ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ପର୍ଯ୍ୟଟକ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ‘ ସାପୁଆ ଜଳ ଭଣ୍ଡାର ‘

 ଢେ଼ଙ୍କାନାଳ (ମ ସୀ ହା) ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ। 

ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ‘ସାପୁଆ’କୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ। ଭୁବନେଶ୍ୱରଠାରୁ ପ୍ରାୟ ୯୦ କିଲୋମିଟର ଏବଂ ଢେଙ୍କାନାଳଠାରୁ ୪୦ କିମି ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟନ ଋତୁରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ବଣଭୋଜି ପାଇଁ ଏହା ପ୍ରକୃଷ୍ଟ ସ୍ଥାନ। ସେହିପରି ଢେଙ୍କାନାଳ, ଅନୁଗୋଳ ଜିଲ୍ଲାର ପ୍ରକୃତିପ୍ରେମୀ ଅପରାହ୍ନରେ ପ୍ରକୃତିର ଶୋଭାକୁ ଉପଭୋଗ କରିବା ପାଇଁ ଏଠାରେ ଭିଡ଼ ଜମାଇଥାଆନ୍ତି। ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ନିର୍ମାଣ କରାଯାଇଥିବା ସର୍ପିଳ କଂକ୍ରିଟ୍‌ ସ୍କୁଇସ୍‌ ଗେଟ୍‌ ଏହାକୁ ଅଧିକ ଆକର୍ଷଣୀୟ କରିଥିବାବେଳେ ନିକଟ ଜଙ୍ଗଲରୁ ପାଣି ପିଇବାକୁ ଆସୁଥିବା ହରିଣ, ହାତୀଙ୍କ ଜଳକ୍ରୀଡ଼ା ଦୃଶ୍ୟକୁ କ୍ୟାମେରାରେ କଏଦ କରିବାକୁ ଅନେକେ ଅପେକ୍ଷା କରିଥାଆନ୍ତି।

ରାସୋଳ ଅଞ୍ଚଳର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ୧୯୯୩ରେ ଆରମ୍ଭ ହୋଇଥିଲା ‘ସାପୁଆ-ବଡ଼ଜୋରା’ କ୍ଷୁଦ୍ର ସେଚ ପ୍ରକଳ୍ପ। ୨୦୦୬ରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ୧୨୯୦ ମିଟର ଦୈର୍ଘ୍ୟ, ୨୬ ମିଟର ଉଚ୍ଚତା ବିଶିଷ୍ଟ ଏହି ଡ୍ୟାମ୍‌ ୩୬୮୨ ହେକ୍ଟର ଜାଗାରେ ଅବସ୍ଥିତ। ଜଳସେଚନ ଉଦ୍ଦେଶ୍ୟରେ ନିର୍ମିତ ଏହି ଜଳଭଣ୍ଡାର ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

ତେବେ ଏଭଳି ଏକ ପର୍ଯ୍ୟଟନସ୍ଥଳୀ ସରକାର ଏବଂ ପ୍ରଶାସନିକ ଅବହେଳାରୁ ଅବହେଳିତ ଅବସ୍ଥାରେ ରହିଛି। ଏହାକୁ ନୂଆ ରୂପ ଦେବାକୁ ୨୦୧୯ ରେ ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିଲା। ହେଲେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ପିଇବା ପାଣି ସୁବିଧା ନ ଥିବାରୁ ସାପୁଆଠାରୁ ୫ କିଲୋମିଟର ପୂର୍ବରୁ ଥିବା ରାସୋଳ-ତେଲିଭୂଇଁ ଛକରୁ ପର୍ଯ୍ୟଟକଙ୍କୁ ପାଣି ବୋହି ନେବାକୁ ପଡୁଛି।

ଆଲୋକ ବ୍ୟବସ୍ଥା ନ ଥିବାରୁ ସଞ୍ଜ ନଇଁଲେ ଅସାମାଜିକଙ୍କ ଆଡ୍ଡା ପାଲଟୁଛି ସାପୁଆ। ପରିବାର ସହ ଆସିଥିବା ପର୍ଯ୍ୟଟକଙ୍କ ସୁରକ୍ଷା ସନ୍ଧିହାନ ହୋଇପଡୁଥିବାରୁ ସେମାନେ ତରବରିଆ ଭାବେ ଫେରିବାକୁ ବାଧ୍ୟ ହେଉଛନ୍ତି। ଆଲୋକୀକରଣ ବ୍ୟବସ୍ଥା, ପାର୍କିଂ ସୁବିଧା ସହ କେତେକ ଦୋକାନ ଖୋଲିବାକୁ ଅନୁମତି ଦିଆଗଲେ ଏହି ପର୍ଯ୍ୟଟନ ସ୍ଥଳୀ ଅଧିକ ଚଳଚଞ୍ଚଳ ହୋଇପାରନ୍ତା।

ସେହିପରି କନ୍ଧରା-ସାତକୋଶିଆ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏହି ପର୍ଯ୍ୟଟନସ୍ଥଳୀରେ ଓ୍ବାଚ୍‌ ଟାଓ୍ବାର କରାଗଲେ ଦୂରଦୂରାନ୍ତର ଯାଏ ସବୁଜିମା, ବନ୍ୟଜୀବନକୁ ଉପଭୋଗ କରିହେବ। ଏଠାରେ ସୂଚନା ଯୋଗ୍ୟ ଯେ କିଛି ଦିନ ପୂର୍ବେ ଢେ଼ଙ୍କାନାଳ ଜିଲ୍ଲା ୱେବ୍ ମିଡିଆ ସାମ୍ୱାଦିକ ସଙ୍ଘ ର ବାର୍ଷିକ ମହୋତ୍ସବ ଏହି ଠାରେ ଅନୁଷ୍ଠିତ ହୋଇଯାଉଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସାପୁଆ ର ବିକାଶ ପାଇଁ ସର୍ବଦା ଚେଷ୍ଠା କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି l ଏଇ ପରି ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଦାନ ଦେଲେ ‘ସାପୁଆ’ର ବିକାଶ ପାଇଁ ବାଟ ଫିଟନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ , ମୋ ଘର ଯୋଜନା ଉପରେ ମୋହର 

୨୨ଟି ପଛୁଆ ବର୍ଗର ଜାତିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ (ଏସଇବିସି) ତାଲିକାରେ ସାମିଲ

Sunil Chandra Nayak

ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଓ ଭଲକାମ କରିଥିବା ବ୍ଲକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପୁରସ୍କୃତ କରାଯିବ ବୋଲି ୫ଟି ସଚିବଙ୍କ ଘୋଷଣା

Leave a Comment

error: Content is protected !!