ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଚୁର୍ୟ୍ଯ ଭିତରେ ରହି ବିକାଶ ଖୋଜୁଛି ଇନ୍ଦ୍ରାବତୀ

ଜୟପାଟଣା:୨୩/୦୧(ଅନୁପମ ଭାରତ)ରାଜ୍ୟ ସରକାର ସର୍ବଦା ବିକାଶର ଡିଣ୍ଡିମ ପିଟୁଥିବାବେଳେ କେବଳ ହାତଗଣତି କିଛି ସହରକୁ ନୁଆଁ କନିଆଁ ସଜେଇ ଓଡ଼ିଶା କେତେ ସମୃଦ୍ଧ ଦେଖାଇବାକୁ ପ୍ରୟାସ ହେଉଥିବା ଅନୁମାନ କରାଯାଉଛି । କିନ୍ତୁ ତୃଣମୂଳ ସ୍ତରରେ ବିଭିନ୍ନ ଖଣି ଖୋଦାନ ଏବଂ ପ୍ରକଳ୍ପରୁ କୋଟି କୋଟି ଟଙ୍କା ରାଜସ୍ୱ ନେଇ ସେଇ ଅଞ୍ଚଳର ବିକାଶ ନାଁ ରେ ଲଲିପପ ଦେଇ ଲୋକଙ୍କୁ ବୋକା ବନାଉ ଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ସେହିପରି ଏକ ଉଦାହରଣ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ । ସୂଚନାରୁ ଜଣାପଡେ ଏହି ପ୍ରକଳ୍ପରୁ ଦୈନିକ ୬୦୦ ମେଗାୱାଟ ବିଜୁଳି ଉତ୍ପାଦନ ହୋଇ କୋଟି କୋଟି ଟଙ୍କା ରାଜସ୍ୱ ସରକାରଙ୍କୁ ମିଳୁଛି । କିନ୍ତୁ ଦ୍ୱୀପ ତଳ ଅନ୍ଧାର ସଦୃଶ ଯଥା ପୂର୍ବଂ ତଥା ପର ହୋଇ ଏହାର ପାରିପାର୍ଶ୍ବିକ ଉନ୍ନୟନ ହୋଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ପ୍ରକଳ୍ପର ପାଇଁ ଅନେକ ନିରୀହ ଅଧିବାସୀ ଗୃହ ଶୁନ୍ୟ ହୋଇଛନ୍ତି । ତାଙ୍କର ଜମି ବାଡି ହରେଇ ଭିଟାମାଟି ଛାଡିଛନ୍ତି । ସେମାନଙ୍କର ଥଇଥାନ ନାଁ ରେ ଲଲିପପ ଦେଇ ସେମାନଙ୍କୁ ଦବେଇ ଦିଆଗଲା । ଭାଗ୍ୟକୁ ଆଦରି ସେହି ବିସ୍ଥାପିତ ମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଆଜିଯାଏଁ ବାର ଦୁଆର ହେଉଛନ୍ତି । ଇନ୍ଦ୍ରାବତୀ ଏପରି ମନୋରମ ପାହାଡ଼ ପର୍ବତ ସବୁଜିମାରେ ପରିପୂର୍ଣ୍ଣ ହୋଇଛି କିନ୍ତୁ ଆନ୍ତରିକତାର ଅଭାବ ଯୋଗୁଁ ଏହାର ପାରିପାର୍ଶ୍ବିକ ଉନ୍ନତିର ଅଭାବ ଯୋଗୁଁ ଏକ ସୁରମ୍ୟ ପର୍ଯ୍ୟଟନ ସ୍ଥଳି ହେବାରୁ ଆଜିଯାଏଁ ବାଦ ପଡିଛି । ଏହି ପ୍ରକଳ୍ପର ପରିଚୟ ଦେଇଥିବା ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି ସ୍ଥଳ ପ୍ରକୃତିର ଅବଦାନ ସେହି ତିନୋଟି ପବିତ୍ର ଝରଣାର ତିନୋଟି ଧାର ଇନ୍ଦ୍ରାବତୀ ପ୍ରକଳ୍ପ ର ଜନ୍ମ ଦାତ୍ରୀ ଆଜି ନିଜର ପରିଚୟ ପାଇବା କୁ ଅନାଇ ବସିଛି । ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଆଜି ଓଡିଶାକୁ ବିଶ୍ବ ଦରବାରରେ ପରିଚୟ ଶ୍ରୁଷ୍ଟି କରାଇଛି । କିନ୍ତୁ ପ୍ରକଳ୍ପ ପ୍ରତି ବିଭାଗୀୟ କତ୍ତୃପକ୍ଷ ତଥା ସରକାରଙ୍କର ଉଦାସିନତା ଏହାର ସ୍ଥିରତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପର୍ଯ୍ୟଟନ ମାନଚିତ୍ରରେ ଇନ୍ଦ୍ରାବତୀର ଉତ୍ପତ୍ତି ସ୍ଥଳ ସ୍ଥାନ ନପାଇବା ଦୁଃଖ ଦାୟକ । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ମରଡି ଗୁଡାଗାଁର ଆମ୍ବ ଗଛ ତଳୁ ବାହାରିଥିବା ଝରଣାର ତିନୋଟି ପବିତ୍ର ଧାରା ଯେ ଦିନେ ଏକ ବିଶ୍ବ ପରିଚିତ ପ୍ରକଳ୍ପର ଜନ୍ମ ଦାତ୍ରୀ ହେବ ଓ ଲୋକେ ଉପକୃତ ହେବେ ଭାବିଲେ ଆଶ୍ଚର୍ଯ୍ୟ ହେଲେ ବି ତାହା ଆଜି ବାସ୍ତବ ରୂପ ନେଇଛି । ମହୁଲପାଟଣା ଅଣଓସାରିଆ ଘାଟି ବିପଦଜ୍ଜନକ ଅବସ୍ଥାରେ ରହିବା । ଉପରମୁଣ୍ଡରେ ଜଳ ଧାରଣ ଶକ୍ତି ହ୍ରାସ ପାଇବା ତାହାର ପଙ୍କଉଦ୍ଧାର ହୋଇ ନପାରିବା ଆଗାମୀ ଦିନରେ ପ୍ରକଳ୍ପର ସ୍ଥିରତା ନେଇ ନିଃସନ୍ଦେହରେ ବିପଦ ଶ୍ରୁଷ୍ଟି କରିବ । ତଳମୁଣ୍ଡେ ମଙ୍ଗଳପୁର ବ୍ୟାରେଜର ସ୍ଥିରତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ।ଏହି ପ୍ରକଳ୍ପ ମାଧ୍ୟମରେ କଳାହାଣ୍ଡି ର ଶହ ଶହ ହେକ୍ଟର ଚାଷଜମି ଜଳସେଚିତ ହୋଇ ଏକ ସବୁଜ ବିପ୍ଲବ ସୃଷ୍ଟି କରି ପାରିଛି । କଳାହାଣ୍ଡି ଜିଲ୍ଲା ଦେଶର ଦ୍ଵିତୀୟ ସର୍ବ ବୃହତ ଧାନ ଉତ୍ପାଦନ କରିବାର କୃତିତ୍ୱ ଅର୍ଜନ କରିଛି । ଏହି ପ୍ରକଳ୍ପର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ହେଲେ କୋଟି କୋଟି ଜନମାନସରେ ହସ ଫୁଟାଇବ । ଏଣୁ ଏହାର ସୁରକ୍ଷା ଅପରିହାର୍ଯ୍ୟ ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ମାଦକ ଦ୍ରବ୍ୟ ବଦଳରେ ବିକଳ୍ପ ଫସଲ ଚାଷ ପାଇଁ ଗୁରୁତ୍ୱ 

Sunil Chandra Nayak

ଅଯୋଗ୍ୟ ହୋଇଥିବା ତେନ୍ତୁଳିଖୁଣ୍ଟି ସରପଞ୍ଚ  ପୁଣି ଆଜି ନେଲେ ଦାଇତ୍ଵ  ବିଜୟ ଉତ୍ସବ ପାଳିଲେ କର୍ମୀ

masiha

ଖଣି ପ୍ରଭାବିତ ଅଞ୍ଚଳର ପରିବାର ମାସିକ ୩ ହଜାର ଟଙ୍କା ଭତ୍ତା ଦାବି, ଉତ୍କଳ ଆଲୁମିନା କର୍ମଚାରୀଙ୍କ ସହିତ ଆଲୋଚନ ସ୍ଥାଗିତ, ମାସକ ପାଇଁ ସମୟ ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ 

Leave a Comment

error: Content is protected !!