ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଭିଡ଼ିଓ

ଜଣା ଅଜଣା… ସମସ୍ତଙ୍କର ପସନ୍ଦ ସୁସ୍ୱାଦୁ ଜିଲାପି

ଜଣା ଅଜଣା….ସମସ୍ତଙ୍କର ପସନ୍ଦ ସୁସ୍ୱାଦୁ ଜିଲାପି 

ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କୁ ମିଠା ଜିନିଷ ଖାଇବା ବେଶ ପସନ୍ଦ। କିଛି ଲୋକଙ୍କୁ ଖାଦ୍ୟ ଖାଇବା ପରେ ମିଠା ଖାଇବାକୁ ଭଲ ଲାଗେ। ସେଭଳି ଅନେକ ସମୟରେ ମନ ଦୁଃଖ କିମ୍ବା ଚିନ୍ତାଗ୍ରସ୍ତ ଥିବା ସମୟରେ ମିଠା ଜିନିଷ ଖାଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ବୋଲି କୁହାଯାଏ। ସେଭଳି କିଛି ସ୍ୱତନ୍ତ୍ର ସ୍ଥାନରେ କିଛି ବିଶେଷ ମିଠା ଜିନିଷ ରହିଛି। ଯାହା ପାଟିର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ତେବେ ଜାଣନ୍ତୁ ମିଠା ତାଲିକାରେ ଥିବା ଭାରତର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ଜିଲାପି ବିଷୟରେ ….

ଦେଶରେ ଭିନ୍ନ ସ୍ଥାନରେ ଓ ଭିନ୍ନ ଶୈଳୀରେ ପ୍ରସ୍ତୁତ ହେଉଥିବା ଜିଲାପିର ସ୍ୱାଦ ମଧ୍ୟ ଭିନ୍ନ।

ପନିର ଜିଲାପି – ଏହା ପଶ୍ଚିମବଙ୍ଗର ସବୁଠାରୁ ଲୋକପ୍ରିୟ ଜିଲାପି। ଏହା କ୍ରିମ, ମଇଦା, ଲେମ୍ବୁ, ଓ କ୍ଷୀରରେ ପ୍ରସ୍ତୁତ କରାଯାଏ।

ଖୁଆ ଜିଲାପି – ଏହା ମଧ୍ୟପ୍ରଦେଶର ପ୍ରସିଦ୍ଧ ଜିଲାପି। କ୍ଷୀରକୁ ଭଲ ଭାବେ ଫୁଟାଇ ସେହି କ୍ଷୀରରୁ, ମଇଦା ଆଦିର ମିଶ୍ରଣରୁ ପ୍ରସ୍ତୁତ କରାଯିବା ସହ ଥଣ୍ଡାକ୍ଷୀର କିମ୍ବା ମଲେଇ ସହ ଖିଆଯାଏ।

ଜାଙ୍ଗରୀ – ଏହା ବିରି ଡାଲିର ଘୋଳରେ ପ୍ରସ୍ତୁତ କରାଯାଏ। ସ୍ୱାଦରେ ଏହା ଖଟାଳିଆ। ବିଶେଷ କରି ଉତ୍ତରପ୍ରଦେଶ ଓ ବିହାରରେ ଲୋକେ ଏହାର ମଜାର ନେଇ ଥାଆନ୍ତି।

ଜଲେବା – ଏହାକୁ ଜିଲାପିର ବଡ ଆକାର ବୋଲି କୁହାଯାଏ। ଉତ୍ତର ଭାରତରେ ଏହାର ଲୋକପ୍ରିୟତା ଅଧିକ। ଅଟାରେ ପାଣି ବ୍ୟବହାର କରି ରାତିସାରା ରଖି ସକାଳେ ଏହାକୁ ଛାଣି ପ୍ରସ୍ତୁତ କରାଯାଏ।

ବିରି ଜିଲାପି – ଏହାକୁ ମଧ୍ୟ ବିରି ଡାଲି ବ୍ୟବହାର କରି ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଏ।

ଇମରତୀ ଜିଲାପି – ଏହାକୁ ବିରି ଡାଲି, କଣ୍ଣପ୍ଲୋର,କେସରରେ ପ୍ରସ୍ତୁତ କରି ସିରାରେ ପକାଯାଏ।

ମିଠା ଖାଉଥିବା ଲୋକମାନଙ୍କ ପାଇଁ ଜିଲାପି ଗୋଟିଏ ସ୍ୱାଦିଷ୍ଟ ମିଷ୍ଠାନ। ଭାରତର ଅଧିକାଂଶ ରାଜ୍ୟରେ ଜିଲାପି ବିକ୍ରି ହେଉଥିବା ଦେଖିବାକୁ ମିଳିଥାଏ। ଜିଲାପି ଖାଇବାକୁ ମଧ୍ୟ ଭାରତୀୟମାନଙ୍କ ପାଖରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥାଏ।। ତେବେ ଏହି ଜିଲାପି ଭାରତରୁ ନୁହେଁ। ଏହା ବିଦେଶୀ ରାଷ୍ଟ୍ରରୁ ଭାରତକୁ ଆସିଛି ବୋଲି କେତେକ କହୁଛନ୍ତି।

ସେମାନଙ୍କ କହିବା ଅନୁସାରେ ଆରବ ଦେଶରୁ ଏହି ଜିଲାପି ଭାରତ ଆସିଛି। ଜିଲାପି ଶବ୍ଦଟି ମଧ୍ୟ ଆରବ ଶବ୍ଦରୁ ଆସିଛି। ଜିଲାପିର ପ୍ରକୃତ ନାଁ ହେଉଛି ‘ଜଲବିୟା’। ମଧ୍ୟଯୁଗୀୟ ବହି ‘କିତାବା-ଉଲ୍-ତବିକ’ରେ ଏ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ବୋଲି କୁହାଯାଏ। ଏହି ବହିରେ ଲେଖାହୋଇଛି କି, ‘ଜଲବିୟା’ ପଶ୍ଚିମ ଏସିଆରେ ପ୍ରଥମେ ତିଆରି କରାଯାଇଛି।

ସେହିପରି ଇରାନରେ ମଧ୍ୟ ଜିଲାପି ‘ଜୁଲବିୟା’ ନାମରେ ଖୁବ ପରିଚିତ। କୁହାଯାଏ କି, ୫୦୦ବର୍ଷ ତଳେ ତୁର୍କୀମାନେ ଭାରତ ଆକ୍ରମଣ କରି ବିଜୟୀ ହେବା ପରେ ଏହି ମିଠାଟି ଭାରତକୁ ଆସିଥିଲା।

ବର୍ତ୍ତମାନ ଭାରତର ଅଧିକାଂଶ ସ୍ଥାନରେ ଏହି ଜିଲାପି ଖୁବ ପରିଚିତ। ଭାରତର କେତେକ ରାଜ୍ୟରେ ୩୦୦ଗ୍ରାମର ବଡ଼ ବଡ଼ ଜିଲାପି ମଧ୍ୟ ଦେଖିବାକୁ ମିଳିଥାଏ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବେଣୁଧର ସୂତାର ଙ୍କ କବିତା// ଆସ ତୁମେ ନୂଆ ବର୍ଷ

Sunil Chandra Nayak

Leave a Comment

error: Content is protected !!