ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ କବିତା ଚାଲ ଫେରିଯିବା ଆଦିମ ଯୁଗକୁ

   ଚାଲ ଫେରିଯିବା

      ଆଦିମ ଯୁଗକୁ

ଆଗାମୀ ବଂଶଧର
ସେମାନଙ୍କ ଭାଗ୍ୟ ଓ ଭବିଷ୍ୟ
ଧୂମାଛନ୍ନ
କୁହୁଡି ହିଁ କୁହୁଡି
ଚତୁର୍ଦ୍ଦିଗ ଝାପ୍ହା ଅନ୍ଧକାର ମୟ
ଏ ମାନବଜାତି
ବିକାଶାଭିମୁଖୀ
ଅବା ବିନାଶାଭିମୁଖୀ!
କେବେ ଆମେ ଗାଉଥିଲୁ
“ଆମେ ତ ଭାଗ୍ୟବାନ ପିଲାରେ
ଆଉ କେ ଆମ ପରି ଥିଲା ରେ”
କିନ୍ତୁ
ଆମ ପୌତ୍ରଙ୍କ ପୌତ୍ର
ହୁଏତ ଗାଇବେ
“ଆମେତ ଜନମୁ ଅଭାଗାରେ
କିସ ବା ଆମ ପାଇଁ ଅଛିରେ
ପବନେ ଭରା ଆଜି ଜହର
ପାନୀୟ ଜଳ ମଧ୍ୟ ଦୁଷ୍କର 
ଜାଣି ବି ସେହି ପାଣି ପିଉଛୁ
ଉପାୟ ଯେଣୁ ନ ପାଉଛୁ
ବିଶୁଦ୍ଧ ଅମ୍ଳଜାନ ସପନ
ବିଷ କରୁଛୁ ଆମେ ଭକ୍ଷଣ
ଆମ ଆୟୁଷ ଆଜି କ୍ଷୀଣ 
ବଞ୍ଚିଛୁ ସିନା ଅଟୁ ରୁଗ୍ଣ 
ଖଣି ଖାଦାନ ସବୁ ଶୂନ୍ୟ
ସରିଛି ଯେତେ ସବୁ ଇନ୍ଧନ
କଙ୍କ୍ରିଟ୍ ଜଙ୍ଗଲରେ ରହୁଛୁ
ସବୁଜ ବୃକ୍ଷ ଛାୟା ଝୁରୁଛୁ
ହୋଇଛି ଇତିହାସ ତାହା
ଭୂଗୋଳେ ନାହିଁ ତାର ରାହା”
ଏମିତି ଏବେ
ଲକ୍ଷେ ଲେଖନୀରୁ
ଝରିପଡେ ଚୂନା ଚୂନା ଶବ୍ଦ
ସହସ୍ର ସହସ୍ର କଲମର
ବିକଳ ଆର୍ତ୍ତନାଦ
ବେଦନା ବିଧୁରିତ ନିଷ୍ଫଳ ଚିତ୍କାର
ବିନିମୟେ
ପୁରସ୍କାର ପ୍ରଶଂସା ସମ୍ବର୍ଦ୍ଧନା ଉପାଧି
ଏ ସବୁ କି ଲୋଡ଼ା!
ଗୋଟିଏ ମାତ୍ର ହୃଦୟ
ଭବିଷ୍ୟ ରୂପକୁ କଳ୍ପନ୍ତା
ମାଟି ମାଆକୁ ଝୁଣି ଝୁଣି
ଖାଇବା ତେଜନ୍ତା
ମାନବିକତାର ମନ୍ତ୍ର ଉଚ୍ଚାରନ୍ତା
ବିଳାସ ବ୍ୟସନୁ ଦୂରେ
ସ୍ୱାର୍ଥପର ନୀତିକୁ
ତ୍ୟାଗନ୍ତା
ଅଳ୍ପକେ ସନ୍ତୁଷ୍ଟ ହୁଅନ୍ତା
କୁଟି ଖାଇ କାଟି ପିନ୍ଧି
ଯାନ୍ତ୍ରିକ ସଭ୍ୟତା କବଳେ
ଯନ୍ତ୍ର ନ ହୁଅନ୍ତା
ସିନ୍ଧୁଟି ବିନ୍ଦୁରେ ଗଢ଼ା
ଗୋଟିଏ ବି କୋଟିଏ ହୁଅନ୍ତା

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ 

ଗ୍ରନ୍ଥାଗାର ଅଧିକ୍ଷକା 
ଡେରାବିସ ମହା ବିଦ୍ୟାଳୟ
କେନ୍ଦ୍ରାପଡ଼ା

Related posts

ଶିକ୍ଷକ ଓ ଅବିଭାବକ ସମ୍ମିଳନୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଦ୍ୱାରା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ପ୍ରତି ହୋଇଥିବା ବେଆଇନ ଗିରଫ ଓ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା

Leave a Comment

error: Content is protected !!