ଗବର୍ଜିତ ଓ ସମସ୍ତ ପ୍ରାଣୀଙ୍କଠାରେ ବୈରତାଶୂନ୍ଯ ହେଲେ ତାଙ୍କୁ ପାଇପାରିବେ ବୋଲି ଭଗବାନ୍ ଉପଦେଶ ଦେଲେ । ଅତଏବ ଅକର୍ମା ହୋଇ ବସି ରହି କେବଳ ଭଗବାନଙ୍କ ନାମ ଜପକଲେ ଭକ୍ତି ହୁଏନା । ସମସ୍ତ କର୍ମ ନିଷ୍କାମ ବୁଦ୍ଧିରେ ଓ କୃଷ୍ଣାର୍ପଣ କରି ସଂପାଦନ କଲେ ତାହାହିଁ ପ୍ରକୃତ ଭକ୍ତି ।
ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର,