ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦ରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ

ଏଥର ସାରା ରାଜ୍ୟ ଦେଖିବ ଅଞ୍ଚଳର ନିଆରା କଳା, ସଂସ୍କୃତି

ପ୍ରକାଶ ପାଇବ ସ୍ମରଣିକା ‘ଫୁଲଡୁମେର’

ଲାଞ୍ଜିଗଡ଼,୦୮/୦୧( )- ଆସନ୍ତା ୧୦ ତାରିଖରେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହେବ ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ । ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ଏହାକୁ ଅତ୍ୟନ୍ତ ଭବ୍ୟ ଓ ବର୍ଣ୍ଣାଢ୍ୟ ଭାବେ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି । ବ୍ଲକର ସମଗ୍ର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବକୁ ନେଇ ବେଶ୍ ଉତ୍ସାହ ଓ ଉଦ୍ଦୀପନା ଖେଳିଯାଇଥିବାବେଳେ ଉତ୍ସବକୁ ସଂପୂର୍ଣ୍ଣ ଭାବେ ଲୋକମହୋତ୍ସବରେ ପରିଣତ କରିବାକୁ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ଓ ଲାଞ୍ଜିଗଡ ବିଡିଓ ପ୍ରୟାସ ଚଳାଇଛନ୍ତି । ବ୍ଲକ ଅଞ୍ଚଳର ଲୁପ୍ତପ୍ରାୟ କଳା ସଂସ୍କୃତି ସହିତ ସ୍ଥାନୀୟ ପ୍ରତିଭାମାନଙ୍କୁ ନେଇ ଅନେକ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିବାବେଳେ ଅଞ୍ଚଳର ଢାପ, ଘୁମୁରା, ଡମ୍‌ବଜା ସହିତ ଅନ୍ୟାନ୍ୟ ଲୋକକଳାକୁ ଅଗ୍ରାଧିକାର ଭିତ୍ତିରେ ପ୍ରଦର୍ଶନ କରାଯିବାକୁ ଉତ୍ସବ ପରିଚାଳନା କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହେରୁ ଅଧିକ ସମୟ ହେଲା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ସ୍କୁଲ, କଲେଜ ସମେତ ପଞ୍ଚାୟତ ସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସର୍ବଶ୍ରେଷ୍ଠ ପ୍ରତିଭା ଚୟନ କରାଯାଇଥିବାବେଳେ ୧୦ ତାରିଖ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭିନ୍ନ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ୩୦ରୁ ଅଧିକ ଷ୍ଟଲ୍ ଖୋଲାଯିବାର ଯୋଜନା ରହିଥିବାବେଳେ କଳାହାଣ୍ଡି ଉତ୍ସବ ତଥା ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱ କପ୍‌କୁ ନେଇ ଉତ୍ସବ ପଡିଆରେ ଏକ ଆକର୍ଷଣୀୟ ବାଲୁକା କଳାର ପ୍ରଦର୍ଶନୀ କରାଯିବ ବୋଲି ସୂଚନା ମିଳିଛି । ସେହିପରି ସମଗ୍ର ଜିଲ୍ଲାରେ ପ୍ରଥମ ଥର ପାଇଁ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବକୁ ନେଇ ଏକ ଆକର୍ଷଣୀୟ ସ୍ମରଣିକା ପ୍ରକାଶନର ଦାୟିତ୍ୱ ନେଇଛି ବ୍ଲକ ପ୍ରଶାସନ ଓ ଉତ୍ସବ ପରିଚାଳନା କମିଟି । ଫୁଲଡୁମେର ନାମରେ ନାମିତ ଏହି ସ୍ମରଣିକାରେ ବ୍ଲକ ଅଞ୍ଚଳର ଅନେକ ସତ୍ୟ ଓ ତଥ୍ୟ ଉଲ୍ଲେଖ ରହିବା ସହିତ ଏକ ଅଭିଜ୍ଞ ସଂପାଦନାମଣ୍ଡଳୀ ଏହାର ପ୍ରସ୍ତୁତି ଦିଗରେ ଲାଗି ପଡିଛନ୍ତି । ସେହିପରି ବ୍ଲକ ଅଞ୍ଚଳର ବଛାବଛା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ଉତ୍ସବ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି । ଏଥର ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ହେବାକୁ ଥିବା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଅନେକ ଦୃଷ୍ଟିରୁ ନିଆରା ହେବ ଓ ଲାଞ୍ଜିଗଡ ବ୍ଲକ ଅଞ୍ଚଳର କଳା, ସଂସ୍କୃତିର ପ୍ରଦର୍ଶନ ସହିତ ଏକ ନୂଆ ଇତିହାସ ଲେଖିବ ବୋଲି ଏବେ ହାଟରେବାଟରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

୧- ଭାର ସାମ୍ୟ ହରାଇ ୧୦ଫୁଟ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ ସହ ହେଲପର , ୨- ଆଇନ ସଚେତନତା ଶିବିର ଅନୁଷ୍ଠିତ 

masiha

୧- ପରିଣତ ବୟସରେ ଶଯ୍ୟାଶାୟୀ ଅସହାୟ ବୁଢ଼ାବୁଢ଼ୀ , ୨- ମହିଳାଙ୍କ ଆତ୍ମହତ୍ୟା 

masiha

“ପରିକ୍ରମା ” ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

masiha

Leave a Comment

error: Content is protected !!