ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ୩ ଦିନିଆ ଶୋକ ରାଜ୍ୟ ସରକାର ଘୋଷଣା କରିଛନ୍ତି…..

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡାରୁ ଵିଧାୟକ ଥିବା ନବ ଦାସ | ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଆଜି ଝାରସୁଗୁଡାବାସୀ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି | ଉଲ୍ଲେଖ ଥାଉ କି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ ଦିନ ଦି’ପହରେ (୧୨ଟା ୨୦ମିନିଟ୍) ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ । ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରେ ନବ ଦାସଙ୍କ ମୃତଦେହକୁ ଭୁବନେଶ୍ୱର କ୍ୱାଟରକୁ ଅଣାଯାଇଥିଲା | ଏଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ପରେ ଆଜି ତାଙ୍କ ମୃତଦେହକୁ ଝାରସୁଗୁଡାସ୍ଥିତ ବାସଭବନକୁ ଅଣାଯାଇଥିଲା | ଏହାପରେ ଶୋଭାଯାତ୍ରାରେ ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲ ପଡ଼ିଆକୁ ନିଆଯାଇଥିଲା | ସେଠାରେ ନବ ଦାସଙ୍କ ଶେ‌ଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା | ଏହାପରେ ଖେରୁଆଲରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ଶେଷଯାତ୍ରା ସମୟରେ ୫-ଟି ସଚିବ ଭି କେ ପାଣ୍ଡିଆନ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଟୁକୁନି ସାହୁ, ନିରଂଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ। ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଗୋପାଳ କଣ କହିଛନ୍ତି ସେନେଇ କ୍ରାଇମବ୍ରାଞ୍ଚ ଅଧିକାରୀ କୌଣସି ସୂଚନା ଦେଇନାହାନ୍ତି |

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ୩ ଦିନିଆ ଶୋକ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସମଗ୍ର ରାଜ୍ୟରେ ୩ଦିନିଆ ଶୋକ ଉତ୍ସବ ପାଳନ କରାଯାଉଛି । ଏହି ସମୟରେ କୌଣସି ସରକାରୀ ମନୋରଞ୍ଜନ ଜନିତ କାର୍ଯ୍ୟକ୍ରମ କରାଯିବ ନାହିଁ । ଏଥିସହ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।

ଅପରପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ଏଏସଆଇ ଗୋପାଳ ଦାସ ଗିରଫ….

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଗିରଫ କରିବା ସହ ପଚରାଉଚରା ମଧ୍ୟ କରିଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏନେଇ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ପିଏସଓ ନଥିଲେ । କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ଗୋପାଳ ଦାସଙ୍କୁ କୋର୍ଟ ଫରୱାର୍ଡ କରାଯିବ । ପରେ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ । ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ଘଟଣା ସମ୍ପର୍କରେ ଅଧିକ ଖୋଳତାଡ କରିବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାମନାଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫି କୁ ବିପୁଳ ସ୍ବାଗତ 

Sunil Chandra Nayak

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହେଲେ ଲିଳାମୟୀ

masiha

Leave a Comment

error: Content is protected !!