ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

  ସୁଧାମୟୀ ସନ୍ଧ୍ୟା

      ବେଣୁଧର ସୂତାର 

ସହକାର କୁଞ୍ଜ ମୁକୁଳ ସୌରଭ
ପଳାଶ ବନର ରୂପ ମାଧୁରୀ
ରଜନୀଗନ୍ଧାର ସ୍ବପ୍ନ ଅଭିସାରେ
ତନୁମନେ ପ୍ରୀତି ଯାଏ ସଞ୍ଚରୀ ।।
ଅଳପ ବୟସୀ ରୂପସୀ ଅୟସୀ 
କୁଆଁରୀ ମନର ପ୍ରୀତି ଭାବନା
ତନ୍ମୟ ସପନ ଛୁଇଁ ଯାଏ ମନ
ଶିହରି ଉଠଇ ନୀଳ ନୟନା ।।
ଅୟି ପ୍ରକୃତିର ସୁଷମା ଲହରୀ
ଝୁମି ଝୁମି ଗାଏ ତୃପ୍ତି ମଲ୍ଲାର
ପ୍ରାଚୀଭାଲେଶଶୀ ଉଠିଲେବିକଶି
ଚାରୁଚନ୍ଦ୍ର ହାସ କି ମନୋହର ।।
ରୂପରୋଷଣିର ମୋହିନୀମାଳାରେ
ତାରକା ଦୀପାଳି ଉଠିଲେ ଜଳି
ବଧୂମଧୁମତୀ ପୂଜେ ବୃନ୍ଦାବତୀ
ବାଢ଼ି ସଞ୍ଜବତୀ ଅର୍ଘ୍ୟ ଅଞ୍ଜଳି ।।
ଭିଜା ଗୋଧୂଳିର ଏସନ୍ଧ୍ୟାଲଗନେ
ଭୂମିଠାରୁ ଭୂମା ଉଠଇ ହସି
ମଧୁଚନ୍ଦ୍ରିକାର ଜୋଛନା ଲହରି
ଚାରୁ ସୁଧାଧାରା ଯାଏ ବରଷି ।।
ଅମୃତ ଅଞ୍ଜନା ସନ୍ଧ୍ୟା ଦିଗାଙ୍ଗନା
ଏସୃଷ୍ଟି ଅଙ୍ଗନେ ପୀୟୂଷ ଢାଳି
ସ୍ବପ୍ନ ମହଲର ମାୟା ରଚେ ସତେ
ମଧୁସନ୍ଧ୍ୟାର ଏ ଚାରୁ ବର୍ଣ୍ଣାଳୀ ।।
ରୂପ ମହଲର କାଉଁରୀ କୁହୁକେ
ସନ୍ଧ୍ୟାରାଣୀ ଆସେ ମରତଭୂଇଁ
ଝରା ଶେଫାଳିର ମହକ ମଧୁରେ
ମଧୁସ୍ଵପ୍ନ ରଚେ ଐଶ୍ଵର୍ଯ୍ୟମୟୀ ।।
ଧରା ବର୍ଣ୍ଣବିଭା ଅତି ମନଲୋଭା
ସୁଧାମୟୀ ସନ୍ଧ୍ୟା ମଙ୍ଗଳ ନାଦେ
ପ୍ରକୃତି ଶୋଭିତ ଭବ୍ୟାନୁଭବିତ  
ନୈସର୍ଗିକସୁଖ ଐଶ୍ବର୍ଯ୍ୟ ମୋଦେ।। 

 କେଶଦୁରାପାଳ କେନ୍ଦୁଝର

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

ଖଡ଼ିଆଳରେ ଜମୁଛି ନିର୍ବାଚନ ପ୍ରଚାର

Sunil Chandra Nayak

ପୁଷ୍ଟିକର ମାସ ପାଳନ ଦିବସ ଅବସରରେ ବିଶେଷ କାର୍ଯ୍ଯକ୍ରମ ମହିଳା ଓ ସ୍ବାସ୍ଥ୍ୟ –  ଶିଶୁ ଓ ଶିକ୍ଷା

Sunil Chandra Nayak

Leave a Comment

error: Content is protected !!