ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଇ ସମାଜ ସେବା ସମିତି ର ୬୯ ତମ ପ୍ରତିଷ୍ଠା ଦିବସ ପାଳନ, ରାଷ୍ଟ୍ରପତି ଙ୍କୁ ୬ ଦଫା ଦାବୀ ପ୍ରଦାନ

କୁଇ ସମାଜ ସେବା ସମିତି ଫୁଲବାଣୀ ଶାଖା ପକ୍ଷରୁ ମଙ୍ଗଳବାର ଦିନ ୬୯ ତମ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳନ ହୋଇଯାଇଛି। କୁଇ ସମାଜ ସେବା ସମିତି ପ୍ରତିଷ୍ଠା ଦିବସ ଅବସରରେ ଫୁଲବାଣୀ ସଭାପତି ସୁଦର୍ଶନ କଁହର ଙ୍କର ନେତ୍ତୃତ୍ୱ ରେ ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ହଜାର ହଜାର ସଂଖ୍ୟାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ନାଚଗୀତ କରି ସଭାଯାତ୍ରା ବାହାରି କରନେସନ ପଡିଆ ଠାରେ ପହଞ୍ଚି ଥିଲେ। ସେଠାରେ ଆୟୋଜିତ ସାଧାରଣ ସଭାର ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ ଯୋଗ ଦେଇ ଆଦିବାସୀ ମାନଙ୍କର ଇତିହାସ ଐତିହ୍ୟ ପରମ୍ପରା ଓ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ବିକାଶ ନିମନ୍ତେ କହିବା ସହିତ କନ୍ଧମାଳ ଜିଲ୍ଲାର ୩ ଗୋଟି କୁଇ ସମିତି ର ମିଳିତ ଆନୁକୂଲ୍ୟରେ ବିଚାର ଆଲୋଚନା କରି କାର୍ଯ୍ୟ କଲେ କନ୍ଧମାଳ ଜିଲ୍ଲାର ସାମଗ୍ରିକ ବିକାଶ ହୋଇପାରିବ। ଏହା ନକଲେ ଜିଲ୍ଲା ଆଦିବାସୀ ମାନଙ୍କ ର ବିକାଶ ରେ ବାଧା ସୃଷ୍ଟି ହେବ ବୋଲି କହିଥିବା ବେଳେ କୁଇ ସମାଜ ସେବା ସମିତି ଫୁଲବାଣୀ ଶାଖା ସମ୍ପାଦକ ଅବନୀକୁମାର କଁହର ବାର୍ଷିକ ବିବରଣୀ ପଠନ କରିଥିଲେ। ପୂର୍ବତନ ପ୍ରସାଶନିକ ଅଧିକାରୀ ମିହିର ଚାନ୍ଦ ମଲ୍ଲିକ ମୁଖ୍ୟ ବକ୍ତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନ୍ୟଏକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ। ଆଦିବାସୀ ଟାଣୁଆ ନେତା ରମାକାନ୍ତ ମଲ୍ଲିକ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଟ୍ରାଇଫେଡ ଉପାଧ୍ୟକ୍ଷ ପବିତ୍ର କଁହର,ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ କନ୍ଧମାଳ ଉପାଧ୍ୟକ୍ଷ ନଳିନୀ କଁହର, କୁଇ ସେବା ସମିତି ନାରୀ ସଭାନେତ୍ରୀ ସୌଦାମିନୀ କଁହର,ରାଜ୍ୟ କୁଇଭାଷା ସାହିତ୍ୟ ସମିତି ର ସମ୍ପାଦକ ତଥା କୁଇ ସେବା ସମିତି ର ଉପଦେଷ୍ଟା ଦୀନବନ୍ଧୁ କଁହର, ଫୁଲବାଣୀ ବିଧାୟକ ପ୍ରତିନିଧି ନିଳାମ୍ବର କଁହର,ଚକାପାଦ ସରପଞ୍ଚ ତଥା କୁଇ ସେବା ସମିତି ଉପଦେଷ୍ଟା ଉମା ଚରଣ ମଲ୍ଲିକ ସମସ୍ତ ଅତିଥି ଯୋଗ ଦେଇ ଜିଲ୍ଲା ରେ ଆଦିବାସୀ ମାନଙ୍କ ର କିପରି ସାମୁହିକ ବିକାଶ ହୋଇପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ଜମି ଓ ଜଳର ଅଧିକାର ପେସା ଆଇନ ଲାଗୁ କରିବା,ଜବର ଦଖଲ ଜମି ମାଫିଆ ମାନଙ୍କ କବଳରୁ ଜମି ଉଦ୍ଧାର କରି ଭୂମିହୀନ କୁଇ ମାନଙ୍କୁ ଆବଣ୍ଟନ କରିବା, ଫୁଲବାଣୀ ସହର ସ୍ଥିତ ହାଟପଦା ଜାଗାରୁ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରି ସ୍ଥାନୀୟ ଚାଷୀ ମାନଙ୍କ ପାଇଁ ସଂରକ୍ଷିତ ରଖିବା, କଳିଙ୍ଗା ବିଇଡି କଲେଜକୁ ପୁନଃ କାର୍ଯ୍ୟକାରି କରିବା,କୁଇ ଭାଷାକୁ ସରକାରୀ ଭାଷାର ମାନ୍ୟତା ଓ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ,ଯୋଗାଯୋଗ ଏବଂ ପର୍ଯ୍ୟଟନ କ୍ଷେତ୍ର ର ଉନ୍ନତି କରିବା ଆଦି ୬ ଗୋଟି ଦାବୀ ସମ୍ମଳିତ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କର ଉଦେଶ୍ୟ ରେ କୁଇ ସମାଜସେବା ସମିତି ଫୁଲବାଣୀ ଶାଖା ପକ୍ଷରୁ ପ୍ରଦାନ କରାଯାଇଥିଲା। ପୂର୍ବରୁ ୧୭ ଟି ଦାବୀ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ପୂରଣ ନିମନ୍ତେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଶେଷରେ ଆଦିବାସୀ ନେତା ଏସିଆ କଁହର ଧନ୍ୟବାଦ ଅର୍ପଣ କରିଥିଲେ। ଆଦିବାସୀ ଛାମୁଆ ନେତା ପଞ୍ଚାନନ କଁହର ସୂଚାରୁ ରୂପେ ମଞ୍ଚ ପରିଚାଳନା କରିଥିବାବେଳେ କୁଇ ସମାଜ ସେବା ସମିତି ଫୁଲବାଣୀ ଶାଖା ପୂର୍ବତନ ସଭାପତି ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପକ ତୀର୍ଥ ଜାନୀ ଜୀବନବ୍ୟାପୀ ସମାଜ ସେବା କରି କୁଇସେବା ସମିତି ସହିତ ସଂଶ୍ଲିଷ୍ଟ ଥିବାରୁ ଏବଂ ସୁଚାର ଭାବେ ସଭାପତି ଭାବେ କାର୍ଯ୍ୟ ଭାର ତୁଲାଇ ଥିବାରୁ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୂର୍ବତନ ସମ୍ପାଦକ ରାମନାଥ କଁହର, ଓ ସଭ୍ୟ ଅନାଦି ମଲ୍ଲିକ ଙ୍କୁ କୁଇ ସମାଜ ସେବା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆଦିବାସୀ ନେତା ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ତଥା କୁଇ ସମାଜ ସେବା ସମିତି ସାଂସ୍କୃତିକ ସମ୍ପାଦକ ବୀରେନ୍ଦ୍ର କଁହର ନେତ୍ତୃତ୍ୱ ରେ ଟିଟ୍ରାପଙ୍ଗା,ଦଡକୀ, ବିଦୁଖୋଲ, ଫିରିଙ୍ଗିଆ ତଳପଡା ଆଦି ଗ୍ରାମର ପୁରୁଷ ମହିଳା କଳାକାର ମାନଙ୍କ ଦ୍ଵାରା ଆଦିବାସୀ ପାରମ୍ପରିକ ,ପ୍ରଥା,ରୀତିନୀତି ଆଧାରିତ ନୃତ୍ୟ ପରିବେଷଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଜୟ କୁମାର ମିଶ୍ର ଙ୍କ କବିତା ଅତୀତର ଶୀତ, ଯେତେ ଭିତ ସେତେ ମିତ 

Sunil Chandra Nayak

ମୂଷାପାଳି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବର୍ଷା ହେଲେ ବିଦ୍ୟାଳୟ ପରିଶର ହୁଏ କୁତ୍ରିମ ପୋଖରୀ

Sunil Chandra Nayak

Leave a Comment

error: Content is protected !!