ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ବେଣୁଧର ସୂତାର ଙ୍କ କବିତା // ତୁମେତ ଆସିବ ବୋଲି

  ତୁମେତ ଆସିବ ବୋଲି

      ବେଣୁଧର ସୂତାର

ତୁମେତ ଆସିବ ବୋଲି
ନୀଳ ଗଗନରେ ତାରାଫୁଲେ ଜହ୍ନ
ହସିଲେଣି ଖିଲି ଖିଲି
ସ୍ବପ୍ନିଳ ମୟାର ଚାରୁ ଚନ୍ଦ୍ରହାସେ
ଫୁଟି ଲେଣି ଚନ୍ଦ୍ରମଲ୍ଲୀ
ତୁମେତ ଆସିବ ବୋଲି…………..
ଅୟି ପ୍ରକୃତିର କୁଞ୍ଜରୁ ଶୁଭଇ
ପ୍ରୀତିର ମୋହନ ସୁର
ତୁମ ମାଦକର ଲଳିତ ଶୃଙ୍ଗାର
ସ୍ବପ୍ନମୟ ଅଭିସାର
ଶୀତ ତ ଯାଉଛି ଚାଲି
ଆମ୍ର ତୋଟାମାଳ ମହକ ମୁକୁଳ
ସମୀରେ ନାଚନ୍ତି ଝୁଲି
ତୁମେତ ଆସିବ ବୋଲି………..
ଧରା ଉପବନେ ବିକଚି ସୁମନେ
ବିତରନ୍ତି ମଧୁବାସ
ଚାରୁ ସୁଷମାର ରସସୁଧା ସାର
ରମଣୀୟ ରୂପନ୍ୟାସ
ଅଳି ଅଭିସାର ଭୁଲି
ତୁମ ମଧୁସ୍ଷର୍ଶ ଆଶା ଅଭୀପ୍ସାରେ
ସାଜିଛନ୍ତି ମତୁଆଲୀ
ତୁମେ ତ ଆସିବ ବୋଲି…………
ସହକାର କୁଞ୍ଜେ ମଧୁକଣ୍ଠେ ପିକ
ଗାଏ ଆବାହନୀ ଗୀତି
ପ୍ରକୃତି ଗାଉଛି ପ୍ରୀତିର ପୂରବୀ
ନିଶୀଥ ସ୍ବପ୍ନରେ ମାତି
ପ୍ରୀତିସୁଧା ମଖମଲି
ମଳୟ ହସୁଛି ପଲାଶ ଅଧରେ
ଖେଳିବ ରଙ୍ଗର ହୋଲି
ତୁମେତ ଆସିବ ବୋଲି…………..
ସାଗର ବୁକୁରେ ଉତ୍ତାଳ ତରଙ୍ଗ
ବେଳାଭୂମି ଯାଏ ଚୁମି
ମୁଗ୍ଧ ସୁଷମାରେ ଶ୍ୟାମଳ କାନ୍ତିରେ
ଚମକଇ ବନଭୂମି
ଏ ଧରାର ଧୂଳି ବାଲି
ଭବ୍ୟ ଭବ ପଥେ ତୁମରି ସ୍ବାଗତେ
ହୃଦୟ ଦେଇଛି ଖୋଲି
ତୁମେତ ଆସିବ ବୋଲି…………..

କେଶଦୁରାପାଳ କେନ୍ଦୁଝର

Related posts

ମାଆ ବୁଢ଼ୀ ଜାଗୁଳେଇ ୟୁଥ କ୍ଲବ ର 17ତମ ବାର୍ଷିକ କ୍ରିକେଟ ଟୁନାମେଣ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ

masiha

ବେଣୁଧର ସୂତାର ଙ୍କ କବିତା l l l ଭିଟାମାଟି l l l

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା l l ଦାଦନର ଦୁଃଖ l l

Sunil Chandra Nayak

Leave a Comment

error: Content is protected !!