ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ ରମ୍ୟ ରଚନା // ଇଏ କି ପ୍ରକାର ସ୍ଵାଧୀନତା??

  ଇଏ କି ପ୍ରକାର ସ୍ଵାଧୀନତା??

             ଅପର୍ତ୍ତି ସେଠୀ

    ( ମଦୁଆ ଉବାଚ,ରମ୍ୟ ରଚନା) 
ଯୋଉଠି ମଣିଷ ଶାନ୍ତିରେ ଟିକିଏ
      ମାଲ୍ ମାରି ପାରୁନାହିଁ,
କି ଛକମଝିଟାରେ ଶାନ୍ତିରେ କାହାକୁ
      ଗାଳି କରିପାରୁ ନାହିଁ।
(ପୁଣି)ରଙ୍ଗନାନୀ ସହ ଲୁଚିଛପିକରି
       ହେଇ ପାରେନାହିଁ କଥା,
ଇଏ କି ପ୍ରକାର ସ୍ଵାଧୀନତା ??
ମେନ୍ ରୋଡ୍‌ଠାରୁ କାଉଣ୍ଟର ପୁଣି 
     ଦି’କିଲୋ ମିଟର ଦୂର,
ଦୋହଲି ଦୋହଲି ଆସୁଥିଲା ବେଳେ
       ପୋଲିସ ଲାଠି ପାହାର।
ଅଧିକା ଚଢିଲେ ରାସ୍ତାରେ ଶୋଇଲେ
       ମୁତୁଛି ମୁହଁରେ କୁତା      
ଏହା କି ପ୍ରକାର ସ୍ଵାଧୀନତା ??
 ଯଦି ଇଲେକ୍ସନ ବେଳ ବର୍ତ୍ତମାନ
      ମାଗଣା ମଦ ମିଳୁଛି,
ଘରେ ବି ମାଗଣା ଘରଣୀର ଝାଡ଼ୁ
      ମୋ ପିଠିରେ ଗର୍ଜ୍ଜୁଅଛି।
ଘରଠୁଁ ବାହାର ବାହାରଠୁଁ ଘର
     ସବୁଠିଁ ହୁଏ ହୀନସ୍ତା। 
ଇଏ କି ପ୍ରକାର ସ୍ଵାଧୀନତା ????
ନିଶା ଅବସ୍ଥାରେ ଦିନେ ସଞ୍ଜବେଳେ
     ରଙ୍ଗ ନାନୀ ପାଖେ‌ ବସି,
ଭାବ ଦିଆନିଆ ହେଉଥିଲା ବେଳେ
     ତା’ସ୍ଵାମୀ ଆସିଲା ପଶି।
ବିଳମ୍ବ ନକରି ଚଢେଇଲା ଭୂଷି
     ବୁଡିଗଲା ମୋର ଚେତା।
ଇଏ କି ପ୍ରକାର ସ୍ଵାଧୀନତା????
ମଦ ମୋର ଧନ ମଦ ମୋ ଜୀବନ
      ମଦମୋର ପ୍ରାଣ ସଖା,
ମୋଦୁଃଖସୁଖରେ ମୋହାନୀଲାଭରେ
      ମଦୁଆ ଦିଅନ୍ତି ଦେଖା,
କି ପାଇଁ ଆମକୁ ମଦୁଆ ଦୃଷ୍ଟିରେ
      ଭାବୁଛନ୍ତି ଏତେ ଶସ୍ତା,
ଇଏ କି ପ୍ରକାର ସ୍ଵାଧୀନତା ????
ମଦ ପିଇଦେଲେ ଲାଜ ଛାଡିଯାଏ
      ଜଡ଼ା କହିପାରେ କଥା,
ମଦ ପିଇଦେଲେ ଅନ୍ଧାର ରାତିରେ
      ଦିଶେ ସ୍ପଷ୍ଟ ସଫା ରାସ୍ତା,
ଏଯାଏ ସ୍କୁଲ କଲେଜରେ ନାହିଁ
      କାହିଁ ମଦ କୋର୍ସ ଶିକ୍ଷା।
ଇଏ କି ପ୍ରକାର ସ୍ଵାଧୀନତା???
ବିଭିନ୍ନ ଯୋଜନା ସର୍କାର କରନ୍ତି
     ଆମ ପାଇଁ ଗୋଟେ ହୋଉ,
ମଦୁଆଙ୍କ ପାଇଁ ମଦପିଆ ଖର୍ଚ୍ଚ
      ବିଇଲ୍ ଆଗତ ହେଉ।
ଯଦି ମଦୁଆକୁ ଏ ଯାଏ ମିଳୁନି 
     ମାସିକିଆ ମଦ ଭତ୍ତା।
ଇଏ କି ପ୍ରକାର ସ୍ଵାଧୀନତା ????
ଯୋଉ ଭାଇ ମଦ ଅଧିକ ବିକିବ 
      ପ୍ରାଇଜି ଆଓ୍ଵାଡ ନେବ,
ମଦ ନେଟୱର୍କ ଯେତେ ବଢିଯିବ
     ରାଜସ୍ବ ସେତେ ମିଳିବ।
ଯଦି ମଦୁଆକୁ ପୁରସ୍କାର ନାହିଁ
      କି ଥାଇ ଏହି ବ୍ୟବସ୍ଥା,
ଇଏ କି ପ୍ରକାର ସ୍ଵାଧୀନତା???? 
ବାହାଘରେ ମଦ,ଜନ୍ମଦିନେ ମଦ,
     ଅଷ୍ଟପ୍ରହରୀରେ ମଦ,
ମଦ ବିନା ଶବ ମଶାଣୀ ଯାଏନି
      ମଦ ବିନା ସବୁ ଅନ୍ଧ।
ଏସବୁ କାର୍ଯ୍ୟରେ ଆମସମ୍ବିଧାନେ
     ଯଦି ନାହିଁ ତ ବ୍ୟବସ୍ଥା।
ଇଏ କ ପ୍ରକାର ସ୍ଵାଧୀନତା ????? 
ମଦ ସାଙ୍ଗେ ପୋଡା କରାଣ୍ଡି ଶୁଖୁଆ
      ଚେନାଚୂର୍ ମାଂସ କଷା,
ପେଗ୍ ପେଗ୍ କରି ମାରୁଥିବ ଭାଇ
       ସାଙ୍ଗକୁ ପାଖରେ ବସା,
ଯଦି ବିକ୍ରୀ ନାହିଁ ରାସନ ଦୋକାନେ
       ମଦର ବୋତଲ ଫତା,
ଇଏ କି ପ୍ରକାର ସ୍ଵାଧୀନତା ????? 
ମଦ କଣଫୁଟା,ମଦ ତଣ୍ଟିକଟା,
     ମଦ ପୁଣି ବେକ ମୋଡା,
ମଦ ଠିପିଖୋଲା ,ମହୁଲୀ,ହାଣ୍ଡିଆ
     ତାସାଙ୍ଗେ ଦେଶୀ କୁକୁଡ଼ା,
ଯଦି,ଦେଶୀ କିମ୍ଵା ବିଦେଶୀଦାରୁଟି
     ମିଳେନି ହାତ ପାହାନ୍ତା।
ଇଏ କି ପ୍ରକାର ସ୍ଵାଧୀନତା ?????
ଦୁଧବାଲା ଦୁଧ ବୁଲେଇ ବିକୁଛି
       ଲିଟର ଚାଳିଶି ମାତ୍ର,
ମଦ ଖାତିରୀରେ କାଉଁଣ୍ଟରେ ହସେ
       ଲିଭ୍‌କୁ ପାଞ୍ଚ ହଜାର।
ଦୁଧଠାରୁ ମଦ ବଳବାନ ବୋଲି
      ଯଦି ପାଇନି ମାନ୍ୟତା।
ଇଏ କି ପ୍ରକାର ସ୍ଵାଧୀନତା????? 
ଜାଣିଛି ମଦରେ ବହୁତ ପ୍ରକାର
     ବେନିଫିଟ୍‌ମାନ ଅଛି,
ଟେନ୍ସନ ହଟାଇ କିଡିନି ଖାଉଛି
      ଶୀଘ୍ର ମୁକ୍ତି ଦେଉଅଛି।
ଯମ ଭୁବନକୁ ବିନା ଟିକେଟରେ
       ମିଳିଯିବ ପୁଣି ରାସ୍ତା,
ତେଣୁ…..ହେ ସୁଜନେ ଆପଣ—-
ମଦୁଆ ହେବେ କି ସାଧୁଆ ହେବେ 
       କରୁଥାନ୍ତୁ ବସି ଚିନ୍ତା….
ଆପଣଙ୍କ ପାଖେ ଅଛି ଜାଣିଥାନ୍ତୁ
        ଏହି ଦୁଇଗୋଟି ରାସ୍ତା।

 ପାଳକଣା, କୋରୋ, କେନ୍ଦ୍ରାପଡ଼ା

Related posts

ଜୟ କୁମାର ମିଶ୍ର ଙ୍କ କବିତା = “ଲୌହ ଦାନବର, ରକ୍ତ ଭୋଜି “

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା = ସମ୍ପର୍କ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା// ସୁସ୍ୱାଗତମ ନବ ବରଷ

Sunil Chandra Nayak

Leave a Comment

error: Content is protected !!