ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ବେଣୁଧର ସୂତାର ଙ୍କ କବିତା // ସ୍ବପ୍ନମୟୀ ନିଶିଥିନୀ

  ସ୍ବପ୍ନମୟୀ ନିଶିଥିନୀ

      ବେଣୁଧର ସୂତାର

ଚାରୁ ଚାନ୍ଦିନୀର ଚପଳ ଛୁଆଁରେ
ସ୍ବପ୍ନମୟୀ ନିଶିଥିନୀ ରୂପସୀ
ସପନ ପଖଳା ତନୁରେ ଚନ୍ଦ୍ରିକା
ପ୍ରୀତି ସୁଧାମଧୁ ଯାଏ ବରଷି ।।
ରୂପ ମାଧୁରୀର ମାଧୁର୍ଯ୍ୟ ଆବେଗେ
ଭାବରଙ୍ଗେ କାୟା ବୁଣିଛି ମାୟା
ପ୍ରୀତି ଲତିକାର ପୁଷ୍ପ ବିଥିକାରେ
ଅନୁପମ ରୂପକଳ୍ପର ଛାୟା ।।
ଚାରୁ ଚନ୍ଦ୍ରିକାର ଚଇତି ଚୁମାରେ
ପ୍ରୀତି ଜୋଛନାର ଅମୃତ ଧାର
ତନୁ ଭୂଗୋଳର ବୟସ ବିଥିରେ
ଗାଉଛି ପ୍ରକୃତି ତୃପ୍ତି ମହ୍ଲାର ।।
ପ୍ରୀତି ପୀୟୂଷର ପରଶ ମଧୁର
ସପନ ମାଦକ ଭରା ମହକ
ଗହଳ ରାତିର ବହଳଜ୍ୟୋତ୍ସ୍ନାରେ
ହୀରା ମୋତି ଝରାହସ କୁହୁକ ।।
ଚୋରା ବସନ୍ତର ଚମକ ଶୃଙ୍ଗାର
ଚାରୁ ଚନ୍ଦ୍ରାମୟ ଚାନ୍ଦିନୀ ରାତି
ପ୍ରକୃତି ଅଙ୍ଗନେ ଭରିଛି ଗୋପନେ
ପ୍ରେମ ପ୍ରଣୟର ସପନ ତାତି ।।
ମଧୁଯାମିନୀର ଜ୍ୟୋତ୍ସ୍ନାରଜୁଆରେ
ଧରଣୀ ଅମିୟ ଲାବଣ୍ୟ ବେଶ
ବସନ୍ତ ରାସର ମୁଗ୍ଧ ଅଭିସାର
ଭାବ ତନ୍ମୟର ପ୍ରେମ ବିଳାସ ।।
ରଙ୍ଗ ପସରାରେ ରୂପ ମଦିରାରେ
ଫୁଲ ଫଗୁଣର ସୁରିଲା ଛନ୍ଦ
ପ୍ରେମର ପରାଗ ବୁଣେ ଅନୁରାଗ
ଭାବମୟତା ଏ ଅନୁବନ୍ଧ ।।
ମୁଗ୍ଧା ପ୍ରକୃତିର ଚାରୁ ଆଭୂଷଣେ
ଧରା ତଳେ ଖେଳେ ସୁଧା ଲହରି
କେତେ ମଧୁବୋଳା ମହକ ପଖଳା
ମାୟାଭରା ସ୍ବପ୍ନାଲୋକ ମାଧୁରୀ।।

କେଶଦୁରାପାଳ

କେନ୍ଦୁଝର

Related posts

ବେଣୁଧର ସୂତାର ଙ୍କ କବିତା//ଶେଷ ସପନର ରାତି

Sunil Chandra Nayak

ଡୁଇଟ ଡେଭିଡ ଫୀଳିପ ଙ୍କ କବିତା// ନୂତନ ବର୍ଷ, ମୃତ୍ୟୁ ଓଢ଼ଣା ଦେଇଛି, ଚେହେରା ପୁରୁଣା

Sunil Chandra Nayak

ମାଆ ବୁଢ଼ୀ ଜାଗୁଳେଇ ୟୁଥ କ୍ଲବ ର 17ତମ ବାର୍ଷିକ କ୍ରିକେଟ ଟୁନାମେଣ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!