ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଭିଡ଼ିଓ

ବେଣୁଧର ସୂତାର ଙ୍କ କବିତା// ଆସ ତୁମେ ନୂଆ ବର୍ଷ

  ଆସ ତୁମେ ନୂଆ ବର୍ଷ

 

    //ବେଣୁଧର ସୂତାର //

ସୁନା ସୋରିଷର ସ୍ଵର୍ଣ୍ଣମୟ ଆଭା
ହିମ ଶଶିରର ପଣତ ତଳେ
ସମୟ ସ୍ରୋତର ନୈସର୍ଗିକ ଧାରା
ଭାବ ତନ୍ମୟର ମୂର୍ଛନା ତୋଳେ ।।
ସ୍ଵର୍ଣ୍ଣ ଘନ କ୍ଷେତ ଗାଉଛି ସଙ୍ଗୀତ
କେଦାରେ ଖେଳଇ ଲହରି ମାଳା
ନବ ମଗୁଶୁର ବୈଭବ ସମ୍ଭାର
ମାଟି ବୈକୁଣ୍ଠର ଐଶ୍ଵର୍ଯ୍ୟ ମାଳା ।।
ରଜନୀଗନ୍ଧାର ସ୍ଵପ୍ନିଳ ସୁରଭି
କୁସୁମେ କୁସୁମେ ରଙ୍ଗ ବର୍ଣ୍ଣାଳୀ
ତୁମ ଆଗମନେ ଧରା ମଧୁମୟ
ବିହଙ୍ଗମ କଣ୍ଠେ ମୂର୍ଛନା ତୋଳି ।।
ତୁମ ସ୍ଵାଗତିକା ଅଭିନନ୍ଦନିକା
ଗାଏ ଉଜାଗରେ ଦୀପାଳି ଜାଳି
ଗେଣ୍ଡୁ ଗୋଲାପର ନବ ଯୂଥିକାରେ
ଶୁଭ ସ୍ଵାଗତର ଏ ଅର୍ଘ୍ୟାଞ୍ଜଳି ।।
ଅଖଣ୍ଡ ଉର୍ଜ୍ଜାର ସ୍ଵର୍ଣ୍ଣିମ ମାଳାରେ
ନୂଆ ବର୍ଷ ତୁମେ ଆସ ହେ ଆସ
ତୁମ ଆଗମନୀ ପୂତ ଆବାହନୀ
ଗାଇ ଉଠେ ଆଜି ନିଖିଳ ବିଶ୍ଵ ।।
ସୁଖ ସୌଭାଗ୍ୟର 
                   ଐଶ୍ଵର୍ଯ୍ୟ ସମ୍ଭାରେ
ମମତା ପୀୟୂଷ ଦିଅ ପରଶି
ଭୁଲିଯାଉ ବିଶ୍ଵ ବିଗତ ବିଷାଦ
ଅମିତ ଦୁଃଖର ବେଦନା ରାଶି ।।
ତୂଟିଯାଉ ବିଶ୍ଵ ଜନ ମାନସରୁ
ମହାମାରୀ ର ଏ ମରଣ ଭୟ
ଅମାପ ପ୍ରେମରେ ସମ୍ଭାବନା ସୁରେ
ହେଉ ବିଶ୍ଵ ଚିର ସୁନ୍ଦରମୟ ।।
ଆସି ଅଛ ତୁମେ ହେ ନୂଆ ବରଷ
ଶାନ୍ତି ସଂପ୍ରୀତିର ବାରତା ନେଇ
ବିଶ୍ଵମୟତାର ମାଧୁର୍ଯ୍ୟ ମଧୁରେ
ନିଖିଳ ମୁଖରେ ହସ ଝରାଇ ।।
ଏଥି ସହିତ ସମସ୍ତ ସାରସ୍ବତ ସ୍ରଷ୍ଟା ତଥା ସାହିତ୍ୟ ପ୍ରେମୀ ମାନଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭ ଅଭିନନ୍ଦନ  ସହିତ ଅନେକ ଅନେକ ଶୁଭେଚ୍ଛା,ଶୁଭ କାମନା । ୨୦୨୩ ବର୍ଷ ଆପଣ ମାନଙ୍କ ପାଇଁ ଶୁଭଙ୍କର ଏବଂ ସମୃଦ୍ଧି ର ବର୍ଷ ହେଉ ।

 

                     ବେଣୁଧର ସୂତାର 

                        କେଶଦୁରାପାଳ କେନ୍ଦୁଝର

Related posts

ଜଣା ଅଜଣା… ସମସ୍ତଙ୍କର ପସନ୍ଦ ସୁସ୍ୱାଦୁ ଜିଲାପି

Sunil Chandra Nayak

Leave a Comment

error: Content is protected !!