ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସ୍ମୃତିରଞ୍ଜନ ଦାସ ଙ୍କ କବିତା ।। ପ୍ରିୟା ଚିଠିର ଉତ୍ତର ।।

।।। ପ୍ରିୟା ଚିଠିର ଉତ୍ତର ।।।

ପ୍ରିୟା, 
       ପାଇଛି ତୁମରି ଚିଠି ପ୍ରାଣପ୍ରିୟା 
ବୁଝିଛି ବେଦନା ଯେତେ 
ସ୍ୟାହିରେ ନଲେଖି ଲହୁରେ ଲେଖିଛ
ତୁମେ ସେ ଚିଠି କି ସତେ ।
ବୁନ୍ଦା ବୁନ୍ଦା ଅଶ୍ରୁ ପଡି ତା ଉପରେ 
ଅକ୍ଷର ଲଭିଛି କେତେ 
ଜମାଟ ଦୁଃଖକୁ ତରଳାଇ କରି 
ଭାବ କି ଲେଖିଛ ମୋତେ ।
ପଚାରିଛି ସାଥୀ ତୁମ ବିନା ସଖୀ 
କେମିତି କଟୁଛି ଦିନ 
ମନେ ପଡି କରି ଆମ ସ୍ମୃତି ସବୁ 
ଅଧିର ହୁଏ କି ମନ ?
ପୁଣି ପଚାରିଛ ଭୁଲି କି ଯାଇଛ 
ଘରକୁ ବାହୁଡା ପଥ 
ମୋତେ ଛାଡି କରି ବିଦେଶରେ ତୁମେ 
ଏମନ୍ତ କେମନ୍ତ ଅଛ ?
ଯେତେ ଥର ପଢ଼େ ତୁମ ସେ ଚିଠିକୁ 
ବିରହେ କାନ୍ଦେ ମୁଁ ଭାରି 
ତନ୍ଦ୍ରାହୀନ ନେତ୍ରେ କାଟେ ଯେ ରଜନୀ 
ତୁମରି କଥାକୁ ଭାଳି ।
ଶର୍ବରୀ ଶେଷରେ ଅନ୍ତିମ ପ୍ରହରେ 
ଆଖି ଯେବେ ଲାଖିଯାଏ 
ସପନରେ ଦେଖେ ତୁମ ପ୍ରତିଛବି 
ଆଖି ଖୋଲିଲେ ନଥାଏ ।
ବରଷା ଛୁଇଁଲେ ଗଣ୍ଡଦେଶ ମୋର 
ତୁମ ସ୍ପର୍ଶ ମନେ ପଡେ 
ବିହଙ୍ଗ କାକଳି ତୁମ ସ୍ଵର ଭ୍ରମ 
ମନ ମଧ୍ୟେ ସୃଷ୍ଟି କରେ ।
ଚଞ୍ଚଳତା ନାହିଁ ମାଦକତା ନାହିଁ 
ମୋ ମନେ ତୁମରି ବିନା 
ଶିହରଣ ନାହିଁ ମନ୍ଦ ମଳୟରେ 
କରେନା ସେ ଆନମନା ।
କେମିତି କହିବି ତୁମ ବିନା ଏଠି 
କେମିତି କଟୁଛି ଦିନ 
କେବଳ ଶରୀର ପଡି ରହି ଅଛି 
ତୁମ ପାଶେ ମୋର ପ୍ରାଣ ।
ବୁଝାଇ ଦେଇଛି ମନକୁ ମୋହର 
ଏଇ ଯେ ବାରତା ଦେଇ 
ଆତ୍ମାର ଯେଉଁଠି ମିଳନ ହୋଇଛି 
ସେଠି କି ବିରହ ଥାଇ ।
ମନର ଯେତିକି ଅବ୍ୟକ୍ତ ଭାବନା 
ଲେଖି ମୁଁ ଦେଉଛି ଚିଠି 
ହେଲେ ହେଉ ନାହିଁ ଭାବନାର ଅନ୍ତ 
ଆହୁରି ଅନେକ ବାକି ।
ଇତିରେ କେବଳ ଏତିକି କହିବି 
ମୁଁ ତୁମ ପ୍ରେମିକ ବୋଲି 
ମୋ ବାହୁଡା ପଥ ଚାହିଁଥିବ ପ୍ରିୟା 
ହୃଦୟ କବାଟ ଖୋଲି ।

ସ୍ମୃତିରଞ୍ଜନ ଦାସ 

ଭୁବନେଶ୍ବର 

Related posts

ରଙ୍କନିଧି ସେଠୀ ଙ୍କ କବିତା // ଓମ୍ ନମଃ ଶିବାୟ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ହେ ଇଂରାଜୀ ନବବର୍ଷ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = କାଳିଆ ରେ

Sunil Chandra Nayak

Leave a Comment

error: Content is protected !!