ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲତା ଜାଲି ଙ୍କ କବିତା ମୁଁ ହେବି ନେତ୍ରୀ 

ମୁଁ ହେବି ନେତ୍ରୀ 

ବନଲତା ଜାଲି 

ମୁଁ ହେବି ଏବେ ଏକ ନେତ୍ରୀ 
ଯେମିତି ସେମିତି କୌଶଳ ହୋଇବି 
ସମସ୍ତଙ୍କ ପ୍ରିୟପାତ୍ରୀ 
ଭାଷଣବାଜିରେ ଓଜସ୍ବିନୀ ବାଣୀ
ଛାଡି ଥରାଇବି ତନ୍ତ୍ରୀ 
ମୁଁ ହେବି ଏବେ ଏକ ନେତ୍ରୀ ।।
ଜୀବନଟା ସାରା ଜନସେବା କରି 
ଲୋକେ କଲେନି ଆଦର 
ପାଲ ଓଲଟଇ ଠିକଣା ସମୟେ 
ଟଙ୍କା ହେଲେ କାରବାର 
କଳାବଜାରୀକୁ ଆପଣାଇ ନେଇ 
ହେବି ଦିନେ ମୁଁ ଯେ ମନ୍ତ୍ରୀ
ମୁଁ ହେବି ଏବେ ଏକ ନେତ୍ରୀ ।।
ଅର୍ଥ କରେ ସବୁ ଅର୍ଥକୁ ଅନର୍ଥ 
ବଦଳି ଯାଏ ବିଚାର 
ସତ୍ୟବାଦୀ ଲୋକେ ଲୋଭ ଆକର୍ଷଣେ 
କରିବସେ ବ୍ଯଭିଚାର 
ସତ୍ କର୍ମ କରି ଜୀବନରେ ମୁହିଁ 
ପାଇଛି କି ଅବା ଖ୍ଯାତି
ମୁଁ ହେବି ଏବେ ଏକ ନେତ୍ରୀ ।।
ଭଲକାମ କରି ସୁନାମ ଅର୍ଜିଲେ 
ପୂରିବ କି ମୋର ପେଟ 
ଅଭାବ କଷଣ କରେ ହଇରାଣ 
ଖାଲିହୁଏ ଛଟପଟ 
ମିଛିମିଛିକା ଏ ବାଃ ବାଃ ନେଇ 
ବଢିଛି କି ଯଶକୀର୍ତ୍ତି 
ମୁଁ ହେବି ଏବେ ଏକ ନେତ୍ରୀ ।।
ଲାଞ୍ଚ ନ ନେଇ ମୁଁ ସଚ୍ଚୋଟ ବୋଲି କି 
ମିଳିଅଛି ତିରସ୍କାର 
ଆଦର୍ଶବାଦୀତା ଦେଖାଇ ହେଉଛି 
ଗୁଜବ ହୁଏ ପ୍ରଚାର 
ପଛରେ କହନ୍ତି ଏଇ ଏକା ପରା 
ଦୁନିଆଁରେ ସତ୍ୟବତୀ 
ମୁଁ ହେବି ଏବେ ଏକ ନେତ୍ରୀ ।।
ଅନ୍ୟାୟ ବିରୁଦ୍ଧେ ପ୍ରତିବାଦ କରି 
ହୋଇଛି ଅପମାନିତ 
ମୁହଁଖୋର ଆଉ ଅସହିଷ୍ଣୁ କହି 
କରନ୍ତି ଅପମାନିତ
କଳାଧନ କିଛି ସଞ୍ଚିତ କରିଟି 
ହେବି ମୁଁ କୁବେରପତି 
ମୁଁ ହେବି ଏବେ ଏକ ନେତ୍ରୀ ।।
ନିଜ ଅଭିଜ୍ଞତା ଠାରୁ ମୁଁ ଶିଖିଛି 
ଅନେକ ଜାଣିବା କଥା 
ଉତ୍ତମ ବ୍ଯକ୍ତିତ୍ବ ବହୁ କଷ୍ଟପାଏ 
ଲିଭିଯାଏ ତା’ର ସତ୍ତା 
କାଟିଦେଇ ଚେର ଉପରେ ବନିବି 
ନିରିମଳ ଭାବମୂର୍ତ୍ତି
ମୁଁ ହେବି ଏବେ ଏକ ନେତ୍ରୀ ।।
ଗରିବ ପେଟରେ ଲାତ ମାରିଦେଇ 
ଭରିବି ମୋର ଭଣ୍ଡାର 
ପାପ ଆଉ ନୀଚ୍ଚ କର୍ମେ ହେବି ଲିପ୍ତ 
ଲଙ୍ଘୁ ଯେତେ ଘୃଣ୍ଯସ୍ତର 
କଳାଟଙ୍କା ବଳେ ଗାଡିରେ ମୋହର 
ଲଗାଇବି ନାଲିବତୀ 
ମୁଁ ହେବି ଏବେ ଏକ ନେତ୍ରୀ ।।
ସମାଜ ନିର୍ମାଣ ପଥେ ଆଗେଇଲି 
ପାଇଲି ନାହିଁ ଖାତିରି 
ମିଳେନି ପ୍ରଶଂସା ହୁଏ ଲୋକହସା 
ଦୁର୍ଦ୍ଦିନରେ ଯାଏ ଝରି 
ଲୋକପ୍ରିୟ ହୋଇ ଅୟସ କରିବି 
ହୋଇ ଏକ ଶିଳ୍ପପତି
ମୁଁ ହେବି ଏବେ ଏକ ନେତ୍ରୀ ।।
ବିନା ପଇସାରେ ସାହାଯ୍ୟ କରିଲେ 
ମିଳେନାହିଁ ନମସ୍କାର 
ଯୋଗ୍ଯତା ଥାଇ ମୁଁ ହୁଏ ହତାଦାର 
ମିଳେନାହିଁ ପୁରସ୍କାର 
ଚୋରି ରାହାଜାନୀ କରି ଟଙ୍କା ବାଣ୍ଟି 
ଦଳରେ ହୋଇବି ବ୍ରତୀ ।।
ପତିବ୍ରତା ହୋଇ ଘରକୁ ସଜାଇ 
ହେବି କି ସାବିତ୍ରୀ, ସୀତା
ଆଧୁନିକ ଆଭିଜାତ୍ଯ ବଦଳରେ 
ପଢିବି ପୁରାଣ ଗୀତା 
ରୂପ ଇନ୍ଦ୍ରଜାଲେ ସଭିଙ୍କୁ ଫସାଇ 
ବଢାଇବି ପ୍ରତିପତ୍ତି 
ମୁଁ ହେବି ଏବେ ଏକ ନେତ୍ରୀ ।।
କି ପାଇବି ଅବା ଆଦର୍ଶ ପଥରେ 
ସୁଖ ଜଳାଞ୍ଜଳି ଦେଇ 
ଗଣ ମାଧ୍ୟମରେ ହେବି ମୁଁ ଚର୍ଚ୍ଚିତା 
କିଛି ଯୁକ୍ତି ବାଢି ଦେଇ 
ଦେଲେ ହାତଗୁଞ୍ଜା କଳାହେବ ଧଳା 
ହେବି ଏକଛତ୍ରପତି 
ମୁଁ ହେବି ଏବେ ଏକ ନେତ୍ରୀ ।।
ସମାଜରୁ ମତେ ମିଳିଗଲା ମତେ 
ଏଭଳି ଦିଗ୍ ଦର୍ଶନ 
ଡେରି ନକରି ମୁଁ ସାଉଁଟି ଆଣିବି 
ଧନ,ଯଶ ଆଉ ମାନ 
ମୁହେଁ ହସ ଅନ୍ତେ ହଳାହଳ ବିଷ 
କରି ଦୁଇ ମୁହାଁ ନୀତି 
ମୁଁ ହେବି ଏବେ ଏକ ନେତ୍ରୀ ।।
ସବୁଠାରୁ ଶସ୍ତା ଉପାର୍ଜନ ପନ୍ଥା 
ଗଣତାନ୍ତ୍ରିକ ବ୍ଯବସ୍ଥା 
ପାଞ୍ଚ ବରଷରେ ସାତ ପୁରୁଷକୁ 
ନଥିବ ଜୀବିକା ଚିନ୍ତା 
ପବ୍ଳିସିଟ୍ ପାଇଁ ଦରଦ ଦେଖାଇ 
କରିବି ମୁଁ ରାଜନୀତି 
ମୁଁ ହେବି ଏବେ ଏକ ନେତ୍ରୀ ।।
ଶୋଷଣ ବିରୁଦ୍ଧେ ନାରା ବାଜି ଦେଇ 
ଚାଲିବି ତାଣ୍ଡବ କରି 
ସହାୟତା ଦେଇ ସ୍ବାର୍ଥ ମୁଁ ଲୁଟିବି 
ବଦାନ୍ୟତା ରୂପ ଧରି 
ଦୁଃସ୍ଥ ଜନତାଙ୍କ ରକ୍ତ ,ମାଂସ ,ହାଡେ
ପକେଟ୍ ହେବ ମୋ ଭର୍ତ୍ତି 
ମୁଁ ହେବି ଏବେ ଏକ ନେତ୍ରୀ ।।

କୃଷ୍ଣ ପ୍ରସାଦ ,ପୁରୀ 

Related posts

ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ପାଳନ

Sunil Chandra Nayak

ଏକତା କ୍ଲଷ୍ଟର ତରଫରୁ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

ସରପଞ୍ଚ, ସମାଜ ସେବୀ ସହ ଡାକ୍ତରୀ ଦଳ ମେଲକୁନ୍ଦେଲ, ପିଣ୍ତାପଦର ଗ୍ରାମକୁ ଗ୍ରସ୍ତରେ

Sunil Chandra Nayak

Leave a Comment

error: Content is protected !!