ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିଶୁ ଶ୍ରମିକ ଆଇନର ଖୋଲାଖୋଲି ଉଲ୍ଲଂଘନ , ତେଲ ମିଲ୍ ମାଲିକଙ୍କ ବେଆଇନ କାରବାର , ମେସିନରେ ପଡ଼ି ଶିଶୁ ଶ୍ରମିକଙ୍କ ହାତ କଟିଲା

ସନ୍ଦେହ ଘେରରେ ଅମରଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ

ମାମଲା ଚପାଇଦେବାକୁ ଆପ୍ରାଣ ଉଦ୍ୟମ

ଲାଞ୍ଜିଗଡ଼,୧୭/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ଡୁମେରମୁଣ୍ଡାଠାରେ ଥିବା ଏକ ତେଲ ମିଲରେ ଚାଲିଛି ଖୋଲାଖୋଲି ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ । ସେହିପରି ୧୫ ବର୍ଷ ବୟସରୁ କମ୍ ବୟସର ନାବାଳକମାନଙ୍କୁ ଏହି ମିଲରେ ବିପଜ୍ଜନକ କାମରେ ଲଗାଇବା ଶେଷରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଜି ଅପରାହ୍ନରେ ଏହି ମିଲରେ ସୂର୍ଯ୍ୟମୁଖୀ ତେଲ ପେଡାଯାଉଥିବାବେଳେ ମେସିନ ଭିତରେ ହାତ ଲାଗିଯିବାରୁ ବେନଗାଁ ପଞ୍ଚାୟତ ଧଡେଲ୍ ଗାଁର ସୁଶାନ୍ତ ମାଝୀ ନାମକ ଜଣେ ନାବାଳକର ହାତ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି । ତେବେ ଦୀର୍ଘ ସମୟ ଯାଏଁ ସୁଶାନ୍ତର ହାତ ଛିଣ୍ଡି କଟିଯିବା ସହ ମେସିନରେ ଲାଗି ରହିଥିବାବେଳେ ତେଲ ମିଲ୍‌ର ମାଲିକାଣୀ ପୁଷ୍ପଲତା ସାହୁ ତାଙ୍କ ସ୍ୱାମୀ ଫକୀର ସାହୁ ପ୍ରମୁଖ ନିରବଦ୍ରଷ୍ଟା ସାଜିବା ଘଟଣାକୁ ସାଧାରଣରେ ଘୋର ନିନ୍ଦା କରାଯାଇଛି । ଏପରିକି ମାମଲାଟିକୁ ଚପାଇଦେବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୁରୁତର ନାବାଳକକୁ ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ଧଡେଲ ଗାଁର ସୁଶାନ୍ତ ଚାରିମାସରୁ ଅଧିକ ସମୟ ହେଲା ଏହି ମିଲରେ ଶ୍ରମିକ ଭାବେ କାମ କରୁଥିଲା । ସେହିପରି ପୁଷ୍ପଲତା ଓ ଫକୀରଙ୍କ ମାଲିକାନାରେ ଥିବା ଏହି ମିଲ୍‌କୁ ଡୁମେରମୁଣ୍ଡା ଗାଁର ଅମରଜ୍ୟୋତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଲିଜ୍‌ରେ ନେଇଥିବା ଜଣାପଡିଛି । ଅମରଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛତୁଆ ବଣ୍ଟନ ଦାୟିତ୍ୱରେ ନିୟୋଜିତ ହୋଇଛି ଏବଂ ଏହି ମିଲରେ ହିଁ ଛତୁଆ ପ୍ରସ୍ତୁତି ପାଇଁ ଗହମ ଓ ଅନ୍ୟାନ୍ୟ ସାମଗ୍ରୀ ମିଲିଂ କରାଯାଇଥାଏ । ତେବେ ଆଜିର ଅଘଟଣ ପରେ ଏବେ ମିଲ୍ ମାଲିକ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପରସ୍ପର ନିଜ ଉପରେ ଦୋଷ ଲଦାଲଦି ହେଉଛନ୍ତି । ଏପରିକି ନିମ୍ନ ମାନର ଛତୁଆ ପ୍ରସ୍ତୁତି ଓ ଯୋଗାଣ ନାଁରେ ଅମର ଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ନିମ୍ନମାନର ଛତୁଆ ବଣ୍ଟନ କରି କୋମଳମତି ଶିଶୁମାନଙ୍କ ଜୀବନ ସହିତ ଖେଳୁଥିବା ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏହାର ଅଧୀନରେ ଥିବା ମିଲ୍‌ରେ ଜଣେ ନାବାଳକର ହାତ କଟିବା ଫଳରେ ତାର ଭବିଷ୍ୟତ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଘଟଣା ଏବେ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଏଣୁ ତେଲ ମିଲ ମାଲିକାଣୀ ପୁଷ୍ପଲତା ସାହୁ, ଫକୀର ସାହୁଙ୍କ ସମେତ ଅମରଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ବିରୁଦ୍ଧରେ ଶିଶୁ ଶ୍ରମିକ ଆଇନର ଖୋଲାଖୋଲି ଉଲ୍ଲଂଘନ, ବିପଜ୍ଜନକ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଓ ଶିଶୁଖାଦ୍ୟ ଅପମିଶ୍ରଣ ଅର୍ଥାତ୍ ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗରେ ଉଚ୍ଚସ୍ତରୀୟ ତଦନ୍ତ ସହିତ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି । ଏହାସହିତ ମିଲ୍ ସହିତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ଏବଂ ଅମରଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ଲାଇସେନ୍ସ ବାତିଲ କରିବାକୁ ଦାବି ହେଉଛି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ 

masiha

ତିନି ଶିକାରୀ ସହ ଦେଶୀ ବନ୍ଧୁକ ଜବତ

Sunil Chandra Nayak

ପୂର୍ବତନ ବାହୁବଳୀ ବିଧାୟକ ଙ୍କ ଘରେ ଆଇଟି ରେଡ୍,ସବୁଠି ଛାନଭିନ

Leave a Comment

error: Content is protected !!