ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା // ମୋ ହଜିଲା ଦିନ

   ମୋ ହଜିଲା ଦିନ

    ଅପର୍ତ୍ତି ସେଠୀ

କାଲିଭଳି ଲାଗେ ମୋ ହଜିଲା ଦିନ
     ଆଖି ଆଗେ ନାଚିଯାଏ,
ସମୟ ସୁଅରେ ଭାସି ଚାଲିଯାଏ
     ସ୍ମୃତି ମାତ୍ର ରହିଯାଏ।
ଏଇଶୀତ ଦିନ ପାହାନ୍ତି ପ୍ରହର
     ଚୂଡାକୁଟା ଢ଼ିଙ୍କି ଶବ୍ଦ,
ଝ‌ଅଟ ଝ‌ଅଟ ଭାଙ୍ଗି ଯାଏ ଆମ
    ସେଇ ହେଁସ ଘୋଡ଼ା ନିଦ।
ବାସି କାମ ସାରି ବୋଉ ଜାଗୁଲିଏ‌
      ନାଲି ଚାହା କରିଦିଏ,
ଚାଉଳ ଦି’କୁଞ୍ଚା ଭାଜିଦେଇ ପୁଣି
      କୁଲାରେ ସେ ଥୋଇଥାଏ।
ବାର ଅବାରିଆ ଭଳି ଭଳି ଚିଜ
      ସକାଳ ଖାଇବା ଖାଉ,
ପଖାଳ ସହିତ କେରାଣ୍ଡି ଶୁଖୁଆ
     ନହେଲେ ମାଣ୍ଡିଆ ଜାଉ।
ଖଣ୍ଡି ଗହମର ଲୁଣ ପକା କ୍ଷିରୀ
      ବିଲାତି ଦୁଧର ଗୁଣ୍ଡ,
ତେନ୍ତୁଳି ପକାଇ ବୋଉ ଝୋଳକରେ
       ଲୁଣି ଶୁଖୁଆର ମୁଣ୍ଡ।
ପୁରୂବ ରାତିର ପୋଡପିଠା ଖଣ୍ଡେ
     ସେଥିରେ ଆଶାଟି ମୋର,
ଅରୁଆ ଚାଉଳ ଭାତବଟା ପିଠା
     ସକାଳ ଟିଫିନ୍ ମୋର।
ହାଡ଼ଭଙ୍ଗା ଜାଡ କୁନ୍ତୁରି କାନ୍ତୁରି 
     ବାପା ପିନ୍ଧା ଲୁଙ୍ଗିଟିକୁ,
ବୋଉ ଆମ ବେକେ ବାନ୍ଧିଦେଇଥିବ
     ଯିବୁ ଖରା ପାଇବାକୁ।
ନିଆଁ ପୁଆଁ ପାଇଁ ଘେରିବସିଥିବୁ
     ବାଉଁଶ ଠୋଲାକୁ ଜାଳି,
ଆଳୁ ବାଇଗଣ ବେଳେବେଳେ ଆମେ
      ଖାଉ ତ ସେଥିରେ ପୋଡ଼ି।
ଧାନକଟା ବେଳ କି ମଜାଦାର
      ଦା’ଖଣ୍ଡେ ଖଣ୍ଡେ ଧରି,
ବାଉଁଙ୍ଗୀ ଜୋତକୁ କାନ୍ଧରେ ପକାଇ
      ବିଲକୁ ଯାଉ ଦ‌ଉଡି।
ସେ କଙ୍କଡ଼ା ଛେରା ରଗଡିଆ ମାଟି
     ପାଦକୁ ରକଟୁଥାଏ,
କୋଇଲିଖିଆର ମୁଥା ମୁଥା କଣ୍ଟା
     ବେଳେବେଳେ ଫୁଟିଯାଏ।
କାଲୁଆ‌ ପବନ ଖିଲି ମାରିଦିଏ
     ଦାନ୍ତ ଠାକୁ ଠାକୁ ହୁଏ,
ଶୀତେ ଆମ ପାଦ ତଳଫାଟି ପୁଣି
      ଆଁ ପରା କରିଥାଏ।
ବିଲରେ ଯାତରା ଲାଗିଥାଏ ପରା
     ଧାନକଟା ହଳାବୁହା,
ଦି’ଥାକିଆ ଚାରିଥାକ ଧାନଗଦା
      ମଡ଼ା ହୋଇରହେ ଯାହା।
ଧାନକାଟୁ କାଟୁ ଖାଲୁଆ ଜାଗାରେ
     ପାଣି ପାଦିଏ ଦେଖିଲେ,
ପାଣିବୁହା କାମେ ଲାଗିପଡୁ ଆମେ
      ମାଛଧରା ଧରି ଚାଲେ।
ଧନୁ ମୁଆଁଠାରୁ ମକର ଚାଉଳ
     ପରିଯନ୍ତେ ଲାଗେ ପର୍ବ,
ଧାନଗଦା ଶୋହେ କରପଲ୍ଲବରେ
     ମାଲିକ ଶ୍ରୀ ବଳଦେବ।
ଧାନକଟା ସରେ ମୁଗପାଣି ଆସେ
    ଆମ ଗାଆଁ କେନାଲରେ,
ଭାରିମନେପଡେ ଓବସ୍ତ୍ର ଲଙ୍ଗଳା
     ହୋଇ ଡିଆଁ ଡେଇଁ ଚାଲେ।
ପୁଷେ ଖ‌ଇ ମାଘେ ଦହି ଦେହ ପାଇଁ
      ବଡବଡୁଆ କହନ୍ତି,
ପ୍ରଥମାଷ୍ଟମୀ ଓ ସାମ୍ଵର ଦଶମୀ
     ଅନେକ ଆମ ସଂସ୍କୃତି।
ଗୋଡଗଳା ସାଇକେଲ ଚଢ଼ା ମୋର
     ମନେ ପଡିଲେ‌ ମୁଁ ହସେ,
ହାଣ୍ଡେଲ‌ ଛାଡ଼ିକି‌ ଚଲ‌ଉ ଥିଲି ଯା’
     ଘରେ ପଡ଼ିଲି ଦି’ ମାସେ‌।
ବେଶୀ ମଜାଲାଗେ ସହରରୁ ଯେବେ
      ସାହିକୁ ଭିଡିଓ ଆସେ,
ଘରେ କେହିଗୋଟେ ଲୋକ ରୁହନ୍ତିନି‌
      ଫିଲ୍ମ‌ ଦେଖା ହାଟ ବସେ।
ଆମ ସାହି ସରସ୍ଵତୀ ପୂଜା ପାଇଁ
     ଡ୍ରାମା ଶିଖି ଯାତ୍ରା କରୁ,
ଛ’ମାସେ ଆଗରୁ ସଞ୍ଜୁଆ‌ ଆଖଡ଼ା
     ଅନେକ ସମୟ ସାରୁ।
ପୁଣି ଅଗି ଜଳା ଜାଗର ଯାତରା‌
     ପରେ‌ ପରେ ପଡେ ଦୋଳ,
ମିଳିବ କି ଆଉ ସେଭଳିଆ‌ ମଜା 
    ସେ ବେଳ‌ର ରଙ୍ଗ ଖେଳ‌ ?
କ’ଣ କହିବି ସେଦିନର କଥା
     କହିଲେ ସରିବ ନାହିଁ,
ଗୁଲିଖେଳ ଆଜି ଗୁଲି ଗପହେଲା
      ମୂର୍ଖ ଅପର୍ତ୍ତି କହ‌ଇ।

ପାଳକଣା‌, କୋରୋ‌, କେନ୍ଦ୍ରାପଡା

Related posts

ରାକେଶ କୁମାର ମୁଦୁଲି ଙ୍କ କବିତା = ବାପା ମା ଆମ ଜୀବନ୍ତ ଠାକୁର 

masiha

ପ୍ରିୟରଞ୍ଜନ ମୁଣ୍ଡ ଙ୍କ କବିତା = ବିଭୀଷିକା

ସୁଜାତା ରାଉତ ଙ୍କ କବିତା l l ଇଂରାଜୀ ନବବର୍ଷ l l

Sunil Chandra Nayak

Leave a Comment

error: Content is protected !!