ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାବି ପୂରଣ ନହେଲେ ୭ରୁ କଳାବ୍ୟାଜ, ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ

୫ ଦଫା ଦାବି କଲା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ସଂଘ

ଆନ୍ଦୋଳନ ହେଲେ ଲାଞ୍ଜିଗଡ ବ୍ଲକରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବା ଆଶଙ୍କା

ଲାଞ୍ଜିଗଡ଼,୨୮/୧୧(ମନିସ)-କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ଦୁର୍ଗମରୁ ଅତି ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ସାଜି ଟୀକାକରଣ, ମମତା ଦିବସ ପାଳନ, ଗର୍ଭବତୀ, ପ୍ରସୂତି, ନବଜାତ, ଶିଶୁ ଓ କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟର ଯତ୍ନ, ମହିଳା ଓ ପୁରୁଷ ବନ୍ଧ୍ୟାକରଣ, ସଂକ୍ରାମକ ଓ ଅଣସଂକ୍ରାମକ ରୋଗର ଚିହ୍ନଟ, ପଞ୍ଜୀକରଣ ଓ ରୋଗୀଙ୍କୁ ଚିକିତ୍ସା ପାଇଁ ପ୍ରେରଣ, ସ୍ୱାସ୍ଥ୍ୟ ସଚେତନତା, ସ୍ୱାସ୍ଥ୍ୟ ଶିବିର ଆୟୋଜନ ଆଦି କାର୍ଯ୍ୟରେ ନିୟୋଜିତ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକମାନେ ନିଜର ପାଞ୍ଚ ଦଫା ଦାବି ନେଇ ଆଜି ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଏକ ବୈଠକରେ ସମ୍ମିଳିତ ହେବା ସହିତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ନିହାର ରଞ୍ଜନ ସାହୁଙ୍କ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହିତ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ, ଦାବି ପୂରଣ ନହେଲେ ଆସନ୍ତା ଡିସେମ୍ବର ୭ ତାରିଖରୁ କଳାବ୍ୟାଜ ପରିଧାନ କରି ପ୍ରତିବାଦ ଓ ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତ ଅଞ୍ଚଳରେ ୨୪ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଥିବାବେଳେ ଏଥିରେ ୩୧ ଜଣ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ୧୦ ଜଣ ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ୨ ଜଣ ପୁରୁଷ ଓ ୨ ଜଣ ମହିଳା ପରିଦର୍ଶକ ନିୟୋଜିତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଏହି କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବ୍ଲକର ମାଓ ପ୍ରଭାବିତ ତ୍ରିଲୋଚନପୁର ସମେତ ଦୁର୍ଗମ ଅଞ୍ଚଳ ପରିବେଷ୍ଟିତ ବିଜେପୁର, ମାଳିଯୁବାଙ୍ଗ, ଭୁର୍ଟିଗଡ, କାନକୁଟ୍ରୁ, ପାହାଡପଦର, ଭଟାଙ୍ଗପଦର, ଗୁଣ୍ଡରୀ ଆଦି ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରେ ସ୍ୱାସ୍ଥ୍ୟସେବାର ବାଗଡୋର ସମ୍ଭାଳିଥିବାବେଳେ ଗତ କୋଭିଡ ମହାମାରୀ ପରିସ୍ଥିତିରେ ରୋଗୀ ପରାମର୍ଶ ଓ ଟୀକାକରଣ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ତେବେ ସରକାର ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଦୃଷ୍ଟି ନଦେବା ସେମାନଙ୍କୁ ବ୍ୟଥିତ କରିଛି । ଏହାକୁ ନେଇ ସେମାନେ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପାଞ୍ଚ ଦଫା ଦାବି ମଧ୍ୟରେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡର ପୁନର୍ଗଠନ ସହିତ ଚାକିରି କାଳ ମଧ୍ୟରେ ଅତି କମ୍‌ରେ ଚାରିଥର ପଦୋନ୍ନତି ସୁବିଧା, ଗ୍ରେଡ ପେରେ ବୃଦ୍ଧି ଓ ସଂଶୋଧନ, ଠିକା ନିଯୁକ୍ତି ଉଚ୍ଛେଦ ଓ ଇନକ୍ରିମେଣ୍ଟ ବୃଦ୍ଧି, ପଦବୀର ନାମ ପରିବର୍ତ୍ତନ, ବାର୍ଷିକ ପାଞ୍ଚ ହଜାର ଟଙ୍କାର ପୋଷାକ ଭତ୍ତା ପ୍ରଦାନ ଆଦି ଦାବି ରହିଛି । ଆଜି ସଂଘ ପକ୍ଷରୁ ସଭାପତି କାଳିଆ ସାହୁ, ସଂପାଦିକା ସଂଯୁକ୍ତା ସାହୁ, କୋଷାଧ୍ୟକ୍ଷ ମନୋଜ ପ୍ରହରାଜଙ୍କ ସମେତ ପ୍ରଭାସିନୀ ସାହୁ, ପୁଷ୍ପଲତା ଦେଇ, ସୁଷମା ଦାସ, ଅଞ୍ଜଳୀ ସାହୁ, ବାଙ୍କ ଦୁର୍ଗା, ବଣ୍ଟି ବେହେରା, ଭୀଷ୍ମ ମଙ୍ଗରାଜ, ସାରନ୍ତୀ ଟପୋ, ଭବାନୀ ମାଝୀ, ବାସନ୍ତୀ ମାଝୀ, ଲିଲି ମହାପାତ୍ର ଏବଂ ଅନ୍ୟମାନେ ସାମିଲ ଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିଜୁଳି ଚଡକରେ ମହିଳା ଚାଷୀ ମୃତ

Sunil Chandra Nayak

ବାବୁଶାନ ଙ୍କ ଦମନ୍ ଆଣିବ ବୈପ୍ଳବିକ ଆନ୍ଦୋଳନ, ଦର୍ଶକ ଫେରିବେ, ହୁଇସିଲ୍ ବାଜିବ

Sunil Chandra Nayak

ନବରଙ୍ଗପୁର ଜ଼ିଲ୍ଲା ରେ ହାଇସ୍କୁଲ ଶିକ୍ଷକ ସଙ୍ଘ ଗଠିତ

Sunil Chandra Nayak

Leave a Comment

error: Content is protected !!