ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ = ନିଷିଦ୍ଧ ମସ୍ତିଷ୍କ 

      ନିଷିଦ୍ଧ ମସ୍ତିଷ୍କ 

                                 ନଳିନୀ ପ୍ରଭା ମିଶ୍ର

    ମନ ଓ ବିବେକ ସର୍ବଦା ପରସ୍ପର ବିରୋଧୀ।ମନର ଇଚ୍ଛା ଥିଲେ ବି ବେଳେବେଳେ ବିବେକ ର ତାଡ଼ନାରେ ସେହି ଇଚ୍ଛା ଦୂରୀଭୂତ ହୋଇଥାଏ। ବିବେକ ର ନିଷିଦ୍ଧତା କାମନାକୁ ଦମନ କରି ଜାଗ୍ରତ ଚେତନା ରେ ଜୀବନରେ ଅଦ୍ଭୁତ ପୂର୍ବ ପରିବର୍ତ୍ତନ ଆଣିଥାଏ, ଯେଉଁ ପରିବର୍ତ୍ତନ କି ସକଳ କଳୁଷ ରୁ ମୁକ୍ତ କରି ଜୀବନ ସ୍ରୋତ କୁ ପବିତ୍ର ଜାହ୍ନବୀ ର ଧାରା ସଦୃଶ କରିଥାଏ।ଏହା ଆଜି ହେନା ର ଜୀବନ ରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି।

   ଏକ ମନ ଅନେକ ବେଦନା ନେଇ ହେନା ଜର୍ଜରିତ। ଭାରାକ୍ରାନ୍ତ ମସ୍ତିଷ୍କ କୁ ନେଇ ଝରକା ଦେଇ ଅନାଇଲା ବା‌ହାର କୁ, ରାସ୍ତା କଡରେ କେଉଁ ଆବାହମାନ କାଳରୁ ଦଣ୍ଡାୟମାନ ବରଗଛଟି କୁ,ଡାଳଟି ଲମ୍ବି ଯାଇଛି ଉତ୍ତର ପଶ୍ଚିମ କୋଣାଭିମୁଖୀ ହୋଇ।ବସା ବାନ୍ଧିଛନ୍ତି ପକ୍ଷୀ ଦମ୍ପତି।

ଦୁଇଟି ଛୁଆର କଳରବରେ ମୁଖରିତ ନୀଡ଼ , ସେମାନଙ୍କ ଭିତରେ ରହିଛି   ଗୋଟିଏ ନିର୍ମାଣ ଧାରା ଯାହାକି ତାଙ୍କୁ ପରିଚିତ କରାଇଛି ଦାମ୍ପତ୍ୟ ରୂପରେ ଅଥଚ ସେ କାହାରି ଛାୟା ନୁହେଁ।ନା ଅଛି ତା’ର ସାମାଜିକ ସ୍ବୀକୃତି ନା ଏକ ସାମାଜିକ ପରିଚୟ। କାହାରି ବା‌ହୁ ବନ୍ଧନ ଭିତରେ ନିର୍ଭର ଯୋଗ୍ୟ ଆଶ୍ରୟ ସେ ପାଇ ନାହିଁ।ସେ ଆଜି ଏକ ଜଣାଶୁଣା ଗୀତିକା, ସମାଜ ର ଏକ କଳୁଷିତ ପରିଚୟ।ସତରେ !ସେ କ’ଣ ଏଇ କଳୁଷିତ ଭାଗ୍ୟ ନେଇ ଜନ୍ମ ହୋଇଥିଲା।ପଛକୁ ଫେରି ଚାହିଁଲେ କିଛି ରୋମନ୍ଥିତ ଅତୀତ ଭୂତ ପରି ଘେରିଯାନ୍ତି ଆଉ ସେ ଫୋପାଡି ଦେବା କୁ ଚେଷ୍ଟା କରି ମଧ୍ୟ ପାରେ ନାହିଁ।ରାଜ ବାଟୀ ସଦୂଶ ସେ ଭଗ୍ନ କୋଠରୀ କୁ ଦେଖିଲେ ମନରେ ଘୃଣା ଆସେ।ଘରଟା ଏବେ ପରିତ୍ୟକ୍ତ ଅବସ୍ଥାରେ ତାଲା ଝୁଲୁଛି।

    ଦିନେ ସେ ଏ ଘର ସହିତ ତା’ର ଯୋୖବନ ର ଏକ ମାଦକ ମୂହୁର୍ତ୍ତ ର ସମୟ ଗୁଡ଼ାକ ଅତିବାହିତ ହୋଇଥିଲା ମନେ ପଡିଲେ ନିଜକୁ ବାରମ୍ବାର ଧିକ୍କାର କରି ବସେ।ସେ ଆଜି ପତ୍ର ଝଡା ଶୈତ୍ୟ ,ଦେହରେ ପୂର୍ବ ପରି ବସନ୍ତ ର ମାଦକତା ନାହିଁ, କି ପୁଷ୍ପ ଟିଏ ପରି ଭ୍ରମର ମାନଙ୍କୁ ଆମନ୍ତ୍ରଣ କରିବା ବୟସ ବି ଆଉ ନାହିଁ।ସବୁ ହଜି ଯାଇଛି ସମୟର ପ୍ରଖର ସ୍ରୋତ ରେ।ଆଜି ଅତୀତ ଟା ତା’ ପାଇଁ ଘୃଣ୍ୟ। ପିଲା ବେଳୁ ବାପା ବୋଲି କାହାକୁ ଜାଣି ନ ଥିଲା।ଥରେ ଦୁଇ ଥର ମା’ଙ୍କୁ ଏ ବିଷୟରେ ପଚାରିବାରୁ ମା କହିଥିଲା,” ତୋ ବାପା ହେଉଛନ୍ତି ଏ ସହରର ସବୁଠାରୁ ବଡ଼ ବ୍ୟବସାୟୀ। ବ୍ୟବସାୟ ରେ ବହୁ ସମୟ ଲିପ୍ତ ରହୁ ଥିବାରୁ ଘରକୁ ଆସିବାକୁ ସମୟ ପାଆନ୍ତି ନାହିଁ।” ଶୈଶବ ର ସ୍ନେହ ସିକ୍ତ ମନ ସବୁବେଳେ କାରୁଣ୍ୟତା ରେ ଭରି ଯାଏ।ମନେମନେ ଭାବେ ତା’ର ସାଙ୍ଗ ଲିନା ର ବାପା ତ ବଡ଼ ବ୍ୟବସାୟୀ ତଥାପି ଲିନାକୁ ସବୁବେଳେ ସାଙ୍ଗରେ ବୁଲାଇ ନିଅନ୍ତି।ହେଲେ ତା’ବାପା ——-।ଭୟରେ ମାଆଙ୍କୁ କିଛି ପଚାରିବାକୁ ସାହସ ହୁଏନି।ମଝିରେ ମଝିରେ ବାପା ରୂପୀ ସେହି ବ୍ୟବସାୟୀଙ୍କ ଆଗମନ ହୁଏ,ଆଗମନ ସମୟରେ ସାଥିରେ ଆଣିଥାନ୍ତି ନାନା ପ୍ରାଚୁର୍ଯ୍ୟ ଭରା ଜିନିଷ।ଗଲା ବେଳେ ମା ହାତରେ ଗୁଞ୍ଜି ଦେଇ ଯାନ୍ତି ମୋଟା ନୋଟ୍ ବିଡା।ଶୈଶବ ଅତିକ୍ରମ କରି କୈଶୋର ରେ ପାଦ ଦେଲା ପରେ ହେନାକୁ ଏ ସବୁ ଅଡ଼ୁଆ ଅଡ଼ୁଆ ଲାଗୁ ଥାଏ।ଘରେ ସବୁବେଳେ ସହରର ବଡ଼ ବଡ଼ ଧନୀକ ମାନଙ୍କ ର ଯିବା ଆସିବା ଲାଗି ଥାଏ।ପିତାର ନିର୍ଦ୍ଦିଷ୍ଟ ତାକୁ ନେଇ ମନରେ ଅନେକ ପ୍ରଶ୍ନବାଚୀ।ମା’ର ହାବଭାବ ଚାଲିଚଳନ ନେଇ ମନରେ ଅନେକ ସନ୍ଦେହ ର ଜାଲ ବୁଣି ହୋଇଯାଏ। କେତେବେଳେ ଯେ ତା’ର ଅଲକ୍ଷ୍ୟରେ ବସନ୍ତ ଆସି ତନୁ ବଲ୍ଲରୀ କୁ ସ୍ପର୍ଶ କରି ସାରିଲାଣି ସେଥି ପ୍ରତି ତା’ର ନଜର ନାହିଁ। ତା’ର ଯୋୖବନ ପୁଷ୍ପ ବିକଶିତ ହୋଇଛି,ସବୁ କିଛି ନୂଆଁଁ ନୁଆଁ ଲାଗୁ ଥାଏ।ମା ପାଖକୁ ଡାକି କହିଲା,

” ହେନା ଏଣିକି ଏ ଘରକୁ ଆଗନ୍ତୁକ ମାନଙ୍କୁ ସନ୍ତୂଷ୍ଟ କରିବା ଦାୟିତ୍ବ ତୋ’ର ସେଥିରେ ଯେପରି ତ୍ରୁଟି ନ ହୁଏ।ଏବେ ତୁ ଯୌବନ ର ପ୍ରଥମ ପାହାଚ ରେ ପାଦ ଦେଇଛୁ,ମୋ ଅପେକ୍ଷା ତୋ’ବୟସର ଆକର୍ଷଣ ଅଧିକ ,ଏ ଗଳିରେ ଆମର ନାଁ ବଢ଼ାଇବାକୁ ହେଲେ ଆଗନ୍ତୁକ ପୁରୁଷ ମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ହେବ। ମୁଁ ଜାଣେ ,ତୁ ମୋର କଥାକୁ ଅମାନ୍ୟ କରିବୁ ନାହିଁ,ତୋତେ ଏ ସବୁ ନିଶ୍ଚିତ ଭାବେ ଅସଙ୍ଗତି ବୋଧ ହେଉ ଥିବ;କିନ୍ତୁ ଏ ଆମର ପେଷା ଯାହାକି ପ୍ରଥା ହିସାବରେ ରାଜ ରାଜୁଡା ଅମଳରୁ ଚଳି ଆସୁଛି। ବଂଶ ପରେ ବଂଶ ଅତିକ୍ରମ କରି  ଚାଲି ଆସିଛି,ଆଜି ସିନା ରାଜରାଜୁଡା ନାହାନ୍ତି,ହେଲେ ଅଛନ୍ତି ଅନେକ ପରକୀୟା ରତ କାମୁକ ପୁରୁଷ।”ହେନା ର ଆଉ ଶୁଣିବାକୁ ଧୈର୍ଯ୍ୟ ନ ଥିଲା।କେବଳ ତା’ମନରେ  ସେଇ ଗୋଟିଏ କଥା ବାରମ୍ବାର ପ୍ରତିଧ୍ବନିତ ହେଉ ଥିଲା,ସେ ଏକ ପରତ୍ୟକ୍ତା ଗଣିକା ର ଝିଅ, ଜନ୍ମ ତା’ର ହୀନ କର୍ମ ନେଇ।

    ସମାଜକୁ ଗଠନ କରିବାରେ ମଣିଷ ର ଭୂମିକା ଅତୀବ ଗୁରୁତ୍ବ ପୂର୍ଣ୍ଣ ହୋଇଥିବା ସ୍ଥଳେ ଏପରି ଏକ ଘୃଣ୍ୟ ପ୍ରଥାକୁ କିପରି ପ୍ରଶ୍ରୟ ଦିଆ ଯାଉଛି? ମା’ର ମୃତ୍ୟୁ ପରେ ସେ ବି ସେଇ ଘୃଣ୍ୟ ପେଶାରେ ନିଜକୁ ଲଗାଇ ଦେଇଛି ,ଜୀବନ ଜୀବିକା ରେ ରାତିର ଅନ୍ଧକାର ଭିତରେ ନିଜର ଦେହ ଦାନ କରି କେତେ କାମନାଗ୍ନି କୁ ସେ ପ୍ରଶମିତ କରିଛି।

ରାତି ର ଅନ୍ଧାର ଭିତରେ ତା’ର ପରିଚୟ,ସେ ଶଯ୍ୟା ର ନାୟିକା ,କାହାର ସ୍ତ୍ରୀ ହେବାର ସ୍ଵୀକୃତି ତା’ର ନାହିଁ। ଦୈହିକ ସମ୍ପର୍କ ଭିତରେ ତା’ ଗର୍ଭରୁ ଜନ୍ମ ନେଇଥିବା ଝିଅ ଆଜି କିଶୋରୀ,ତାକୁ ଆଉ ସେ ନର୍କ ଭିତରକୁ ଯିବାକୁ ଦେବ ନାହିଁ।ଏ ଗଳି ଛାଡି ଚାଲି ଯିବ ଦୂରକୁ ଦୂରକୁ, ଯେଉଁ ଟି ଥିବ ସ୍ଵଚ୍ଛ ଆଲୋକରେ ବଞ୍ଚି ରହିବା ର ଏକ ଉତ୍ତମ ମାର୍ଗ।

                     ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଲ୍ପ = ମାଆର ଗାଳି ଦାଣ୍ଡର ଧୂଳି 

Sunil Chandra Nayak

ଜଗଦୀଶ ଶତପଥୀ ଙ୍କ ଗଳ୍ପ = କାଚଘର

Sunil Chandra Nayak

ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଗଠନ ପାଇଁ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!