ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧୋବେନ ପଡା ମା ଘାଟି ମୁଣ୍ଡିଆଣିଙ୍କ ବାର୍ଷିକ ମାଘ ଯାତ୍ରା

କୋକସରା,୦୧/୦୨ – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଧୋବେନ ପଡା ଠାରେ ଗ୍ରାମର ଆରାଧ୍ୟ ଦେବୀ ମା ଘାଟି ମୁଣ୍ଡିଆଣିଙ୍କ ବାର୍ଷିକ ମାଘ ଯାତ୍ରା ଶୁକ୍ଳ ପକ୍ଷ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାହାଜଖୋଲ ଜଙ୍ଗଲ ପାଦଦେଶରେ ରହିଛି ଆଦିବାସୀ ବହୁଳ ଗ୍ରାମ ଧୋବେନ ପଡା । ବହୁ ବର୍ଷ ପୂର୍ବରୁ ଏହି ଅଞ୍ଚଳ ଘୋର ଜଙ୍ଗଲ ମଧ୍ୟରେ ଅବସ୍ଥିତ ଥିଲା। ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ନିର୍ଭର କରି ଏହି ଅଞ୍ଚଳର ଆଦିବାସୀ ଜନଜାତି ମାନେ ଗୁଜୁରାଣ ମେଣ୍ଟାଉଥିଲେ। ଜଙ୍ଗଲକୁ ଯିବା ପୁର୍ବରୁ ଖଲିଗଡ଼ ଜଙ୍ଗଲ ମୁଣ୍ଡରେ ଘାଟି ଆରମ୍ଭରେ ଦେବୀ ଘାଟି ମୁଣ୍ଡିଆଣିଙ୍କ ମନ୍ଦିରରେ ମା ଙ୍କୁ ସୁମରଣା କରି ସୁରକ୍ଷିତ ଫେରିବା ପାଇଁ ବିନତୀ କରି ଜଙ୍ଗଲକୁ ଯାଉଥିଲେ । ମା ଙ୍କ ଆଶୀର୍ବାଦରୁ ସମସ୍ତେ ଜଙ୍ଗଲର ହିଂସ୍ରଜନ୍ତୁଙ୍କ କବଲରୁ ସୁରକ୍ଷିତ ଫେରୁଥିଲେ। ମା ଘାଟି ମୁଣ୍ଡିଆଣିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଗ୍ରାମର ଜନସାଧାରଣ ମାନେ ପ୍ରତି ବର୍ଷ ମାଘମାସ ଶୁକ୍ଳ ପକ୍ଷରେ ମା ଙ୍କ ମନ୍ଦିର ନିକଟରେ ମାଘ ଯାତ୍ରା ବା ମଣ୍ଡେଇ ଯାତ୍ରା ପାଳନ କରି ଆସୁଛନ୍ତି। ଆଜି ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ଗ୍ରାମର ପୁଝାରି ଗିରିଧର ପୁଝାରି ମା ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିମନ୍ତ୍ରଣ ରକ୍ଷା କରି ଆଖପାଖ ଗ୍ରାମର ମା ଠାକୁରାଣୀ, ମା ବାରଡେନି, ମା ଦନ୍ତେଶ୍ୱରୀ, ମା ଭଣ୍ଡାର ମାଉଳି ଦେବାଦେବୀଙ୍କ ଲାଠିକୁର୍ସି ଆସି ଏକତ୍ରିତ ହୋଇଥିଲେ। ପରେ ଲାଠିକୁର୍ସି ସହିତ ଦେବୀଙ୍କ କାଲିସି ମାନେ ଗ୍ରାମ ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ସମୟରେ ଦେବାଦେବୀଙ୍କୁ ମାନସିକ କରି ଶୁକ୍ଳ ଭୋଗ ଅର୍ପଣ କରିଥିଲେ। ପରେ ସନ୍ଧ୍ୟାରେ ଦେବାଦେବୀଙ୍କ ଲାଠିକୁର୍ସି ଘାଟି ମୁଣ୍ଡିଆଣି ଦେବୀଙ୍କ ମନ୍ଦିର ପରିସରରେ ପହଞ୍ଚିବା ପରେ କାଲିସି ମାନେ ଲୁହା କଣ୍ଟା ଦୋଳିରେ ଝୁଲିବା ଦୃଶ୍ୟକୁ ଦେଖିବା ପାଇଁ ଅନେକ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ମଣ୍ଡେଇ ଯାତ୍ରା ଅଵସରରେ ଖଲିଗଡ଼, ଘଣ୍ଟିଗୁଡା, ପୋଡାଖୋଲ, ଡୁଡୁକାଠେଙ୍ଗା ଗ୍ରାମରୁ ଶତାଧିକ ଜନସାଧାରଣ ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥିଲେ । ଏହି ମାଘ ମଣ୍ଡେଇ ଯାତ୍ରା ଅଵସରରେ ହାଟ ମଧ୍ୟ ବସିଥାଏ। ମଣ୍ଡେଇ ଯାତ୍ରାକୁ ଧୋବେନ ପଡା ଗ୍ରାମର ପୂଜା କମିଟିର ସଭାପତି ମଧୁବନ ପାତ୍ର, ସମ୍ପାଦକ ଭୀଷ୍ମ ଧ. ମାଝୀ, ଗାଁ ଗୌନ୍ତିଆ ହିମାଞ୍ଚଳ ପାତ୍ର, ଦେବୀଙ୍କ ଶିରା ଶ୍ରୀଧର ପୁଝାରି, ବଳ ମୁଲକିଆ, ରତନ ସାଏନି,ବଳ ସାଏନି,ନନ୍ଦ ଧ. ମାଝୀ, ହରିହର ବାଗ, ଖଗପତି ବନ୍ଦିଛୋଡ, ନରିଆ ଚନ୍ଦଶେଖର ବାଗ, ରଘୁ ଦିଆରି, ଗଣ୍ଡା ଲଛମନ ବାଗ, ଶିକ୍ଷକ ମାରଗୁଣିଅ ନାଗ, ସଞ୍ଜୀବ ମୁଲକିଆ ପ୍ରମୁଖ ଉପସ୍ଥିତ ରହି ମାଘମାସ ମଣ୍ଡେଇ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

‘ ମା’ ଆସୁଛନ୍ତି ‘ ୬୫ ବର୍ଷରେ ପଦାର୍ପଣ କଲା ବାଦାମ ପାହାଡ଼ ଷ୍ଟେସନ ବଜାର ଦୁର୍ଗାପୂଜା: ପଶ୍ଚିମବଙ୍ଗର କାରିଗରୀ କଳା ରେ ଏଥର ଝଲସିବେ ମାଁ :

Sunil Chandra Nayak

କାମାକ୍ଷାନଗରର ସମସ୍ତ ଗ୍ରାମରେ ଖୁଦୁରୁକୁଣୀ ମାଆଙ୍କ ପୂଜା 

Sunil Chandra Nayak

ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!