ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ରିମାଣ୍ଡରେ ସୂଚୀସ୍ମିତା , ୨ କୋଟି ୫୬ ଲକ୍ଷ ଅର୍ଥ ଆତ୍ମସାତ ହୋଇଥିବା ପ୍ରକାଶ

୪ ମହଲା ବାସଭବନରେ ଖାନତଲାସ

ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭବାନୀପାଟଣା ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର କିଛି ଦିନ ତଳେ ଭବାନୀପାଟଣା ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦୀର୍ଘ ୪ ମାସ ପୂର୍ବରୁ ସେ ଫେରାର ଥିଲେ।ତାଙ୍କ ବିରୁଦ୍ଧରେ ଶିକ୍ଷକଙ୍କ ଦରମା ଓ ଅନ୍ୟାନ୍ୟ ଅର୍ଥ ଚତୁରତାର ସହ ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ ଯେ, ଅର୍ଥ ଆତ୍ମସାତକୁ ନେଇ ଟାଉନ ଥାନା ପୋଲିସ ଓ ଭିଜିଲାନ୍ସରେ ଦୁଇଟି ମାମଲା ରୁଜୁ ହୋଇଥିଲା । ତେବେ ଆତ୍ମସମର୍ପଣ ପରେ ଜେଲରୁ ଦିନିକିଆ ରିମାଣ୍ଡରେ ଗତମାସରେ ଟାଉନ୍‌ ଥାନା ପୋଲିସ ନେଇ ଜେରା କରିଥିଲା । ମାତ୍ର କିଛିଦିନର ନୀରବତା ପରେ ଭିଜିଲାନ୍ସ ସୂଚୀସ୍ମିତାଙ୍କୁ ଗୁରୁବାର ରିମାଣ୍ଡରେ ଆଣି ଦିନତମାମ ଜେରା ଚଳାଇଥିଲା। ପଚରାଉଚୁରା ସମୟ ମଧ୍ୟରେ ପୂର୍ବତନ ବିଇଓ ଜଗନ୍ନାଥ ପୁରୋହିତ ଓ ଏବିଇଓ ଜୟକୁମାର ମାଝୀଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଡକାଇ ସୂଚୀସ୍ମିତା ସମ୍ମୁଖରେ ଜେରା କରିଥିଲା । ବିଭିନ୍ନ ଦସ୍ତାବିଜ ଓ ଫାଇଲରେ ଉଭୟଙ୍କ ଦସ୍ତଖତ ଠାରୁ ଆରମ୍ଭ କରି ଅର୍ଥ ଆତ୍ମସାତର ଟିକିନିଖି ଯାଞ୍ଚ କରାଯାଇଥିଲା । ଏପର୍ଯ୍ୟନ୍ତ ସୂଚୀସ୍ମିତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ସୂଚୀସ୍ମିତାଙ୍କ ୪ ମହଲା ବିଶିଷ୍ଟ ବାସଭବନରେ ଭିଜିଲାନ୍ସ ଖାନତଲାସ ଚଳାଇଛି । ସୂଚୀସ୍ମିତା ନିଜ ଆକାଉଣ୍ଟକୁ ସରକାରୀ ଅର୍ଥ ଟ୍ରାନ୍ସଫର କରିଥିବା ଘଟଣା ପଛରେ ବିଇଓ, ଏବିଇଓଙ୍କ ନିରବ ସମର୍ଥନ ଥିବା ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସୂଚୀସ୍ମିତା ଙ୍କ ଘରେ ଚଢ଼ଉ ଜାରି ରହିଛି । ଅନ୍ୟପଟେ ସମୁଦାୟ ଘଟଣାକୁ ନେଇ ଏହି କେଳେଙ୍କାରୀରେ ବିଇଓ ଅଫିସର ଅନ୍ୟ କେଉଁମାନେ ଜଡିତ ସେନେଇ ଖେଳତାଡ଼ ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ, ବିଇଓ ଠାକୁର ଚରଣ ସାହୁ ପ୍ରଥମେ ଟାଉନ ଥାନାରେ ୩୯ ଲକ୍ଷ ସରକାରୀ ଅର୍ଥ ଆତ୍ମସାତ୍‌ ଘଟଣାକୁ ନେଇ ଏତଲା ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ମାମଲାକୁ ଭିଜିଲାନ୍ସ ହାତକୁ ନେବା ପରେ ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ ବିଇଓ ଅଫିସର ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସମୟରେ ୨ କୋଟି ୫୬ ଲକ୍ଷ ଅର୍ଥ ଆତ୍ମସାତ ହୋଇଥିବା ଜଣାପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଋଣ ବୋଝ ସହିନପାରି ଦମ୍ପତି ଙ୍କ ଆତ୍ମହତ୍ୟା 

Sunil Chandra Nayak

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ

Sunil Chandra Nayak

୯ଦିନ ପରେ ପୂର୍ବତନ ଲ୍ୟାମ୍ପ ଶାଖା ପରିଚାଳକ ଙ୍କ ମୃତଦେହ ଠାବ

Sunil Chandra Nayak

Leave a Comment

error: Content is protected !!