ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜାନକୀ ମହାନ୍ତ ଙ୍କ କବିତା = ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ

 ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ

ରାଗ-ଗୁଜ୍ଜରୀ /ଭଗବତ ବାଣୀ

 ଜାନକୀ ମହାନ୍ତ

(ସ୍ୱରଚିତ ରାମାୟଣ -ଭାଗ -୧)

(ଗୋବିନ୍ଦ’ ଗୋବି’ନ୍ଦ ଗୋବିନ୍ଦ’
ପଦୁ ଗ’ଳୁଛି ‘ମକରନ୍ଦ’… ସ୍ୱରରେ)
ଶ୍ରୀରାମ ଶ୍ରୀରାମ ଶ୍ରୀରାମ
ମର୍ଯ୍ୟାଦା ଶ୍ରୀପୁରୁଷୋତ୍ତମ,
ନାମରୁ ଝରଇ ପୀୟୂଷ
ମୋକ୍ଷ ପ୍ରାପ୍ତିର ସୁଧାରସ ।।୧।।
ସତ୍ୟ ତ୍ରେତା ଦ୍ୱାପର କଳି
ଅବତରିଲେ ବନମାଳି,
ତ୍ରେତୟା ଯୁଗରେ ଶ୍ରୀରାମ
ଜନ୍ମିଲେ ସର୍ବ ଗୁଣଧାମ ।।୨।।
ସୂର୍ଯ୍ୟ ବଂଶଜ ନୃପ ଅଜ
ଦଶରଥ ତାଙ୍କ ତନୁଜ,
ମଣ୍ଡିଲେ ଅଯୋଧ୍ୟା ନଗରୀ
ସ୍ୱର୍ଗ ସମ୍ପଦ ମଞ୍ଚ ପୁରୀ ।।୩।।
ରୂପରେ କନ୍ଦର୍ପ ସମାନ
ସମରେ‌ ହାରିବେ ଶମନ,
ପଣ୍ଡିତ ପଣେ ଚଣ୍ଡି ସୁତ
ଅଚଳ ବିଭୁତି ସଂପ୍ରାପ୍ତ ।।୪।।
ସାତଶ ପଚାଶ ଯୁବତୀ
ବିବାହ କଲେ ନରପତି,
ଜ୍ୟେଷ୍ଠ କୌଶଲ୍ୟା ପାଟ୍ଟରାଣୀ
କୈକେୟୀ ସୁମିତ୍ରା ଏ ତିନି ।। ୫।।
ବିଚିତ୍ର ବିଧିର ବିଧାନ
କାହାର ନୋହିଲା ସନ୍ତାନ,
ବିରସ ବଦନେ ନୃପତି
ବଶିଷ୍ଠେ କରିଲେ ବିନତୀ ।।୬।।
ବିଚାରି କୁଳଗୁରୁ ଭଣି
ହକାରି ଋଷ୍ୟଶୃଙ୍ଗ ମୁନି
ଯାଗେ ତୋଷିଲେ ବୀତିହୋତ୍ର
ଅବଶ୍ୟ ଉପୁଜିବ ପୁତ୍ର ।।୭।।
ଶାନ୍ତା କନ୍ୟାକୁ ବିଭା ଦେଇ
ଋଷିଙ୍କୁ ହୋଇଲେ ବିନୟୀ,
ଋଷି ଆଚାର୍ଯ୍ୟ ଗୁରୁ ତୁଲେ
ପୁତ୍ରେଷ୍ଟି ଯାଗ ଆରମ୍ଭିଲେ ।।୮।।
ଅଗ୍ନି ଦେବତା ଯେ ପ୍ରସନ୍ନ
ଯଜ୍ଞରୁ ଚରୁର ଉତ୍ପନ୍ନ,
ଚରୁ ଅନ୍ନର ପ୍ରସାଦରେ
ଦେଲେ ସାମ୍ରାଜ୍ଞୀଙ୍କ ହସ୍ତରେ।।୯।।
ଦଶରଥ ଯେ କୌଶଲ୍ୟାଙ୍କୁ
ଅର୍ଦ୍ଧେକ ଦେଲେ ଭୁଞ୍ଜିବାକୁ,
ଅନ୍ୟ ଅର୍ଦ୍ଧେକ ଗୋ କୈକେୟୀ
ସୁମିତ୍ରା ସହ ଭୁଞ୍ଜ ତୁହି ।।୧୦।।
କୈକେୟୀ ସୁମିତ୍ରା ଅର୍ଦ୍ଧେକ
ଭୁଞ୍ଜିଲେ ଅନ୍ନ ହୋଇ ଏକ,
କୌଶଲ୍ୟା ଚରୁଅନ୍ନ ଦେଇ
ଭାଷେ ସୁମିତ୍ରା ଭୁଞ୍ଜ ତୁହି ।।୧୧।।
ଦୁହିଁଙ୍କ ଠାରୁ ପାଇ ଅନ୍ନ
ସୁମିତ୍ରା ସହାସ ବଦନ,
ଫଳିଲା ମହର୍ଷି ବଚନ
ଝୁମିଲା ଗଗନ ପବନ।।୧୨।।
ଯାଗ ଉତ୍ପନ୍ନ ଶୁଦ୍ଧ ଚରୁ
ଋଷ୍ୟଶୃଙ୍ଗଙ୍କ ଆଶିଷ ରୁ,
ସେବନ କରି ତିନି ରାଣୀ
ଗର୍ଭ ହୋଇଲେ ସୁଲକ୍ଷଣୀ ।।୧୩।।
ବେଳ ଶୁଭଦ ଆଗତରେ
ଚୈଇତ୍ର ଶୁକ୍ଳ ନବମୀରେ,
ମଧୁ ମଧ୍ୟାହ୍ନେ ଦିନ କର
ବହୁଛି ଶୀତଳ ସମୀର ।।୧୪।।
ଧରଣୀ ସାଜେ ବଧୁ ବେଶ
ଓଢ଼ଣୀ ଉଡ଼େ ତା’ ପଳାଶ,
ରାମଙ୍କୁ କରିବ ସ୍ୱାଗତ
ବସନ୍ତ ସମ୍ଭାରେ ସଜ୍ଜିତ।।୧୫।।
କୋକିଳ’ ମଧୁର କାକଳି
ମିଠା ସ୍ୱରରେ ମଧୁବୋଳି,
ବହଇ ମଳୟ ମରୁତ
ମାହେନ୍ଦ୍ର ଲଗ୍ନ ଉପନୀତ ।।୧୬।।
ଦ୍ୱି’ପ୍ରହର ନବମୀ ତିଥି
ବ୍ରହ୍ମା ପଢ଼ିଲେ ଗର୍ଭସ୍ତୁତି,
ଦେବତା କଲେ ପୁଷ୍ପ ବୃଷ୍ଟି
ଦିବ୍ୟଜ୍ୟୋତିର ହୁଏ ଦୃଷ୍ଟି ।।୧୭।।
ଦଶରଥ କୌଶଲ୍ୟା କୋଳେ
ଜନ୍ମିଲେ ରାମ ରଘୁ କୁଳେ,
ସରବେ ହୋଇଲେ ଆନନ୍ଦ
ଅଯୋଧ୍ୟାରେ ପରମାନନ୍ଦ ।।୧୮।।
କୈକେୟୀ କୋଳରେ ଭରତ
ଜନମି ବଢ଼ାଇଲେ ଖ୍ୟାତ,
ଯମଜ ଶତ୍ରୁଘ୍ନ ଲକ୍ଷ୍ମଣ
ସୁମିତ୍ରା କୋଳରେ ମଣ୍ଡନ ।।୧୯।।
ଅଯୋଧ୍ୟା ପଡ଼ିଲା ଉଛୁଳି
ଆନନ୍ଦେ ଦେଲେ ହୁଳହୁଳି,
ରାଣୀଙ୍କ କୋଳେ ଶିଶୁ ସୋମ୍ୟ
ବଶିଷ୍ଠ ଦେଲେ ରାମ ନାମ।।୨୦।।
ଜାନକୀ କରୁଛି ପ୍ରଣାମ
ବର୍ଣ୍ଣିବାକୁ ମୁହିଁ ଅକ୍ଷମ,
ମୋ’ତୁଣ୍ଡେ ସଦା ରୁହ ରାମ 
ସମର୍ପି ଦେଲି ଏ ଜନମ ।।୨୧।।
 
ରଘୁପତି ରାଘବ ରାଜା ରାମ…
ପତିତପାବନ ସୀତା ରାମ…. 

 ରାଜ୍ୟ ଉପ ସଭାପତି

 ଓଡ଼ିଶା ସାହିତ୍ୟିକ ସଂଗଠନ
 ଭୁବନେଶ୍ୱର, ଓଡ଼ିଶା
 ବେଙ୍ଗାଲୁରୁ

Related posts

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମାନସ ମନ୍ଥିନୀ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା// ଇଂରାଜୀ ନବ ବରଷ-୨୦୨୩

Sunil Chandra Nayak

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା  l l l ବିଦାୟ ୨୦୨୨ l l l

Sunil Chandra Nayak

Leave a Comment

error: Content is protected !!