ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି।ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଭାଗିଦାରୀ ମିଶନ ଶକ୍ତିକୁ ଏକ ସଫଳ କାର୍ଯ୍ୟକ୍ରମ କରିଛି । ସେ କହିଥିଲେ ଯେ ସେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି ଏବଂ ମିଶନଶକ୍ତି ମା ମାନଙ୍କୁ ଭେଟୁଛନ୍ତି । ସେମାନେ ମଧ୍ୟ ନବୀନ ନିବାସ ଆସି ତାଙ୍କୁ ଭେଟୁଛନ୍ତି । ମା ମାନଙ୍କର ସଫଳତା ମୋତେ ବହୁତ ଖୁସି ଦେଉଛି ବୋଲି ସେ କହିଥିଲେ । ଆପଣମାନଙ୍କ ଆତ୍ମବିଶ୍ୱାସ, ଆପଣମାନଙ୍କ ଉତ୍ସାହ ମିଶନଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଭିନ୍ନ ସହରରେ ମିଶନ ଶକ୍ତିର ମା ମାନେ କମ୍ୟୁନିଟି ପାର୍ଟିସିପେସନ କାର୍ଯ୍ୟକ୍ରମରେ ଅନେକ ଦାୟିତ୍ବ ହାତକୁ ନେଇଛନ୍ତି। ଆହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ, ଜଳସାଥି, ସ୍ବଚ୍ଛସାଥି ଆଦି ଅନେକ କାମ କରୁଛନ୍ତି । ଆପଣମାନଙ୍କ କାମରେ ସମସ୍ତେ ଖୁସି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଯେପରି ସୁବିଧାରେ ନିଜ ନିଜର ଦାୟିତ୍ବ ପାଳନ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ଆପଣମାନଙ୍କୁ ସାଇକେଲ ଦେଉଛନ୍ତି।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି ମା ମାନଙ୍କୁ ୧୦୦ କୋଟି ଟଙ୍କାର ପ୍ରୋତ୍ସାହନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଓଡିଶାର ମିଶନ ଶକ୍ତି କମ୍ୟୁନିଟି ପାର୍ଟିସିପେସନ କ୍ଷେତ୍ରରେ ସାରା ବିଶ୍ବରେ ସୁନାମ କରିଛି ଓ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ସମସ୍ତେ ମିଳିମିଶି ଭଲ କାମ କରି ଓଡିଶା ମା ର ସୁନାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଥିଲେ ଯେ ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡିଶା ଗଠନକୁ ସାକାର କରିବା ପାଇଁ ବହୁତ ଭଲ କାମ କରୁଛନ୍ତି । ସାଇକେଲ ପାଇବା ଦ୍ବାରା କର୍ମ କ୍ଷେତ୍ରରେ ସେମାନଙ୍କୁ ବହୁ ସୁବିଧା ଓ ସ୍ବାଧୀନତା ମିଳିପାରିବ। ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ଗୋଷ୍ଠୀଗତ ବିକାଶର ଏକ ଅନୁପମ ବାର୍ତ୍ତାବହ ହେଉଛି ମିଶନ ଶକ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଗ‌ଦର୍ଶନରେ ଏହା ଆଜି ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିଛି ।

କାର୍ଯ୍ୟକ୍ରମରେ ଦୁଇ ଜଣ ମିଶନ ଶକ୍ତି ମା ପଦ୍ମାବତୀ ଦାସ (ଆହାର କର୍ମୀ) ଓ ସୀତା ମୁର୍ମୁ (ସ୍ବଚ୍ଛକର୍ମୀ) ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁ ସେମାନେ ଆଜି ସ୍ବାବଲମ୍ବୀ ହେବା ସହିତ ନିଜ ନିଜ ପରିବାରର ଛୋଟ ଛୋଟ ଅସୁବିଧା ମଧ୍ୟ ଦୂର କରିପାରୁଛନ୍ତି । ସାଇକେଲ ଦ୍ବାରା ସେମାନଙ୍କ ସମୟ ବଞ୍ଚିବା ସହିତ କାର୍ଯ୍ୟଦକ୍ଷତା ବଢିବ ବୋଲି ସେମାନେ କହିଥିଲେ।  

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଏମସି କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାମନବମୀ ପୂର୍ବରୁ ଆଲର୍ଟ: ଶାନ୍ତିଶୃଙ୍ଖଳା ପାଇଁ ପୋଲିସକୁ ସିଏମଙ୍କ କଡା ନିର୍ଦ୍ଦେଶ

Sunil Chandra Nayak

ସଂଶୋଧୃତ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ଘରକୁ ଘର ସର୍ଭେ

Sunil Chandra Nayak

ଡାକ୍ତରଙ୍କୁ ମାର୍ଚ୍ଚ ୧୦ ସୁଦ୍ଧା ସାର୍ଟିଫିକେଟ ଜମା କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

Sunil Chandra Nayak

Leave a Comment

error: Content is protected !!