ବାଲେଶ୍ଵର,୧୨/୧୨/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗ-ଗଣ୍ଡିବେଡ ଗ୍ରାମରେ ବହୁ ପୂରାତନ ମା ଜଳଙ୍ଗ ଚଣ୍ଡୀ ଠାକୁରାଣୀ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ପରିସରରେ ପଞ୍ଚମହାଦେବ ଯଥା- ସିନ୍ଧୁକେଶ୍ବର, ଗଙ୍ଗେଶ୍ବର, ଯୋଗେଶ୍ବର, ଖଗେଶ୍ବର ଓ ବାମନେଶ୍ବର, ପ୍ରଭୁ ଜୟ ହନୁମାନ, ଠାକୁର ଶନିଶ୍ଚର, ବରଦାଗଣେଶ, କାର୍ତ୍ତିକେଶ୍ବର, ଲକ୍ଷ୍ମୀଦେବୀ ଓ ବଳଭଦ୍ର ଜୀଉଙ୍କ ମନ୍ଦିର ବିଦ୍ଯମାନ ଅଟେ। ଏହି ପୂରାତନ ଚଣ୍ଡୀ ଠାକୁରାଣୀ ତଥା ଶୈବପୀଠକୁ ଦୈନିକ ବିଭିନ୍ନ ସ୍ଥାନରୁ ଭକ୍ତମାନେ ପୂଜାପାଠ କରିବା ପାଇଁ ଆସିଥାନ୍ତି । ମାନସିକ ଧାରୀଙ୍କ ମାନସିକ ପୂରଣ ପରେ ପୀଠକୁ ପୂଜା ପାଇଁ ଆସିବା ସହିତ ମୁକ୍ତ ହସ୍ତରେ କିଛି ମଧ୍ୟ ଦାନ କରିଥାନ୍ତି । ବହୁ ପୂର୍ବରୁ ଏହି ପୀଠରେ ମଇଁଷି ଓ ଛାଗଲ ବଳି ପଡୁଥିଲା । ଏହି ପ୍ରଥାକୁ ବନ୍ଦ କରିବା ପାଇଁ ଖଇରା ଗାନ୍ଧୀ ନାମରେ ପରିଚିତ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଏବଂ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟୀଙ୍କ ଉଦ୍ୟମ ଜାରି ରହିଥିଲା । ଏହାକୁ ଗ୍ରାମବାସୀ ପ୍ରବଳ ବିରୋଧ କରୁଥିଲେ । ଏଥିରେ ପୂର୍ବତନ ବିଧାୟକ ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀ ହସ୍ତକ୍ଷେପ କରିଥିଲେ । ତାଙ୍କ ପ୍ରଚେଷ୍ଟାରେ ସେ ସମୟର ମାନ୍ୟବର ଓଡିଶାର ବାଚସ୍ପତି ଯୁଧିଷ୍ଠିର ଦାସ ଓ ଜିଲ୍ଲାପାଳଙ୍କୁ ନେଇ ମନ୍ଦିର ପୀଠ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀ ଓ ପଣ୍ଡିତ ମାନଙ୍କ ସହିତ ବଳି ପ୍ରଥାକୁ ନେଇ ବିଭିନ୍ନ ଆଲୋଚନା ଓ ପର୍ଯ୍ଯାଲୋଚନା ହୋଇଥିଲା । ଶେଷରେ ବଳି ପ୍ରଥା ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ମାନସିକ ଧାରୀଙ୍କ ଠାରୁ ଆସିଥିବା/ଆସୁଥିବା ବଳିକୁ ମା ଙ୍କ ଆଗେରେ ପୂଜାର୍ଚ୍ଚନା କରାଯାଇ ଉତ୍ସର୍ଗ କରାଯିବ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ଚୁଡାନ୍ତ ନିଷ୍ପତ୍ତି ହୋଇଥିଲା । ସେହି ନିଷ୍ପତ୍ତିକୁ ଆଜି ପର୍ଯ୍ୟନ୍ତ ଟ୍ରଷ୍ଟ ବୋର୍ଡ ଓ ଗ୍ରାମବାସୀ ମାନେ ମାନି ଚଳି ଆସୁଅଛନ୍ତି ।
ଏହି ପୀଠ ନିମନ୍ତେ କୌଣସି ସ୍ବାଗତ ଗେଟ୍ ନଥିଲା । ଏଥି ନିମନ୍ତେ ଦୀର୍ଘ ଦିନ ଧରି ଟ୍ରଷ୍ଟ ବୋର୍ଡ, ଟ୍ରଷ୍ଟୀ ଓ ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଥିଲେ । ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଓ ବର୍ତ୍ତମାନର ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟୀ ପ୍ରଫୁଲ୍ଲ କୁମାର ଦାସଙ୍କ ଉଦ୍ୟମ କ୍ରମେ ତା ୧୨/୧୨/୨୦୨୨ ରିଖ ସୋମବାର ଶୁଭ ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭ ପୂଜନ କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ପଣ୍ଡିତ ତ୍ରୈଲୋକ ତିଆଡି, ବେଣୁଧର ପଣ୍ଡା ଓ ଉମାକାନ୍ତ ପଣ୍ଡାଙ୍କ ମନ୍ତ୍ରପାଠ ପରେ ରାଣିତାଲ- କୁପାରୀ ରାସ୍ତାରୁ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଛକ ଠାରେ ବିଧାୟକ ପ୍ରଥମେ ନଡ଼ିଆ ବାଡେଇ ମା ଚଣ୍ଡିମାତାଙ୍କ ସ୍ବାଗତ ଗେଟର ଶୁଭ ପୂଜନ କରିବା ପରେ ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ଜିଲ୍ଲାପରିଷଦ ସଦସ୍ୟା ସୁଷମା ମହାପାତ୍ର, ସରପଞ୍ଚ ମନ୍ଦାକିନୀ ଦାସ, ସମିତି ସଭ୍ୟ ନାରାୟଣ ଦାସ ଓ ବ୍ଲକ ଉପାଧ୍ୟକ୍ଷ ପ୍ରମୁଖ ନଡ଼ିଆ ବାଡେଇ ଥିଲେ । ଉକ୍ତ ଶୁଭ ପୂଜନ ସମୟରେ ଯୁବନେତା ସଞ୍ଜୟ ତିଆଡି, ନାରାୟଣ ଦାସ, ସୁଶାନ୍ତ ମହାପାତ୍ର, ଅନନ୍ତ ପଣ୍ଡା, ବନବିହାରୀ ନାୟକ, କୈଳାସ ରଣା, ଭଗବାନ ଦାଶ, ନିମାଇ ଚରଣ ବାରିକ, ପୂର୍ଣ୍ଣ ଚନ୍ଦ୍ର ଦାସ, ସିଆରପି ଗୌରୀ ନାୟକ ଓ ଲକ୍ଷ୍ମୀପ୍ରିୟା ନାୟକ, ସାବିତ୍ରୀ ପଣ୍ଡା, ଚିତ୍ରରେଖା ତିଆଡି, ରୁକ୍ମଣୀ ବେହେରା, ପୂର୍ଣ୍ଣିମା ପଣ୍ଡା, ମମତା ବେହେରା, ଉର୍ମିଳା ଦାସ, ସୁସ୍ମିତା ସାହୁ, ସସ୍ମିତା ବେହେରା, ତପସ୍ବିନୀ ଦାସ ଓ ଇତିପ୍ରଭା ମହାପାତ୍ରଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟ ପାଇଁ ବିଧାୟକ ହାତ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ସମସ୍ତଙ୍କ ସାମ୍ନାରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଘୋଷଣା କରିଥିଲେ । କିନ୍ତୁ ମନ୍ଦିର ବେଢାର ପକ୍କା ହତାବନ୍ଦୀ କାର୍ଯ୍ୟ କରାଯାଇଥିଲେ ମଧ୍ୟ କାର୍ଯ୍ୟ କରିଥିବା ବ୍ଯକ୍ତିଙ୍କୁ ଏପର୍ଯ୍ୟନ୍ତ ବିଲ୍ ନ ମିଳିବା ବଡ଼ ଦୁଃଖ ଓ ପରିତାପର ବିଷୟ ପାଲଟିଛି, ଯାହା ଟ୍ରଷ୍ଟୀ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଗେଟ୍ କାର୍ଯ୍ୟ ସରୁଛି ଓ ହତାବନ୍ଦୀ ନିର୍ମାଣ କାରୀଙ୍କୁ ବିଲ୍ ମିଳୁଛି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ